ଆଇପିଏଲରେ ଆଜି ଦିଲ୍ଲୀ-ବାଙ୍ଗାଲୋର, ପଞ୍ଜାବ-ଲକ୍ଷ୍ନୌ ମୁହାଁମୁହିଁ
ବେଙ୍ଗାଲୁରୁ/ଲକ୍ଷ୍ନୌ: ଆଇପିଏଲ୍ ଆରମ୍ଭ ହେବାକୁ ଦୁଇ ସପ୍ତାହ ହୋଇଗଲାଣି, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବେ ବିଜୟଶୂନ୍ୟ ରହିଛି। ଶେଷ ଓଭର ମ୍ୟାଚ୍ରେ ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ପରାସ୍ତ ହୋଇଥିଲେ। କିନ୍ତୁ ୱାନିନ୍ଦୁ ହସରଙ୍ଗା ବାଙ୍ଗାଲୋରକୁ ଫେରିଆସିଥିବାରୁ ଶନିବାର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ଆର୍ସିବି ଉଦ୍ୟମ କରିବ। ତେବେ ଆର୍ସିବିର ମଧ୍ୟକ୍ରମ ବ୍ୟାଟରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି। ବିଶେଷକରି ସ୍ପିନ୍ ବିପକ୍ଷରେ ବ୍ୟାଟରମାନେ ଅସୁବିଧାରେ ପଡ଼ିଆସୁଛନ୍ତି। ଯେଉଁଥିପାଇଁ ଅକ୍ଷର […]
ବେଙ୍ଗାଲୁରୁ/ଲକ୍ଷ୍ନୌ: ଆଇପିଏଲ୍ ଆରମ୍ଭ ହେବାକୁ ଦୁଇ ସପ୍ତାହ ହୋଇଗଲାଣି, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବେ ବିଜୟଶୂନ୍ୟ ରହିଛି। ଶେଷ ଓଭର ମ୍ୟାଚ୍ରେ ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ପରାସ୍ତ ହୋଇଥିଲେ। କିନ୍ତୁ ୱାନିନ୍ଦୁ ହସରଙ୍ଗା ବାଙ୍ଗାଲୋରକୁ ଫେରିଆସିଥିବାରୁ ଶନିବାର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ଆର୍ସିବି ଉଦ୍ୟମ କରିବ। ତେବେ ଆର୍ସିବିର ମଧ୍ୟକ୍ରମ ବ୍ୟାଟରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି। ବିଶେଷକରି ସ୍ପିନ୍ ବିପକ୍ଷରେ ବ୍ୟାଟରମାନେ ଅସୁବିଧାରେ ପଡ଼ିଆସୁଛନ୍ତି। ଯେଉଁଥିପାଇଁ ଅକ୍ଷର ପଟେଲ ଓ କୁଲ୍ଦୀପ ଯାଦବଙ୍କ ଆଗରେ ଏମାନଙ୍କୁ ଖେଳିବା କଷ୍ଟକର ହୋଇପାରେ। ସେହିପରି ଡେଥ୍ ଓଭରଗୁଡ଼ିକରେ ନର୍ଖିୟା ଓ ମୁସ୍ତାଫିଜୁର ରହମନ ସଫଳ ହେଉଥିବାରୁ ଏମାନଙ୍କ ସାମ୍ନା କରିବା ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ତଥାପି ମିଚେଲ୍ ମାର୍ସ ତାଙ୍କ ବିବାହ କାର୍ଯ୍ୟ ଶେଷ କରି ଦିଲ୍ଲୀ ଦଳ ସହିତ ଯୋଗଦେଇଥିବାରୁ ବୋଲରଙ୍କ ପାଇଁ ସତର୍କଘଣ୍ଟି ହୋଇପାରନ୍ତି।

ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସର ସାମ୍ନା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କରିବ। ଗତ ଦୁଇଟି ମ୍ୟାଚ୍ରେ ପଞ୍ଜାବର ବ୍ୟାଟିଂ ସନ୍ତୋଷଜନକ ହୋଇପାରିନାହିଁ। ତେଣୁ ବ୍ୟାଟରଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ। ଚଳିତ ସଂସ୍କରଣ ଆରମ୍ଭରୁ ଲଗାତାର ପଞ୍ଜାବ ମ୍ୟାଚ୍ ଜିତିଥିଲେ ବି ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ପରାସ୍ତ ହୋଇଛି। ଏହାର ପ୍ରମୁଖ କାରଣ ହେଉଛି ମଝି ଓଭରଗୁଡ଼ିକରେ ପଞ୍ଜାବ ବ୍ୟାଟରମାନେ ରନ୍ ବାହାର କରିବାରେ ବିଫଳ ହୋଇଆସୁଛନ୍ତି। ଗତ ମ୍ୟାଚ୍ରେ ପଞ୍ଜାବ ବ୍ୟାଟରମାନେ ୫୬ ଡଟ୍ ବଲ୍ ଖେଳିଥିଲେ। କେବଳ ଶିଖର ଧାୱନ ପ୍ରଥମ ତିନି ମ୍ୟାଚ୍ରେ ଭଲ ଖେଳିଥିଲେ, ହେଲେ ଚତୁର୍ଥ ମ୍ୟାଚ୍ରେ ସେ ବିଫଳ ହେବାରୁ ବ୍ୟାଟରମାନେ ରନ୍ ଗତି ବଢାଇପାରିନଥିଲେ। କିନ୍ତୁ ସୁପର ଜାଏଣ୍ଟସ୍ ଗତ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ଅପେକ୍ଷାକୃତ ଦୁର୍ବଳ ପଞ୍ଜାବକୁ ହରାଇ ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି। ଯଦିଓ ଅଧିନାୟକ କେଏଲ୍ ରାହୁଲ ଏବେ ବି ରନ୍ ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ କାୟଲ ମାୟର୍ସ, କୃନାଲ ପାଣ୍ଡ୍ୟା, ନିକୋଲାସ ପୁରନ୍ ମ୍ୟାଚ୍ ବିଜୟୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ରବିବାର ରାତିରେ ଆଉ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।




