ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ

କଟକ : ପରଲୋକରେ ସମୀର ଦେ’ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ଅସୁସ୍ଥ ଥାଇ କଟକର ଏକ ଘରୋଇ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ । ନିମୋନିଆ,ଉଚ୍ଚ ରକ୍ତଚାପ ଏବଂ କିଡ୍ନୀ ଜନିତ ରୋଗରେ ସେ ପୀଡିତ ଥିଲେ । ତାଙ୍କ ପରଲୋକ ନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ […]

Samaya Live Picture
Published On

କଟକ : ପରଲୋକରେ ସମୀର ଦେ’ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ଅସୁସ୍ଥ ଥାଇ କଟକର ଏକ ଘରୋଇ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ । ନିମୋନିଆ,ଉଚ୍ଚ ରକ୍ତଚାପ ଏବଂ କିଡ୍ନୀ ଜନିତ ରୋଗରେ ସେ ପୀଡିତ ଥିଲେ । ତାଙ୍କ ପରଲୋକ ନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ଗତ କିଛିଦିନ ଧରି ସେ ଅସୁସ୍ଥ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କଟକର ଘରୋଇ ହସ୍ପିଟାଲରେ ତାଙ୍କର ଟ୍ରିଟମେଣ୍ଟ ହେଉଥିଲା । ଏମିତିକି ଗତ ଶୁକ୍ରବାର ତାଙ୍କୁ ମେଡ଼ିକାଲରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ।

ରାଜନୀତିରେ ସମୀର ଦେ’ ଜଣେ ଲୋକପ୍ରିୟ ନେତା ଥିଲେ । ୧୯୯୫ ମସିହାରୁ ଆରମ୍ଭ କରି ୨୦୦୦ ମସିହା ଓ ୨୦୦୪ ମସିହାରେ ସେ ଲଗାତାର ବିଧାନସଭାକୁ ନିର୍ବାଚିତ ହେଇଥଲେ । ସେ କଟକ ସହରରୁ ୩ ଥର ବିଧାୟକ ରହିଥିଲେ । ୨୦୦୪ରୁ ୦୯ ପର୍ୟ୍ୟନ୍ତ ସେ ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ରହିଥିଲେ । ହେଲେ ଏହା ପରଠୁ କିନ୍ତୁ ସେ ନିର୍ବାଚନରେ ସଫଳତା ପାଇନଥିଲେ । ହେଲେ ରାଜ୍ୟ ବିଜେପିର ଜଣେ ଜଣାଶୁଣା ଚେହେରା ଥିଲେ ସମୀର ଦେ ।

୧୯୫୭ ମସିହା ଜାନୁଆରୀ ୧୦ ତାରିଖରେ ସମୀର ଦେ’ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମର ଏକ ସମ୍ଭ୍ରାନ୍ତ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଅତୁଲ ପ୍ରସାଦ ଦେ’ଥିଲା । ପରବର୍ତ୍ତୀ କାଳରେ କଟକରେ ଉଚ୍ଚ ଶିକ୍ଷା ଲାଭ କରି ଆଇନଜୀବୀ ପେଶା ଗ୍ରହଣ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗଦେଇ ନିଜକୁ ଜଣେ ଶ୍ରେଷ୍ଠ ସେବକ ଭାବରେ ପ୍ରତିଷ୍ଠିତ କରିପାରିଥିଲେ। ଏହାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ କଟକ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ନିର୍ବାଚନରେ ପରାସ୍ତ ହୋଇଥିଲେ। ସେହିଭଳି ୧୯୯୫ରେ ପୁଣି ଥରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ କ୍ରମାଗତ ଭାବରେ ୩ଥର କଟକ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ରାଜ୍ୟରେ ବିଜେପି ଓ ବିଜେଡି ମିଳିତ ଭାବରେ ସରକାର ଗଠନ ହେବାପରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିଲା। ୨୦୦୦ ମସିହାରେ ତାଙ୍କୁ ଶିକ୍ଷାମନ୍ତ୍ରୀ ଏବଂ ୨୦୦୫ରେ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ପରବର୍ତ୍ତୀ ନିର୍ବାଚନରେ ସେ ଅସୁସ୍ଥ ଥିବାରୁ ବିଧାନସଭାକୁ ପ୍ରାର୍ଥୀ ହୋଇ ନ ଥିଲେ।

ବରିଷ୍ଠ ବିଜେପି ନେତା ସମୀର ଦେ’ ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ପରିବାର ବର୍ଗଙ୍କ ପ୍ରତି ସମ ବେଦନା ପ୍ରକାଶ କରିଛନ୍ତି। ସ୍ବର୍ଗତ ଦେ’ଙ୍କ ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମୀର ଦେ’ଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ,ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ନିକଟରେ ବାଲିଯାତ୍ରା ପାଇଁ କଟକ ଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ସମୀର ଦେ ଙ୍କୁ ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ।

କଟକ ଖାନ୍‌ନଗର ମଶାଣିରେ ହେବ ସମୀର ଦେ’ଙ୍କ ଶେଷକୃତ୍ୟ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏନେଇ ସୂଚନା ଦେଇଛନ୍ତି। ସ୍ୱର୍ଗତ ଦେ’ଙ୍କ ମରଶରୀର ପ୍ରଥମେ ଓଡ଼ିଶା ବିଧାନସଭାକୁ ନିଆଯିବ। ସେଠାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମକର୍ତ୍ତା ଶେଷ ଦର୍ଶନ କରିବେ। ତା’ପରେ ମରଶରୀରକୁ କଟକ ପୈତୃକ ଘରକୁ ଅଣାଯିବ। ସେଠାରୁ ଖାନ୍‌ନଗର ମଶାଣି ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ।

Tags: