ଆଜି କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର : ଆଜି ହେଉଛି ଓଡ଼ିଶାର ଆଉ ଏକ ଗଣପର୍ବ କୁମାର ପୂର୍ଣ୍ଣିମା । ଏହି ପୂର୍ଣ୍ଣିମା ଠାରୁ ଶରତଋତୁ ଆରମ୍ଭ ହେଉଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିଜସ୍ୱ ପରମ୍ପରା ଅନୁଯାୟୀ ଏହାକୁ ପାଳନ କରାଯାଏ । କେତେକ ସ୍ଥାନରେ କୁଆଁରୀ ଝିଅମାନେ ବଡି ଭୋରରୁ ନୂଆ ଡ୍ରେସ ପିନ୍ଧି ସୂର୍ଯ୍ୟଙ୍କୁ ୭ ଥର ଆଞ୍ଜୁଳା ଟେକିବା ସହିତ ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ଅନ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଆଜି ହେଉଛି ଓଡ଼ିଶାର ଆଉ ଏକ ଗଣପର୍ବ କୁମାର ପୂର୍ଣ୍ଣିମା । ଏହି ପୂର୍ଣ୍ଣିମା ଠାରୁ ଶରତଋତୁ ଆରମ୍ଭ ହେଉଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିଜସ୍ୱ ପରମ୍ପରା ଅନୁଯାୟୀ ଏହାକୁ ପାଳନ କରାଯାଏ । କେତେକ ସ୍ଥାନରେ କୁଆଁରୀ ଝିଅମାନେ ବଡି ଭୋରରୁ ନୂଆ ଡ୍ରେସ ପିନ୍ଧି ସୂର୍ଯ୍ୟଙ୍କୁ ୭ ଥର ଆଞ୍ଜୁଳା ଟେକିବା ସହିତ ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ଅନ୍ୟ କେତେକ ସ୍ଥାନରେ ଘରର ସମସ୍ତ ସଦସ୍ୟ ନୂଆ ଲୁଗା ପିନ୍ଧି ସନ୍ଧ୍ୟାବେଳେ ଚାନ୍ଦ ପୂଜା କରିବା ସହିତ ଖଇ ଓ ଉଖୁଡା ଆଞ୍ଜୁଳି ଟେକି ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି।

ଏହିଦିନ ସମସ୍ତ କୁଆଁରୀ ଝିଅମାନେ ଉପବାସ ରଖି ସନ୍ଧ୍ୟାରେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି। ଚାନ୍ଦ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା। ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହି ଚକଟାକୁ ଏକ ଥାଳିରେ ସମ୍ପୂର୍ଣ୍ଣ ନିଖୁଣ ଭାବରେ ଗୋଲାକାର କରି ଅବିକଳ ଚନ୍ଦ୍ରଙ୍କ ଭଳି କରାଯାଇଥାଏ । ଏହାକୁ ଚାନ୍ଦ ଚକଟା ବୋଲି କୁହାଯାଏ । ଲୋକ କଥା ଅନୁସାରେ କୁହାଯାଏ ଯାହାର ଚାନ୍ଦ ଯେତେ ଅଧିକ ସୁନ୍ଦର ଆକାର ହେବ ତାକୁ ସେତେ ସୁନ୍ଦର ବର ମିଳିବ । ତେଣୁ ଚାନ୍ଦ ତିଆରି କରିବା ପାଇଁ କୁମାରୀ ଝିଅ ମାନଙ୍କ ଭିତରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଥାଏ । ଏହି ଚକଟାକୁ ଚନ୍ଦ୍ରଙ୍କ ନିକଟରେ ପୂଜାପରେ ସମସ୍ତ ଝିଅ ମାନେ ସେହି ଚକଟାକୁ ସେବନ କରନ୍ତି ।

ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି ।

ଓଡ଼ିଶା ସହ ଏହି ପର୍ବକୁ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସ‌ହକାରେ ପାଳନ କରାଯାଇଥାଏ ।

Tags: