‘ମୋନ୍ଥା’ର ଗତିପଥକୁ ନେଇ ଚାଲିଛି ମନ୍ଥନ
ଆଜିଠାରୁ ରାଜ୍ୟରେ ପ୍ରବଳବର୍ଷା ସମ୍ଭାବନା ଭୁବନେଶ୍ୱର : ଆସୁଛି ବାତ୍ୟା ‘ମୋନ୍ଥା’। ଆଜିଠୁ ବଦଳି ଯିବ ପାଗ । ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ବେଳେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ନେଇ ଆକଳନ କରାଯାଇନାହିଁ । […]
ଆଜିଠାରୁ ରାଜ୍ୟରେ ପ୍ରବଳବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସୁଛି ବାତ୍ୟା ‘ମୋନ୍ଥା’। ଆଜିଠୁ ବଦଳି ଯିବ ପାଗ । ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ବେଳେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ନେଇ ଆକଳନ କରାଯାଇନାହିଁ ।
ପାଣିପାଗ ଆକଳନ ଅନୁସାରେ,ଲଘୁଚାପଟି ୨୭ ତାରିଖ ସୋମବାର ସକାଳ ୮ଟା ବେଳକୁ ବାତ୍ୟାର ରୂପ ନେବା ପରେ ଏହା କେଉଁଆଡ଼େ ମୁହାଁଇବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ବି ଆକଳନ କରାଯାଇନି। ଡିପ୍ରେସନ ପରେ ଆଜି ହିଁ ଏହା ସ୍ପଷ୍ଟ ହୋଇଯିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଦେଇ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ।
ଅନ୍ୟପଟେ ବାତ୍ୟା ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ହେବ ଅତିପ୍ରବଳ ବର୍ଷା । ଏନେଇ ସୂଚନା ପ୍ରଦାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜିଠୁ ପାଗ ବଦଳୁ ଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆ ଯାଇଛି ସମାନ ଚେତାବନୀ।
ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି।




