ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ପରିମାଣରେ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ବୃଦ୍ଧି ହେଲା ମିଶନ ଶକ୍ତି ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କାର୍ଯ୍ୟ କର୍ତ୍ତାଙ୍କର ବୈଠକ ଦେୟ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ଦିଗରେ ଏହି ଫେଡେରେସନ ମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି I ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
ଭୁବନେଶ୍ୱର : ବୃଦ୍ଧି ହେଲା ମିଶନ ଶକ୍ତି ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କାର୍ଯ୍ୟ କର୍ତ୍ତାଙ୍କର ବୈଠକ ଦେୟ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ଦିଗରେ ଏହି ଫେଡେରେସନ ମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି I
ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରେସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେଶନର ସଭାପତି ଏ ସମ୍ପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।
ବ୍ଲକସ୍ତରୀୟ ଫେଡେରେଶନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ।
ସେହିପରି ପଞ୍ଚାୟତସ୍ତରୀୟ ଫେଡେରଶନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବାବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧,୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ। ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରେଶନ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରେଶନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪। ଏହିପରି ମୋଟ୍ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।




