ଆଜି ହେରା ପଞ୍ଚମୀ,ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମହାଲକ୍ଷ୍ମୀ
ପୁରୀ : ଆଜି ପବିତ୍ର ହେରାପଞ୍ଚମୀ । ଅଭିମାନ କରି ଆଜି ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଏହି ଦିନକୁ ହେରାପଞ୍ଚମୀ ଭାବେ ପାଳନ କରାଯାଏ । ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ନନେଇ ପ୍ରଭୁ ଜଗନ୍ନାଥ ଭାଇ,ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ମାଉସୀ ଘର ଚାଲିଆସିବା କାରଣରୁ ମା’ଲକ୍ଷ୍ମୀ ରାଗିଯାଇ ରଥ ଭାଙ୍ଗିବାର ବିଧି ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାରେ ଏହାକୁ […]
ପୁରୀ : ଆଜି ପବିତ୍ର ହେରାପଞ୍ଚମୀ । ଅଭିମାନ କରି ଆଜି ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଏହି ଦିନକୁ ହେରାପଞ୍ଚମୀ ଭାବେ ପାଳନ କରାଯାଏ । ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ନନେଇ ପ୍ରଭୁ ଜଗନ୍ନାଥ ଭାଇ,ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ମାଉସୀ ଘର ଚାଲିଆସିବା କାରଣରୁ ମା’ଲକ୍ଷ୍ମୀ ରାଗିଯାଇ ରଥ ଭାଙ୍ଗିବାର ବିଧି ରହିଛି ।
ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାରେ ଏହାକୁ ସ୍ଥାନ ଦେଇଛନ୍ତି ମହାପ୍ରଭୁ। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ଏହାକୁ ନେଇ ମା’ସାଆନ୍ତାଣୀ ବ୍ଯସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ ।
ପାଳିଆ ମହାଜନ ମାଆ ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ । ଘଣ୍ଟ, ଛତା, ପଟୁଆରରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।
ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ହୋଇଛନ୍ତି । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ।
ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।




