ସକାଳୁ ସକାଳୁ ତତଲା ମାଡ଼, ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର : ସକାଳ ନ ହେଉଣୁ ପାରଦ ପହଞ୍ଚିଲାଣି ମୁଣ୍ଡ ଉପରେ I ଗରମ ସାଙ୍ଗକୁ ଝାଳରେ ଆକ୍ତାମାକ୍ତା ଜନଜୀବନ I ଆଗକୁ ଆହୁରି ଭୟଙ୍କର ହେବ ତାତି I ୧୮ ତାରିଖ ଗୁରୁବାର ତାତି ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବରୁ ସୂଚନା ଦେଇଛି ଭୁବନେଶ୍ୱର ପାଇପାଗ ବିଭାଗ I ସେପରି ଆଜି ସକାଳ ସାଢେ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ୩୫.୮ ଡିଗ୍ରୀ ସହ ତାଳଚେର […]
ଭୁବନେଶ୍ୱର : ସକାଳ ନ ହେଉଣୁ ପାରଦ ପହଞ୍ଚିଲାଣି ମୁଣ୍ଡ ଉପରେ I ଗରମ ସାଙ୍ଗକୁ ଝାଳରେ ଆକ୍ତାମାକ୍ତା ଜନଜୀବନ I ଆଗକୁ ଆହୁରି ଭୟଙ୍କର ହେବ ତାତି I ୧୮ ତାରିଖ ଗୁରୁବାର ତାତି ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବରୁ ସୂଚନା ଦେଇଛି ଭୁବନେଶ୍ୱର ପାଇପାଗ ବିଭାଗ I ସେପରି ଆଜି ସକାଳ ସାଢେ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଆଗକୁ ଆହୁରି ଭୟଙ୍କର ହେବ ଗ୍ରୀଷ୍ମ ପ୍ରବାହ I ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ପବନ ମାଡ଼ ହେବ I ୧୭ ରୁ ୨୦ ଯାଏଁ ତାତି ଅଧିକ ରହିବ I ଏହି ସମୟରେ ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ କେତେକ ସ୍ଥାନରେ ଏହା ୪୫ ଡିଗ୍ରୀ ଯାଏଁ ପହଞ୍ଚିବ I ତେବେ ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ସତର୍କ ବାଣୀ କରିଛି I
ଆନ୍ୟପଟ ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି ଜିଲ୍ଲା । ତେଣୁ ଏହି ୪ ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।
ଆଗାମୀ ୫ ଦିନ ଯାଏଁ ଦିନରେ ଖରା ଓ ରାତିର ଗରମ ଲୋକଙ୍କୁ ନାକେଦମ୍ କରିବ । ଆଜି ଓ ଆସନ୍ତାକାଲି ମୁଖ୍ୟତଃ ପାଗ ଶୁଖିଲା ରହିବ । ତେବେ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ଯାଏଁ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା ସହ କିଛି ସ୍ଥାନରେ ୪୨ରୁ ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ମୁଖ୍ୟ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କାଳବୈଶାଖୀ ବର୍ଷା ଯୋଗୁଁ ଦିନରେ ତାତି ଓ ଅପରାହ୍ଣରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଆଜି ବାରିପଦାର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳରେ ତାପମାତ୍ରା ୪୪ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୂଚନାନୁସାରେ,ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ୩ ଦିନ ପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି I ଆସନ୍ତା ୨୨ ତାରିଖ ବେଳକୁ ସ୍କୁଲ ଖୋଲିବାକୁ ଥିବାବେଳେ ଶିକ୍ଷକ ମାନେ କିନ୍ତୁ ନିୟମିତ ସ୍କୁଲ ଆସିବେ ବୋଲି ନିର୍ଦେଶ ଦିଆଯାଇଛି I




