୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ
ଭୁବନେଶ୍ୱର : ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ତାଲିକା ଜାରି କରିଛନ୍ତି। ଏଥିରେ ମୋଟ୍ ୩୦ଟି ଛୁଟି ଦିବସ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ୪୬ଟି ରବିବାର ଏବଂ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ । ସବୁ ଛୁଟିକୁ ମିଶାଇଲେ ୨୦୨୪ କ୍ୟାଲେଣ୍ଡର ବର୍ଷରେ ମୋଟ୍ ୯୯ଟି ଛୁଟିଦିନ ମିଳିବ […]
ଭୁବନେଶ୍ୱର : ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ତାଲିକା ଜାରି କରିଛନ୍ତି। ଏଥିରେ ମୋଟ୍ ୩୦ଟି ଛୁଟି ଦିବସ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ୪୬ଟି ରବିବାର ଏବଂ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ । ସବୁ ଛୁଟିକୁ ମିଶାଇଲେ ୨୦୨୪ କ୍ୟାଲେଣ୍ଡର ବର୍ଷରେ ମୋଟ୍ ୯୯ଟି ଛୁଟିଦିନ ମିଳିବ ବୋଲି ବିଭାଗ ଦର୍ଶାଇଛି ।
ପ୍ରକାଶିତ ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି। କର୍ମଚାରୀମାନେ ଏହି ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ଛୁଟି ନେଇପାରିବେ। ଜାନୁୟାରୀ ୧୭ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ,ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ,ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର,ମେ’୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ,ଜୁଲାଇ ୧୫ରେ ବାହୁଡ଼ାଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରାଯାଇଛି ।
ସେହିପରି ୨୦୨୪ ଏପ୍ରିଲ ୭ ରବିବାରରେ ‘ସବ୍-ଇ-କଦର’,ନଭେମ୍ବର ୧୦ ରବିବାରରେ ଅଁଳାନବମୀ ଓ ନଭେମ୍ବର ୨୩ ଚତୁର୍ଥ ଶନିବାରରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ଏହିସବୁ ଇଚ୍ଛାଧୀନ ଛୁଟି ପ୍ରଭାବିତ ହୋଇଛି।
ରବିବାର ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଜୁଲାଇ ୭ ରବିବାର ରଥଯାତ୍ରା,ସେପ୍ଟେମ୍ବର ୮ ରବିବାରରେ ନୂଆଖାଇ,ଅକ୍ଟୋବର ୧୨ରେ ଦ୍ୱିତୀୟ ଶନିବାର ମହାନବମୀ ଓ ଅକ୍ଟୋବର ୧୩ ରବିବାର ବିଜୟାଦଶମୀ ପଡ଼ୁଛି। ଏସବୁ ଦିନଗୁଡ଼ିକ ସାଧାରଣତଃ ଛୁଟି ଦିବସ ଘୋଷଣା ହୋଇଥାଏ।
ଏହି ଛୁଟିଦିନଗୁଡ଼ିକୁ ବାଦ୍ ଦେଲେ ରାଜ୍ୟ କର୍ମଚାରୀମାନଙ୍କୁ ୪୬ଟି ରବିବାର ଏବଂ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ। ସରକାରୀ କର୍ମଚାରୀଙ୍କୁ ମୋଟ ଉପରେ ୩୦ଟି ସରକାରୀ ଛୁଟିଦିନ, ଗୋଟିଏ ଇଚ୍ଛାଧୀନ ଛୁଟି ସମେତ ରବିବାର ଓ ଶନିବାର(ଦ୍ୱିତୀୟ ଓ ଚତୁର୍ଥ)ରେ ୬୮ଟି ଛୁଟିଦିନ ମିଶାଇ ମୋଟ ୯୯ଟି ଛୁଟିଦିନ ମିଳିବ। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତିରେ ରାଜ୍ୟରେ ଥିବା ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକ ନିମନ୍ତେ ୨୦ଟି ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି।




