ମୁକୁଳା ଡ୍ରେନରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ
ବ୍ରହ୍ମପୁର : ପୁଣି କାଳ ସାଜିଲା ମୁକୁଳା ଡ୍ରେନ। ବର୍ଷା ପାଣିସୁଅରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ । ଟ୍ୟୁସନ ସାରି ଫେରିବା ବେଳେ ଡ୍ରେନ ପାଣିରେ ଭାସିଯାଇଥିଲେ ୧୦ ବର୍ଷର ଛାତ୍ର ସାଇରାମ ପାତ୍ର । ପ୍ରାୟ ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହରର ବଡ଼ବଜାର ଅଞ୍ଚଳରେ। ସୂଚନାନୁସାରେ,ଗତକାଲି ରାତି ୮ଟା ବେଳେ ଟ୍ୟୁସନ ସାରି ବଡ଼ବଜାର […]
ବ୍ରହ୍ମପୁର : ପୁଣି କାଳ ସାଜିଲା ମୁକୁଳା ଡ୍ରେନ। ବର୍ଷା ପାଣିସୁଅରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ । ଟ୍ୟୁସନ ସାରି ଫେରିବା ବେଳେ ଡ୍ରେନ ପାଣିରେ ଭାସିଯାଇଥିଲେ ୧୦ ବର୍ଷର ଛାତ୍ର ସାଇରାମ ପାତ୍ର । ପ୍ରାୟ ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହରର ବଡ଼ବଜାର ଅଞ୍ଚଳରେ।
ସୂଚନାନୁସାରେ,ଗତକାଲି ରାତି ୮ଟା ବେଳେ ଟ୍ୟୁସନ ସାରି ବଡ଼ବଜାର ଘରକୁ ଫେରିଥିଲେ ସାଇରାମ । ଏହା ପରେ ସାଇକେଲ ଧରି ଘରୁ ବାହାରକୁ ଯାଇଥିଲେ। ଗତକାଲି ବ୍ରହ୍ମପୁରରେ ପ୍ରବଳ ବର୍ଷା ପରେ ନାଳ ପାଣି ରାସ୍ତା ଉପରକୁ ଉଠି ଆସିଥିଲା । ଫଳରେ ରାସ୍ତା ଓ ନାଳ ଜଣାପଡ଼ୁ ନ ଥିଲା। ଏହି ସମୟରେ ସାଇରାମ ଘରକୁ ଫେରୁଥିବାବେଳେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଦୀର୍ଘ ସମୟ ଧରି ଘର ଲୋକ ଖୋଜାଖୋଜି କରିବା ପରେ ସାଇରାମଙ୍କ ପତ୍ତା ମିଳିନଥିଲା। ପରେ ନାଳ ନିକଟରେ ସ୍ଥାନୀୟ ଲୋକେ ସାଇକଲେ ଉଦ୍ଧାର କରିଥିଲେ। ଏହାଦେଖି ବିଏମ୍ସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଅଗ୍ନିଶମ ବାହିନୀ ଦୀର୍ଘ ୪ ଘଣ୍ଟା ଧରି ଖୋଜାଖୋଜି ପରେ ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଅଣାଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି I




