ଆଜି ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା
ଭୁବନେଶ୍ୱର : ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଗୁଣ୍ଡିଚା ମନ୍ଦିର ଛାଡି ଶ୍ରୀ ମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜୀଉ I ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ଜନ ସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ସୋମବାର ରଥାରୂଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା […]
ଭୁବନେଶ୍ୱର : ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଗୁଣ୍ଡିଚା ମନ୍ଦିର ଛାଡି ଶ୍ରୀ ମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜୀଉ I ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ଜନ ସମୁଦ୍ର ପାଲଟିଛି ବଡ଼ଦାଣ୍ଡ ।
ସୋମବାର ରଥାରୂଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ପରମ୍ପରା ଅନୁସାରେ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଦିନ ୧୨ଟାରେ ପହଣ୍ଡି ଆରମ୍ଭ ହେବ । ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।
ରବିବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି। ଲମ୍ବା ଧାଡ଼ିରେ ବ୍ୟାରିକେଡ୍ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡ଼ପ ଅବଢ଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବେଶ୍ ଭିଡ଼ ଜମାଇଥିଲେ।
ବାହୁଡ଼ା ଯାତ୍ରା ପୂର୍ବ ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ଅପରାହ୍ଣ ସାଢ଼େ ୫ଟାରେ ବନ୍ଦ କରାଯାଇଥିଲା। ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ସୋମବାର ଭୋର ୪ଟାରେ ମଙ୍ଗଳ ଆଳତି ହେବ। ଠାକୁର ଖେଚୁଡ଼ି ଭୋଗ ଖାଇ ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି।




