ଥାନା ଭିତରେ ମହିଳାଙ୍କୁ ଘୋଷାରିନେବା ଘଟଣାରେ ୩ ପୋଲିସ କର୍ମଚାରୀଙ୍କ ବଦଳି

ଚାନ୍ଦବାଲି : ଥାନା ଭିତରେ ମହିଳାଙ୍କୁ ଅସଦାଚରଣ ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ବଦଳି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ପୁରୁଷ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲା ପୋଲିସ ହେଡ଼ କ୍ୱାଟର୍ସକୁ ବଦଳି କରାଯାଇଛି । ଜଣେ କନେଷ୍ଟବଳ,ଜଣେ ଏଏସଆଇ ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରକୁ ତୁରନ୍ତ ବଦଳି ନିର୍ଦେଶ ଦିଆଯାଇଛି । ଏନେଇ ଚାନ୍ଦବାଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ଗତ ୨୫ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା […]

Samaya Live Picture
Published On

ଚାନ୍ଦବାଲି : ଥାନା ଭିତରେ ମହିଳାଙ୍କୁ ଅସଦାଚରଣ ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ବଦଳି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ପୁରୁଷ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲା ପୋଲିସ ହେଡ଼ କ୍ୱାଟର୍ସକୁ ବଦଳି କରାଯାଇଛି । ଜଣେ କନେଷ୍ଟବଳ,ଜଣେ ଏଏସଆଇ ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରକୁ ତୁରନ୍ତ ବଦଳି ନିର୍ଦେଶ ଦିଆଯାଇଛି । ଏନେଇ ଚାନ୍ଦବାଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ଗତ ୨୫ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଏହି ଅଶୋଭନୀୟ ଘଟଣା ଘଟିଥିଲା । ସାମାନ୍ୟ ଘଟଣାରୁ ମହିଳା ଏବଂ କନେଷ୍ଟବଳଙ୍କ ବଚସାରୁ ଆରମ୍ଭ ହୋଇଥିଲା ବର୍ବରତା ।

ସୂଚନାନୁସାରେ, ଗତ ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଏନଏସି ଅଞ୍ଚଳର ଜନୈକା ମହିଳାଙ୍କ ସ୍ୱାମୀଙ୍କୁ ଚାନ୍ଦବାଲି ପୁଲିସ ଥାନାକୁ ଡକାଇଥିଲା। ତେବେ ଅନେକ ସମୟଧରି ସ୍ୱାମୀ ଘରକୁ ନ ଫେରିବାରୁ ମହିଳା ଜଣକ ତାଙ୍କ ୪ ବର୍ଷିଆ ଝିଅକୁ ନେଇ ସ୍ଵାମୀଙ୍କୁ ଦେଖା କରିବା ପାଇଁ ଥାନାକୁ ଯାଇଥିଲେ। ସେହି ସମୟରେ ତାଙ୍କ ଝିଅ ଏକ ଚପଲ ଖୋଳରେ ଖେଳୁ ଖେଳୁ ଏହାକୁ ଥାନା ପରିସରରେ ପକାଇ ଦେଇଥିଲା। ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ । ମହିଳା ଜଣକ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କନଷ୍ଟେବଳ ଉକ୍ତ ମହିଳାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା । ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୁଲିସ୍‌ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍‌ ବାହାରେ ଛାଡ଼ି ଦେଇଥିଲେ। ଏହି ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ତେବେ ଏହି ସବୁ ଘଟଣାର ଦୃଶ୍ୟ ସୋଶାଲ ମିଡିଆ ଭାଇରାଲ ହେବାପରେ ଘଟଣା ପଦାକୁ ଆସିଥିଲା । ମହିଳା ପୁଲିସ୍ କର୍ମଚାରୀଙ୍କ ବଦଳରେ ପୁରୁଷ ପୁଲିସ୍ କର୍ମଚାରୀ ମହିଳାଙ୍କୁ ଘୋଷାଡି ନେଉଥିବା ଘଟଣାରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଚାନ୍ଦବାଲି ଏସଡିପିଓଙ୍କ ସୂଚନାନୁସାରେ,ଏହି ନିନ୍ଦନୀୟ ଘଟଣାରେ ଅଭିଯୁକ୍ତ ୩ ପୁଲିସ କର୍ମଚାରୀଙ୍କୁ ଭଦ୍ରକ ହେଡକ୍ୱାଟର୍ସକୁ ପ୍ରାଥମିକ ବଦଳି କରାଯାଇଛି, ପରେ ତଦନ୍ତ କରାଯାଇ ସେମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Tags: