ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ, ୨୯/୩ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ (ଇସି) ତାରିଖ ଘୋଷଣା କରିଛନ୍ତି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ମେ’ ୧୩ ତାରିଖରେ ନିର୍ବାଚନ ଫଳ ଆସିବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏହା ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। କର୍ଣ୍ଣାଟକ […]
ନୂଆଦିଲ୍ଲୀ, ୨୯/୩ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ (ଇସି) ତାରିଖ ଘୋଷଣା କରିଛନ୍ତି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ମେ’ ୧୩ ତାରିଖରେ ନିର୍ବାଚନ ଫଳ ଆସିବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏହା ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। କର୍ଣ୍ଣାଟକ ବିଧାନସଭା କାର୍ଯ୍ୟକାଳ ଆସନ୍ତା ମେ’ ୨୪ ତାରିଖରେ ଶେଷ ହେଉଥିବାରୁ ଏହା ପୂର୍ବରୁ ରାଜ୍ୟରେ ସଦ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ମୋଟ୍ ୫.୨୧ କୋଟି ଭୋଟର ଅଛନ୍ତି। ରାଜ୍ୟରେ ୫୮,୨୮୨ ଭୋଟିଂ ବୁଥ୍ ଖୋଲାଯିବ। ୧୩୨୦ ଭୋଟିଂ ବୁଥ୍ର ଦାୟିତ୍ବରେ ମହିଳା ରହିବେ। ୯.୧୭ ଲକ୍ଷରୁ ଅଧିକ ଫାଷ୍ଟ ଟାଇମ ଭୋଟର ଅଛନ୍ତି। ରାଜ୍ୟରେ ୧୨.୧୫ ଲକ୍ଷ ଭୋଟରଙ୍କ ବୟସ ୮୦ ରୁ ଅଧିକ। ଅନ୍ୟପକ୍ଷେ ୧୬,୯୭୬ ଶତାୟୁ ଭୋଟର ଅଛନ୍ତି। ପ୍ରଥମ ଥର ପାଇଁ ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଭୋଟର ବୁଥ୍ ନଯାଇ ଘରେ ଭୋଟ୍ ଦେଇପାରିବେ।
କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘନ ଘନ ନିର୍ବାଚନ ରୢାଲି କରୁଛନ୍ତି। ଗତ ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ୟେଦିରୁପ୍ପାଙ୍କ ବାସଭବନରେ ପହଞ୍ଚି ସକାଳ ଜଳଖିଆ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ଅମିତ ଶାହ ମଧ୍ୟ କର୍ଣ୍ଣାଟକରେ ରୢାଲି କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ବି ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛି। କଂଗ୍ରେସ ଗତ ଶନିବାର ଦିନ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ମଙ୍ଗଳବାର ଦିନ କହିଥିଲେ ଯେ ବିଜେପି ଏପ୍ରିଲ ପ୍ରଥମ ସପ୍ତାହରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିବ।




