ଆଜି ପହିଲି ରଜ ,ପିଠା ମିଠା ପାନ ସହ ସବୁଠି ଜମୁଛି ଆସର

ଭୁବନେଶ୍ୱର : ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଓଡିଶା ମୁଖ୍ୟତଃ ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ,ପାଳନ ହେଉଥିବା ସମସ୍ତ ପର୍ବ ପର୍ବାଣି କୃଷି ସହିତ ଜଡିତ ଥାଏ । ସେହିଭଳି ଓଡ଼ିଆ ନବ ବର୍ଷ ଆରମ୍ଭରେ ପ୍ରଥମ ଗଣ ପର୍ବ ମଧ୍ୟରେ ରଜ ପର୍ବ ପାଳନ କରାଯାଇଥାଏ । ଏହା ମାଟି ମା’ର ପର୍ବ । ବସୁମତୀ ମାତା ଏହି ସମୟରେ ରଜସ୍ୱଳା ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । […]

ଆଜି ପହିଲି ରଜ ,ପିଠା ମିଠା ପାନ ସହ ସବୁଠି ଜମୁଛି ଆସର
Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଓଡିଶା ମୁଖ୍ୟତଃ ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ,ପାଳନ ହେଉଥିବା ସମସ୍ତ ପର୍ବ ପର୍ବାଣି କୃଷି ସହିତ ଜଡିତ ଥାଏ । ସେହିଭଳି ଓଡ଼ିଆ ନବ ବର୍ଷ ଆରମ୍ଭରେ ପ୍ରଥମ ଗଣ ପର୍ବ ମଧ୍ୟରେ ରଜ ପର୍ବ ପାଳନ କରାଯାଇଥାଏ । ଏହା ମାଟି ମା’ର ପର୍ବ । ବସୁମତୀ ମାତା ଏହି ସମୟରେ ରଜସ୍ୱଳା ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ରଜସ୍ୱଳା ଅର୍ଥ ଋତୁମତି । ଏହି ୩ ଦିନ ବସୁମତୀ ମାତା ବା ପୃଥିବୀକୁ ସମର୍ପିତ । ରଜ ତିନିଦିନ ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ଅର୍ଥାତ ବିଲକୁ ହଳ ବାରଣ କରାଯାଇଥାଏ । ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଏହି ୩ ଦିନ ମାଟି ମା’ ରଜସ୍ୱଳା ହୋଇଥିବାରୁ ଧରଣୀ ମା’କୁ କଷ୍ଟ ନଦେଇ ଭୂମି ବିଶ୍ରାମ ଦିଆଯିବାର ପରମ୍ପରା ରହିଛି । ସେଥିପାଇଁ ରଜ ୩ ଦିନ ପାଳନ କରି ଶେଷ ଦିନକୁ ବସୁମତୀ ସ୍ନାନ କରାଯାଏ ।

ସେହି ଭଳି ପରମ୍ପରା ଅନୁସାରେ ଏହି ରଜ ତିନି ଦିନ ମହିଳାଙ୍କୁ ଓ ଝିଅମାନଙ୍କୁ କୌଣସି କାମ କରିବାକୁ ଦିଆଯାଏ ନାହିଁ । ମହିଳାଙ୍କୁ ସମ୍ମାନ ପୂର୍ବକ ପାଳନ ହେଉଥିବା ଏହି ପର୍ବରେ ମାତା ବସୁମତୀଙ୍କୁ ବିଶ୍ରାମ ଦିଆଯିବା ସହ ମହିଳାମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଏ ।

ସେହି ଅନୁସାରେ ଆଜି ପହିଲି ରଜ । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକନେଇ ଏହି ପର୍ବ ଆସିଥାଏ । ଏହାର ପୂର୍ବଦିନ ହେଉଛି ସଜବାଜ । ଅର୍ଥାତ ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ପ୍ରଥା ଅନୁସାରେ,ରଜ ପର୍ବ ପାଳନ ପୂର୍ବ ଦିନ କଟା,ବଟା ଠାରୁ ଆରମ୍ଭ କରି ପିଠା ପଣାର ଆଣ ଇତ୍ୟାଦି ପ୍ରସ୍ତୁତ କରି ରଖାଯାଇଥାଏ । ଝିଅ ବୋହୂମାନେ ହାତରେ ମେହେନ୍ଦି ଇତ୍ୟାଦି ଲଗାଇ ବିଭିନ୍ନ ପ୍ରକାର ସଜ ହୋଇଥାନ୍ତି । ପହିଲି ରଜ ଦିନ ସକାଳୁ ସକାଳୁ ଘରର ସ୍ତ୍ରୀ ଲୋକ ମାନେ ଗାଧୁଆ ପାଧୁଆ ସାରି ନୂଆ ଲୁଗା ପିନ୍ଧି ସଜେଇ ହୋଇ ପିଠା ପଣାରେ ଲାଗି ପଡନ୍ତି । ଗାଁରୁ ସହର ସବୁଠି ଲାଗେ ଉତ୍ସବମୁଖର । ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ଜମି ଥାଏ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ ଆକର୍ଷଣ ସୃଷ୍ଟି କରିଥାଏ ।

ବର୍ତ୍ତମାନ ସମୟ ଅନୁସାରେ ସବୁକିଛି ବଦଳିଥିଲେ ମଧ୍ୟ ରଜ ପର୍ବର ଆକର୍ଷଣ ଗାଁ ରୁ ସହର ସବୁ ଜାଗାରେ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ଅବସରରେ ରଜ ମହୋତ୍ସବ ଆୟୋଜନ ହେଉଛି । ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗିତା ମଧ୍ୟ ହେଉଛି । ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳିଛି । ବିଶେଷ କରି ଭଳି କି ଭଳି ମିଠା ମସଲା ଯୁକ୍ତ ପାନ, ରଜର ଆକର୍ଷଣକୁ ଅଧିକ ବଢାଇ ଦେଇଥାଏ ।

Tags: