ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବାରୁ ଦଣ୍ଡିତ ହୋଇପାରନ୍ତି ୱାର୍ଣ୍ଣର
ଲକ୍ଷ୍ନୌ: ଚଳିତ ବିଶ୍ବକପ୍ରେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। କିନ୍ତୁ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅଷ୍ଟ୍ରେଲିଆ ଖେଳାଳିମାନେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ଦେଖାଯାଉଥିଲା। ବିଶେଷ କରି ଡେଭିଡ ୱାର୍ଣ୍ଣରଙ୍କ ଆଉଟ୍କୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି। ଅନ୍ୟ ଦଳୀୟ ସାଥୀଙ୍କ ପରି ୱାର୍ଣ୍ଣର କିନ୍ତୁ ତାଙ୍କ ଅସନ୍ତୋଷକୁ ଲୁଚାଇ ରଖିପାରିନଥିଲେ। ପଡ଼ିଆ ଛାଡ଼ୁଥିବା ବେଳେ ଅମ୍ପାୟାର ଜୋଏଲ ୱିଲସନଙ୍କ ଉପରେ ବିରକ୍ତି ହେଉଥିବା ସ୍ପଷ୍ଟ ଦେଖାଯାଇଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂର ତୃତୀୟ ଓଭରରେ ଏହି ଘଟଣା […]
ଲକ୍ଷ୍ନୌ: ଚଳିତ ବିଶ୍ବକପ୍ରେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। କିନ୍ତୁ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅଷ୍ଟ୍ରେଲିଆ ଖେଳାଳିମାନେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ଦେଖାଯାଉଥିଲା। ବିଶେଷ କରି ଡେଭିଡ ୱାର୍ଣ୍ଣରଙ୍କ ଆଉଟ୍କୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି। ଅନ୍ୟ ଦଳୀୟ ସାଥୀଙ୍କ ପରି ୱାର୍ଣ୍ଣର କିନ୍ତୁ ତାଙ୍କ ଅସନ୍ତୋଷକୁ ଲୁଚାଇ ରଖିପାରିନଥିଲେ। ପଡ଼ିଆ ଛାଡ଼ୁଥିବା ବେଳେ ଅମ୍ପାୟାର ଜୋଏଲ ୱିଲସନଙ୍କ ଉପରେ ବିରକ୍ତି ହେଉଥିବା ସ୍ପଷ୍ଟ ଦେଖାଯାଇଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂର ତୃତୀୟ ଓଭରରେ ଏହି ଘଟଣା ଘଟିଥିଲା। ଦିଲସାନ ମଧୁଶଙ୍କା ଓଭର ଦ ୱିକେଟ୍ରେ ବୋଲିଂ କରିଥିଲା ବେଳେ ବଲ୍ ଲେଗ୍ ଷ୍ଟମ୍ପ୍ ଆଡ଼କୁ ଯାଇ ୱାର୍ଣ୍ଣରଙ୍କ ଗୋଡ଼ରେ ବାଜିଥିଲା। ବଲ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ଭଳି ଦେଖାଯାଉଥିଲା, କିନ୍ତୁ ଅମ୍ପାୟାର ୱିଲସନ ତାହାକୁ ଆଉଟ୍ ଘୋଷଣା କରିଥିଲେ। ୱାର୍ଣ୍ଣର ରିଭ୍ୟୁ ପାଇଁ ଆବେଦନ କରିବା ପରେ ବଲ୍ ଟ୍ରାକରରେ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିଥିଲା। ବଲ୍ ଲେଗ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବେଳେ ତାହା ବେଲ୍ରେ ଅତି ନିକଟରୁ ମାଡ଼ କରୁଥିଲା। ତେଣୁ ଏହା ନଟ୍ଆଉଟ୍ ଘୋଷଣା ହେବା ନେଇ ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ନିୟମ ଅନୁସାରେ ଯେହେତୁ ଟ୍ରାକର୍ରେ ବଲ୍ ଅଳ୍ପକେ ବେଲ୍କୁ ଉଠାଇ ଦେଉଛି, ସେ କ୍ଷେତ୍ରରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ କାଏମ ରଖାଯାଇଥାଏ ଏବଂ ସେହି ଆଧାରରେ ତୃତୀୟ ଅମ୍ପାୟାରଙ୍କ ନିର୍ଦ୍ଦେଶ ପରେ ୱିଲସନ ତାଙ୍କୁ ଆଉଟ୍ ଘୋଷଣା କରିଥିଲେ। ୱାର୍ଣ୍ଣର ଏଥିରେ ଅସନ୍ତୁଷ୍ଟ ହୋଇ ପଡ଼ିଆ ଛାଡ଼ୁଥିବା ବେଳେ ୱିଲସନ୍ଙ୍କୁ ବିରକ୍ତି ହୋଇ ବାରମ୍ବାର କିଛି କହୁଥିବା ଦେଖାଯାଇଥିଲା। ୱାର୍ଣ୍ଣର ଏହି ଆଚରଣ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ବୋଲର ସାଇମନ ଡଲ୍ ଆଇସିସି ନିକଟରେ ଅଭିଯୋଗ କରିଛନ୍ତି। ଯଦି ଆଇସିସି ଅଭିଯୋଗକୁ ଗ୍ରହଣ କରେ ତାହେଲେ ୱାର୍ଣ୍ଣର ଦଣ୍ଡିତ ହେବା ନିଶ୍ଚିତ ବୋଲି କୁହାଯାଉଛି।




