ଅଷ୍ଟ୍ରେଲିଆକୁ ୧୩୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକା
ଲକ୍ଷ୍ନୌ: କେବେବି ବିଶ୍ବକପ୍ ଜିତି ନଥିବା ଦକ୍ଷିଣ ଆଫ୍ରିକା ଗୁରୁବାର ଏକତରଫା ଭାବେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୩୪ ରନ୍ର ବଡ଼ ବ୍ୟବଧାନରେ ହରାଇଛି। ଏହାଫଳରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପଏଣ୍ଟ୍ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜର ଦୁଇଟି ଯାକ ମ୍ୟାଚ୍ ହାରି ଆଫଗାନିସ୍ତାନ ଉପରକୁ ନବମ ସ୍ଥାନରେ ରହିଛି। ସ୍ଥାନୀୟ ଏକନା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ତେବେ ଏହି […]
ଲକ୍ଷ୍ନୌ: କେବେବି ବିଶ୍ବକପ୍ ଜିତି ନଥିବା ଦକ୍ଷିଣ ଆଫ୍ରିକା ଗୁରୁବାର ଏକତରଫା ଭାବେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୩୪ ରନ୍ର ବଡ଼ ବ୍ୟବଧାନରେ ହରାଇଛି। ଏହାଫଳରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପଏଣ୍ଟ୍ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜର ଦୁଇଟି ଯାକ ମ୍ୟାଚ୍ ହାରି ଆଫଗାନିସ୍ତାନ ଉପରକୁ ନବମ ସ୍ଥାନରେ ରହିଛି। ସ୍ଥାନୀୟ ଏକନା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିରୁ ବିଶେଷ ଫାଇଦା ଉଠାଇ ପାରି ନଥିଲା। ବୋଲରଙ୍କ ଦିଶାହୀନ ବୋଲିଂ ସହ ଫିଲ୍ଡର ଅଧା ଡଜନ କ୍ୟାଚ୍ ଛାଡ଼ିଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ଟସ୍ ହାରିବାର କ୍ଷତିକୁ ସହଜରେ ଭରଣା କରି ନେଇଥିଲା। ବିଶେଷ କରି ପ୍ରାରମ୍ଭିକ ବ୍ୟାଟର୍ କ୍ବିଣ୍ଟନ୍ ଡି’ କକ୍ (୧୦୯)ଙ୍କ ଶତକ ସହ ଏଡେନ ମାରକ୍ରମ (୫୬)ଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୧୧ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ପୁନର୍ବାର ଯୁବ ପ୍ରାରମ୍ଭିକ ବ୍ୟାଟର୍ ମିଚେଲ ମାର୍ସଙ୍କୁ ପାୱାର ପ୍ଲେ’ ଭିତରେ ହରାଇଥିଲା। ଅଭିଜ୍ଞ ଡେଭିଡ୍ ୱାର୍ଣ୍ଣର ମଧ୍ୟ ବିଫଳ ହୋଇଥିଲେ। ୨୭ ରନ୍ରେ ପ୍ରାରମ୍ଭିକ ଯୋଡ଼ିକୁ ହରାଇବା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୯.୧ ଓଭର ପୂର୍ବରୁ ସମସ୍ତ ୱିକେଟ୍ ବିନିମୟରେ ମାତ୍ର ୧୭୭ ରନ୍ କରିପାରିଥିଲା। ଦଳର ତାରକା ଖଚିତ ବ୍ୟାଟିଂକ୍ରମର ବେପରୁଆ ଓ ଦୁର୍ବଳ ବ୍ୟାଟିଂ ହିଁ ଅଷ୍ଟ୍ରେଲିଆ ପରାଜୟର ପ୍ରମୁଖ କାରଣ ହୋଇଥିଲା। ଚଳିତ ବିଶ୍ବକପ୍ରେ କ୍ରମାଗତ ଶତକ ହାସଲ କରିବା ସହ ୱିକେଟ୍ ରକ୍ଷକ ଭାବେ ଦୁଇଟି କ୍ୟାଚ୍ ଧରିଥିବା ଡି’କକ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।




