ସାଇକେଲରେ ବୁହା ହେଲା ମୃତଦେହ
ବାଲେଶ୍ବର : ରାଜ୍ୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏକ ମୃତଦେହକୁ ତାଙ୍କର ସମ୍ପର୍କୀୟମାନେ ପ୍ରାୟ ୧୫କିମି ରାସ୍ତା ସାଇକେଲରେ ବୁହାଇଛନ୍ତି । ଘଟଣାଟି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘଟିଛି । ସୂଚନା ଅନୁସାରେ ଉକ୍ତ ସ୍ଥାନରେ ଘର ଛାତ ପକେଇବାକୁ ନେଇ ଜମିବାଡ଼ି ବିବାଦ ଉପୁଜିଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ମାନସ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କର ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ହୋଇଥିବାବେଳେ ଶକୁନ୍ତଳା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଛନ୍ତି । ତେବେ ଗତ ୧୦ତାରିଖରେ କମଳାଙ୍କର ମୃତ୍ୟୁ ହୋଇଥିବାବେଳେ ଖଇରା ପୁଲିସ୍ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ହେଲେ ପୋଲିସ ତଦନ୍ତରେ ଅସନ୍ତୋଷ ଥିବା ପରିବାରଲୋକ ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୃତଦେହକୁ ସାଇକେଲରେ ବୋହି ଖଇରା ଥାନାରେ ପହଞ୍ଚିଥିଲେ । ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ବୁଝାସୁଝା କରାଯାଇଥିବା ସୂଚନା ମିଳିଛି ।




