ଆଜି କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଦ୍ବିତୀୟ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ପଞ୍ଜାବ କିଙ୍ଗ୍ସ ମୋହାଲିରେ ପରସ୍ପରକୁ ଭେଟିବେ। ଏହି ଦୁଇ ଦଳ ବିଗତ ବର୍ଷମାନଙ୍କରେ ଟ୍ରଫି ହାସଲ ପାଇଁ ସଂଘର୍ଷ କରୁଛନ୍ତି। ଗତ ସଂସ୍କରଣରେ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଦୁଇ ଥରର ବିଜେତା କେକେଆର୍‌ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହେଲେ ଚଳିତ ସଂସ୍କରଣରେ ଦୁଇ ନୂଆ ‌ଅଧିନାୟକ ଉଭୟ ଦଳର ନେତୃତ୍ବ ନେବେ। ଭେଟେରାନ୍‌ ଖେଳାଳି ଶିଖର ଧାୱନ […]

Samaya Live Picture
Published On

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଦ୍ବିତୀୟ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ପଞ୍ଜାବ କିଙ୍ଗ୍ସ ମୋହାଲିରେ ପରସ୍ପରକୁ ଭେଟିବେ। ଏହି ଦୁଇ ଦଳ ବିଗତ ବର୍ଷମାନଙ୍କରେ ଟ୍ରଫି ହାସଲ ପାଇଁ ସଂଘର୍ଷ କରୁଛନ୍ତି। ଗତ ସଂସ୍କରଣରେ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଦୁଇ ଥରର ବିଜେତା କେକେଆର୍‌ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହେଲେ ଚଳିତ ସଂସ୍କରଣରେ ଦୁଇ ନୂଆ ‌ଅଧିନାୟକ ଉଭୟ ଦଳର ନେତୃତ୍ବ ନେବେ। ଭେଟେରାନ୍‌ ଖେଳାଳି ଶିଖର ଧାୱନ ପଞ୍ଜାବର ନେତୃତ୍ବ ନେଉଥିଲା ବେଳେ ଘରୋଇ କ୍ରିକେଟ୍‌ର ହିରୋ ନୀତୀଶ ରାଣା ଆହତ ଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନରେ କୋଲ୍‌କାତାର ମଙ୍ଗ ଧରିବେ।
ପୂର୍ବ ‌ପରିସଂଖ୍ୟାନକୁ ଦେଖିଲେ, ଯଦିଓ କେକେଆର୍‌ ଉପରେ ପଞ୍ଜାବ ଅଧିକ ଭାରି ଜଣାପଡୁଛି, କିନ୍ତୁ ଜନି ବେୟାରଷ୍ଟୋଙ୍କ ଅନୁପସ୍ଥିତି ପଞ୍ଜାବ ଦଳର ସନ୍ତୁଳନରେ ବଡ଼ ଫରକ ପକାଇବ। ବେୟାରଷ୍ଟୋଙ୍କ ସ୍ଥାନରେ ମାଥ୍ୟୁ ସର୍ଟଙ୍କୁ ନିଆଯାଇଛି। ଧାୱନଙ୍କ ସହ ସର୍ଟ ପାଳି ଆରମ୍ଭ କରିପାରନ୍ତି। ସେହିପରି ଲିଆମ୍‌ ଲିଭିଂଷ୍ଟୋନ୍‌, କାଗିସୋ ରବାଡ଼ା ମଧ୍ୟ ପଞ୍ଜାବ ସହିତ ଯୋଗ ଦେଇପାରିନାହାନ୍ତି। ମଧ୍ୟକ୍ରମ ବ୍ୟାଟିଂ ଓ ଡେଥ୍‌ ଓଭର ବୋଲିଂ ବିଶେଷଜ୍ଞ ସାମ୍‌ କରନ, ସିକନ୍ଦର ରାଜା ଏଥର ଆଇପିଏଲ୍‌ରେ ଓଲଟ ପାଲଟ କରିପାରନ୍ତି। ସେହିପରି ବୋଲିଂରେ ରବାଡ଼ାଙ୍କ ସ୍ଥାନରେ ଅର୍ଶଦୀପ ସିଂହ, ରିଷି ଧାୱନ, କରଣ, ଲେଗ ସ୍ପିନର ରାହୁଲ ଚହର ବୋଲିଂ କ୍ରମ ସମ୍ଭାଳିବେ। ଗତ ୧୫ ବର୍ଷ ମଧ୍ୟରେ ପଞ୍ଜାବ ଥରୁଟିଏ ବି ଟ୍ରଫି ଜିତିନାହିଁ। ଶେଷ ଥର ପାଇଁ ୨୦୧୪ରେ ଦଳ ଟ୍ରଫି ନିକଟତର ହୋଇଥିଲା ବେଳେ ଉଦ୍‌ଘାଟନୀ ସଂସ୍କରଣରେ ଏହି ଦଳ ସେମିଫାଇନାଲ୍‌ରେ ପରାଜିତ ହୋଇଥିଲା।
ଅପର‌ପକ୍ଷେ ଦୁଇଥରର ବିଜେତା କେକେଆର୍‌ ପାଇଁ ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ମୁଖ୍ୟ ଅସ୍ତ୍ର ହୋଇପାରନ୍ତି। ପଣ୍ଡିତଙ୍କ ସହ ମୁମ୍ବାଇର ଅଭିଷେକ ନାୟର ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ ଏବଂ ନୀତୀଶ ସେହି ରଣନୀତିକୁ ପଡ଼ିଆରେ କାର୍ଯ୍ୟକାରୀ କରାଇବେ। ବାଂଲାଦେଶର ସାକିବ ଅଲ୍‌ ହାସନ ଓ ଲିଟନ ଦାସ ‌ଏବେ ନିଜ ଦେଶ ପାଇଁ ଖେଳୁଥିବାରୁ ସେମାନେ ବିଳମ୍ବରେ ଦଳ ସହ ଯୋଗଦେବେ। ତେବେ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍‌, ସୁନୀଲ ନାରିନ୍‌, ଡେଭିଡ୍‌ ୱେସ୍‌, ଭେଙ୍କଟେଶ ଆୟର ଓ ସାକିବଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଯଦିଓ ଟିମ୍‌ ସାଉଦି ଓ ଲୋକି ଫର୍ଗୁସନ୍‌ ଦଳ ସହିତ ଯୋଗଦେଇସାରିଛନ୍ତି, କିନ୍ତୁ ଲୋକି ଏବେ ବି ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ମଧ୍ୟକ୍ରମରେ ୱେସ୍‌, ରିଙ୍କୁ ସିଂହ ଓ ରହମନୁଲ୍ଲା ଗୁରବାଜଙ୍କ ଭଳି ହାର୍ଡ ହିଟର ଦଳ ପାଇଁ ରନ୍‌ ବାହାର କରିବେ। ବୋଲରଙ୍କ ମଧ୍ୟରେ ସାଉଦି ଓ ଉମେଶ ଯାଦବ ‌ବୋଲିଂ କ୍ରମର ନେତୃତ୍ବ ନେବାକୁଥିଲା ବେଳେ ଶାର୍ଦୁଳ ଠାକୁର ଓ ବରୁଣ ଚକ୍ରବର୍ତ୍ତୀ ତାଙ୍କୁ ସହାୟତା ପ୍ରଦାନ କରିବେ।

Tags: