ବୁଧବାରଠୁ ଓଡ଼ିଶାରେ ହବାକୁ ଯାଉଛି ୫ ଦିନିଆ ମେକ୍ଇନ୍ ଓଡ଼ିଶା ସମ୍ମିଳନୀ
ଭୁବନେଶ୍ୱର : ଆସନ୍ତା କାଲି ଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ୫ଦିନିଆ ମେକ୍ଇନ୍ ଓଡ଼ିଶା ସମ୍ମିଳନୀ I ଏହି ସମ୍ମିଳନୀ ଜନତା ମୈଦାନରେ ନଭେମ୍ବର ୩୦ ରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ I ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ୧ ତାରିଖରେ ପ୍ଲେନାରି ସେସନ ହେବ। ଏଥିରେ ଯୋଗ ଦେବେ ଦେଶର ବହୁ ନାମୀଦାମୀ ଶିଳ୍ପ ସମ୍ରାଟ I ମେକ୍ ଇନ ଓଡ଼ିଶାର ବିଷୟବସ୍ତୁ […]
ଭୁବନେଶ୍ୱର : ଆସନ୍ତା କାଲି ଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ୫ଦିନିଆ ମେକ୍ଇନ୍ ଓଡ଼ିଶା ସମ୍ମିଳନୀ I ଏହି ସମ୍ମିଳନୀ ଜନତା ମୈଦାନରେ ନଭେମ୍ବର ୩୦ ରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ I ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ୧ ତାରିଖରେ ପ୍ଲେନାରି ସେସନ ହେବ। ଏଥିରେ ଯୋଗ ଦେବେ ଦେଶର ବହୁ ନାମୀଦାମୀ ଶିଳ୍ପ ସମ୍ରାଟ I
ମେକ୍ ଇନ ଓଡ଼ିଶାର ବିଷୟବସ୍ତୁ ଆଧାରିତ ଅଧିବେଶନ ପ୍ଲେନାରି ହଲ୍ରେ ଆୟୋଜିତ ହେବ ଏବଂ ଏହାକୁ ‘ଷ୍ଟାର୍ଟଅପ୍ସ୍’ ପାରାଡାଇମ୍ ସିଫ୍ଟ ଆଣ୍ଡ ଦି ରୋଡ ଆହେଡ’ ଶୀର୍ଷକ ବିଷୟ ଆଧାରରେ ଷ୍ଟାର୍ଟଅପ୍ ଓଡ଼ିଶା ଆୟୋଜନ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଉତ୍ସବରେ ଯୋଗଦେବା ଆଶା କରାଯାଉଛି। ଏମଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଡଃ.ଓମ୍କାର ରାୟ, ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ, ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଶାଶ୍ୱତ ମିଶ୍ର, ପ୍ରମୁଖ ଶାସନ ସଚିବ, ଏସଏମ୍ଏମଇ, ଓଡ଼ିଶା ସରକାରଙ୍କ ମାର୍ଗଦର୍ଶନରେ ଏହି ଅଧିବେଶନ ପରିଚାଳିତ ହେବ।
ଶିଳ୍ପକ୍ଷେତ୍ରର ବହୁ ଖ୍ୟାତନାମା ବ୍ୟକ୍ତିବିଶେଷ ଯଥା ଏଚସିଏଲ ଟେକ୍ନୋଲୋଜିସ୍ର ସହପ୍ରତିଷ୍ଠାତା ପଦ୍ମଭୂଷଣ ଅଜୟ ଚୌଧରୀ, ଆଇଏଏନର ପ୍ରତିଷ୍ଠାତା ସହଯୋଗୀ ପଦ୍ମଜା ରୁପାରେଲ, ଇଣ୍ଡିଆ କ୍ୟାପିଟାଲର ପ୍ରତିଷ୍ଠାତା ରାଜ ମିଶ୍ର, ଲେଟ୍ସଭେଞ୍ଚରର ସହ ପ୍ରତିଷ୍ଠାତା ତଥା ସିଇଓ ଶାନ୍ତି ମୋହନ, ପୋନଟାକ, ଏମଡି ପ୍ରେମ ପାର୍ଥସାରଥି, ସିଫଣ୍ଡର ଏମଡି ମନୋଜ କୁମାର ଅଗରୱାଲ, ୟୁନିକର୍ଣ୍ଣ ଇଣ୍ଡିଆର ପ୍ରତିଷ୍ଠାତା ତଥା ଏମଡି ଅନିଲ ଯୋଶୀ ପ୍ରମୁଖ ଯୋଗଦେବେ।
ମେକ ଇନ ଓଡ଼ିଶା ସମ୍ମିଳନୀ କେବଳ ଷ୍ଟାର୍ଟଅପ୍ ଶିଳ୍ପ ନୁହେଁ, କୃଷି ପ୍ରଯୁକ୍ତି, ଖାଦ୍ୟ ଓ ପାନୀୟ, ସ୍ବାସ୍ଥ୍ୟସେବା, ଉତ୍ପାଦନ ଏବଂ ଅଣ ଆଇଟି ଷ୍ଟାର୍ଟଅପ୍ କ୍ଷେତ୍ରକୁ ମଧ୍ୟ ଯୋଗଦାନ ରଖିବ। ଦେଶ ଛଡ଼ା ବିଦେଶରୁ ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ନିବେଶ ଆଣିବା ଏହି ସମ୍ମିଳନୀର ଅନ୍ୟତମ ଲକ୍ଷ୍ୟ। ଏଥିପାଇଁ ସମ୍ମିଳନୀର ସହଯୋଗୀ ରାଷ୍ଟ୍ର ଭାବେ ଜର୍ମାନି, ନରୱେ ଓ ଜାପାନକୁ ରଖାଯାଇଛି। ପ୍ରଥମ ଦିବସରେ ଦୁଇଟି ଦଳଗତ ଆଲୋଚନା ରହିଛି, ଯେଉଁଥିରେ ଗୋଟିଏ ନିବେଶକମାନଙ୍କ ଦ୍ୱାରା ଏବଂ ଅନ୍ୟଟି ୟୁନିକର୍ନମାନଙ୍କ ଦ୍ୱାରା ଆୟୋଜନ କରାଯିବ। ଏହି ଦଳଗତ ଆଲୋଚନାକୁ ମାଧବନ ନାୟାର, ପ୍ରାକ୍ତନ ବରିଷ୍ଠ ସଂପାଦକ, ହିନ୍ଦୁସ୍ତାନ ଟାଇମ୍ସ, ନୂଆଦିଲ୍ଲୀ ସଂଚାଳନ କରିବେ। ଦ୍ୱିତୀୟ ଦଳଗତ ଆଲୋଚନା ୟୁନିକର୍ନମାନଙ୍କୁ ନେଇ ଆୟୋଜିତ ହେବ ଯାହାର ଶୀର୍ଷକ ରହିଛି ‘ଔଦ୍ୟୋଗିକତା-ନୂତନ ଓଡ଼ିଶାର ସାରତତ୍ତ୍ୱ’। ଏହାକୁ ଡଃ.ଓମ୍କାର ରାୟ, ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ, ଷ୍ଟାର୍ଟଅପ୍ ଓଡ଼ିଶା ସଂଚାଳନ କରିବେ।
ସରକାର ମଧ୍ୟ ବିଭିନ୍ନ ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର ସମ୍ପର୍କରେ ଘୋଷଣା କରିବେ । ଷ୍ଟାର୍ଟଅପ୍ ଏବଂ ଇନ୍କ୍ୟୁବେଟରଗୁଡିକୁ ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ଏହି ଅବସରରେ ଘୋଷଣା କରାଯିବ । ପ୍ରଥମ ଦିନର ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେବ ଷ୍ଟାର୍ଟଅପ୍ ଯାତ୍ରା ପୁରସ୍କାର ଘୋଷଣା ଏବଂ ପ୍ରଦାନ।




