ଆଜି ଏକା ସହିତ ମହା ଆଡମ୍ବରରେ ପାଳନ ହେଉଛି ଶାମ୍ବ ଦଶମୀ ସହିତ ସୁଦଶା ବ୍ରତ

ଭୁବନେଶ୍ୱର : ଆଜି ଏକା ସହିତ ପଡିଛି ପବିତ୍ର ଶାମ୍ବ ଦଶମୀ ସହିତ ମା’ ମହାଲକ୍ଷ୍ମୀଙ୍କ ସୁଦଶା ବ୍ରତ ପୂଜା । ସେଥିପାଇଁ ସହର ଠାରୁ ପୁରପଲ୍ଲୀ ଯାଏଁ ସବୁଠି ଦେଖାଦେଇଛି ଭକ୍ତିମୟ ପରିବେଶ । ସକାଳୁ ସକାଳୁ ଘରେ ଘରେ ଚାଲିଛି ମା’ଙ୍କ ପୂଜା। ଝୁଣା କର୍ପୁର ଧୂପ ଦୀପରେ ମହକି ଉଠୁଛି ଘର ଅଗଣା । ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ। ସୁଦଶାର ଅର୍ଥ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଏକା ସହିତ ପଡିଛି ପବିତ୍ର ଶାମ୍ବ ଦଶମୀ ସହିତ ମା’ ମହାଲକ୍ଷ୍ମୀଙ୍କ ସୁଦଶା ବ୍ରତ ପୂଜା । ସେଥିପାଇଁ ସହର ଠାରୁ ପୁରପଲ୍ଲୀ ଯାଏଁ ସବୁଠି ଦେଖାଦେଇଛି ଭକ୍ତିମୟ ପରିବେଶ । ସକାଳୁ ସକାଳୁ ଘରେ ଘରେ ଚାଲିଛି ମା’ଙ୍କ ପୂଜା। ଝୁଣା କର୍ପୁର ଧୂପ ଦୀପରେ ମହକି ଉଠୁଛି ଘର ଅଗଣା ।

ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ। ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା ହଳଦୀ , ଦଶଗୋଟି ମଣ୍ଡା ଦେଇ ମା’ଙ୍କର ଭୋଗ ବଢାଯାଇଥାଏ । ସୁଦଶା ବ୍ରତ ବହି ବୋଲାଯାଇ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ। ସୁମରି ଦଶଖିଅ ଧଳାସୂତାରେ ପ୍ରତି ନାଁ ଅନୁସାରେ ଗୋଟିଏ ଗୋଟିଏ କରି ଦଶ ଗଣ୍ଠି ପକାଇ ବ୍ରତ ପୂଜା କରାଯିବାର ବିଧି ରହିଛି। ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ। ଏହିପରି ଆଜି ମଧ୍ୟ ଚାଲିଛି ମା’ଲକ୍ଷ୍ମୀ ଙ୍କ ପୂଜା ଆରାଧନା ।

ସେହିପରି ଆଜି ପବିତ୍ର ଶାମ୍ବ ଦଶମୀ । ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। ଏହି ପର୍ବରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଏହି ଅବସରରେ ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ରହିଛି ଚଳଚଞ୍ଚଳ । ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟ ମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନୋସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଶାମ୍ବ ଦଶମୀ ପୂଜାର ମାହାତ୍ମ୍ୟ ହିନ୍ଦୁ ପୁରାଣରେ ବର୍ଣ୍ଣିତ ରହିଛି। କୃଷ୍ଣଙ୍କ ପୁତ୍ର ଶାମ୍ବ ଯେବେ ଦୁରାରୋଗ୍ୟ କୁଷ୍ଠ ରୋଗରେ ପୀଡିତ ହୋଇଥିଲେ, କୃଷ୍ଣଙ୍କ ନିର୍ଦେଶ କ୍ରମେ ସେ ଚନ୍ଦ୍ରଭାଗା ମହୋଦଧି କୂଳରେ ସୂର୍ଯ୍ୟଦେବଙ୍କ ଆରାଧନା କରିଥିଲେ। ଦୀର୍ଘ ବାର ବର୍ଷର କଠିନ ସାଧନା ଓ ତପସ୍ୟା ଫଳରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଶାମ୍ବଙ୍କୁ ବ୍ୟାଧିମୁକ୍ତ କରିଥିଲେ। ସେଥିପାଇଁ ଘରେ ଘରେ ନାରୀ ମାନେ ନିଜର ସନ୍ତାନ ସନ୍ତତିଙ୍କ ସୁସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ଏହି ପର୍ବ ପାଳନ କରିଥାନ୍ତି । ଏପରିକି ସନ୍ତାନଙ୍କ ପାଇଁ ବିଭିନ୍ନ ଫଳ ଓ ମିଷ୍ଟାନ୍ନ ଯାଚନା କରାଯାଇଥାଏ।

ଏହି ଦିନ ସୂର୍ଯ୍ୟଙ୍କ ମୁଖ୍ୟ ତିନୋଟି ସ୍ଥିତି ଅନୁଯାୟୀ ନୈବେଦ୍ୟ ଅର୍ପଣ କରାଯାଇଥାଏ। ସୁର୍ୟୋଦୟ ସମୟେ ଅରୁଣ ଭୋଗ ବା ପ୍ରଥମ ଧୂପ ଲାଗି ହୋଇଥାଏ। ଗୃହର ନାରୀମାନେ ଶୁଦ୍ଧପୂତ ହୋଇ ବ୍ରାହ୍ମମୁହୂର୍ତ୍ତରେ ସୁର୍ୟୋଦୟ ସମୟରେ ଧୂପ ଦୀପ ତଥା ଫଳ ଭୋଗ କରିଥାନ୍ତି। ସେହିପରି ମଧ୍ୟାହ୍ନ ସମୟରେ ଦୀପ୍ତିମାନ ଆଦିତ୍ୟଙ୍କୁ ଦ୍ଵିତୀୟ ଭୋଗ ଅର୍ପଣ କରାଯାଇଥାଏ। ଗଇଁଠା, କାକରା ପ୍ରଭୁତି ବିଭିନ୍ନ ପିଠା ଖେଚୁଡ଼ି, ଘଣ୍ଟା ପ୍ରଭୁତି ଅର୍ପଣ କରାଯାଇଥାଏ। ଶେଷରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ମଲପୁଆ, ଗଜା, ବୁଢା ଚକୁଳି ଭଳି ଭୋଗ ଅର୍ପଣ କରାଯାଇଥାଏ । ଏହି ଦିନକୁ ନିଷ୍ଠାର ସହ ପାଳନ କଲେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଦୀର୍ଘ ନିରୋଗ ଆୟୁଷ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Tags: