ବାଇକ ଦୁର୍ଘଟଣାକୁ ନେଇ ଚଳନ୍ତା ଗାଡି ଆଗକୁ ଠେଲି ଯୁବକଙ୍କୁ ହତ୍ୟା
ଖୁଣ୍ଟୁଣୀ : ବାଇକ ଧକ୍କାକୁ କେନ୍ଦ୍ରକରି ସାଙ୍ଘାତିକ ଘଟଣା । ବଡ଼ ଭାଇ ସାମ୍ନାରେ ନିସ୍ତୁକ ମାଡ଼ ମାରି ସାନ ଭାଇକୁ ଚଳନ୍ତା ଗାଡି ଆଗକୁ ଠେଲିଦେଲେ ଦୁର୍ବୁତ୍ତ । ଫଳରେ ଗାଡି ଚଢ଼ିଯିବାରୁ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ଛକରେ ଏହି ଘଟଣା ଘଟିଛି । ମୃତକ ହେଲେ ଖୁଣ୍ଟୁଣୀ ଥାନା ଘଣ୍ଟିଖାଲ ପଞ୍ଚାୟତ ଦ୍ୱାରାବତୀପୁର ଗ୍ରାମର ଅମର ରାଉତଙ୍କ ପୁଅ କାହ୍ନୁ […]
ଖୁଣ୍ଟୁଣୀ : ବାଇକ ଧକ୍କାକୁ କେନ୍ଦ୍ରକରି ସାଙ୍ଘାତିକ ଘଟଣା । ବଡ଼ ଭାଇ ସାମ୍ନାରେ ନିସ୍ତୁକ ମାଡ଼ ମାରି ସାନ ଭାଇକୁ ଚଳନ୍ତା ଗାଡି ଆଗକୁ ଠେଲିଦେଲେ ଦୁର୍ବୁତ୍ତ । ଫଳରେ ଗାଡି ଚଢ଼ିଯିବାରୁ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ଛକରେ ଏହି ଘଟଣା ଘଟିଛି । ମୃତକ ହେଲେ ଖୁଣ୍ଟୁଣୀ ଥାନା ଘଣ୍ଟିଖାଲ ପଞ୍ଚାୟତ ଦ୍ୱାରାବତୀପୁର ଗ୍ରାମର ଅମର ରାଉତଙ୍କ ପୁଅ କାହ୍ନୁ ରାଉତ(୨୮)। ଏନେଇ କାହ୍ନୁଙ୍କ ପରିବାର ଖୁଣ୍ଟୁଣୀ ଥାନାରେ ହତ୍ୟା ଅଭିଯୋଗ ଦାୟର କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ପରିବାର ଲୋକ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦ୍ୱାରାବତୀପୁରଠାରେ ଶବ ରଖି ରାସ୍ତାରୋକ କରିଛନ୍ତି ।
ଘଟନାନୁସାରେ,ଦ୍ୱାରାବତୀପୁର ଗ୍ରାମର କାହ୍ନୁ ଗତକାଲି ରାତିରେ ଆଠଗଡ଼ରୁ କାମ ସାରି ବାଇକ୍ରେ ଫେରୁଥିଲେ। ଏହି ସମୟରେ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ ତାଙ୍କ ପତ୍ନୀଙ୍କ ସହ ବାଇକ୍ରେ ଯାଉଥିବା ବେଳେ ମହାକାଳବସ୍ତ ଠାରେ କାହ୍ନୁଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସଂଘବଦ୍ଧ ଭାବେ କାହ୍ନୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ କାହ୍ନୁଙ୍କ ବଡ଼ଭାଇ ଅଭିମନ୍ୟୁ ଘଟଣାସ୍ଥଳରେ ପହଞ୍ଚି ଭାଇକୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ ବି କେହି ଶୁଣି ନଥିଲେ। ବଡ଼ଭାଇ ଆଗରେ ସେମାନେ କାହ୍ନୁଙ୍କୁ ମାଡ଼ମାରି ଏକ ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗି ଦେଇଥିଲେ। ଗାଡ଼ିଟି କାହ୍ନୁଙ୍କ ଉପରେ ଚଢ଼ିଯିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ । ପରେ କାହ୍ନୁଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିମନ୍ୟୁ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମକୁ ଆସିବା ପରେ,ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବିରେ କାହ୍ନୁଙ୍କ ପରିବାର ଲୋକ ଓ ଗ୍ରାମବାସୀ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଆଇଆଇସି ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି




