ଆଜି ସେନାପଟା ଲାଗି ନୀତି,ଅପରାହ୍ଣ ୨ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି । ଚାରମାଳ ବନ୍ଧା ସହ ଠାକୁରଙ୍କ ସେନାପଟା ଲାଗି ନୀତି । ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିଛି । ଆଜି ଠାକୁରଙ୍କ ପହୁଡ଼ଠାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳିବ ନାହିଁ । ସେହିଭଳି ସ୍ନାନ ଯାତ୍ରା ବୁଧବାର ସକାଳ ୭ଟା ସୁଦ୍ଧା ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ ବୋଲି […]

ଆଜି ସେନାପଟା ଲାଗି ନୀତି,ଅପରାହ୍ଣ ୨ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
Samaya Live Picture
Published On

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି । ଚାରମାଳ ବନ୍ଧା ସହ ଠାକୁରଙ୍କ ସେନାପଟା ଲାଗି ନୀତି । ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିଛି । ଆଜି ଠାକୁରଙ୍କ ପହୁଡ଼ଠାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳିବ ନାହିଁ । ସେହିଭଳି ସ୍ନାନ ଯାତ୍ରା ବୁଧବାର ସକାଳ ୭ଟା ସୁଦ୍ଧା ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେବେ । ସୋମବାର ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରେ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିର ଶୁଭାରମ୍ଭ ହୋଇଛି ।

ଚତୁର୍ଦ୍ଦଶୀ ସକାଳେ କୋଠ ସୁଆଁସିଆ ସେବକ ବାହାରିବା ପରେ ଦଇତାପତିମାନେ ସେନାପଟା ଲାଗି କରିବେ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳବାର ସାଢେ ୬ଟାରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ନୀତି । ୧୧ଟାରେ ସରିବ ସେନାପଟା ଲାଗି । ଏହାପରେ ଶ୍ରୀବିଗ୍ରହଙ୍କ ମଙ୍ଗଳାଳତି ୧୨ଟାରେ,ମଇଲମ, ତଡ଼ପ ଲାଗି ଓ ଅବକାଶ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇ ଅପରାହ୍ନ ୨ଟାରେ ଠାକୁରଙ୍କ ବେଶ ଶେଷ ହେବ । ଏହାପରେ ଅନ୍ୟାନ୍ୟ ନୀତି ସହ ଚଉଠି କର୍ମ ରହିଛି । ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର ସାଢ଼େ ୪ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ବଢ଼ି ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ୭ଟା ସୁଦ୍ଧା ପହଣ୍ଡି ଆରମ୍ଭ ହୋଇଯିବ ।

ଶ୍ରୀଜିଉମାନଙ୍କୁ ସ୍ନାନମଣ୍ଡପରେ ସ୍ନାନ ଯାତ୍ରା ପରେ ହାତୀବେଶ ବା ଗଜାନନ ବେଶ କରାଯାଇଥାଏ । ଭକ୍ତ ଗଣପତି ଭଟ୍ଟଙ୍କୁ ଦର୍ଶନ ଦବାପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିଲେ ବୋଲି ଜଣାଯାଏ । ସେଥିପାଇଁ ପୁରୀର ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ ପକ୍ଷରୁ ଏହି ହାତୀ ବେଶ ସେବା ଯୋଗାଇଥାନ୍ତି । ଅକ୍ଷୟ ତୃତୀୟା ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ସ୍ନାନ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ଏହି କାର୍ଯ୍ୟରେ ସୋଲ କାରିଗର, ଦର୍ଜି, ଚିତ୍ରକର ଓ ମାଳି ଏକତ୍ର ମିଳିମିଶି ନିୟମ ନିଷ୍ଠାରେ କାମ କରିଥାନ୍ତି ।

ଅନ୍ୟପଟେ ସ୍ନାନ ପୂର୍ଣ୍ଣିମା ପାଇଁ ଆଜି ସଂଧ୍ୟାରେ ପୁରୀରେ ଲାଗୁ ହେବ ଟ୍ରାଫିକ୍ କଟକଣା। ସାରା ସହରରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ଶ୍ରୀମନ୍ଦିର ଭିତର ଓ ବାହାର, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ୍ ଓ ଅଫିସର ନିଯୁକ୍ତ କରାଯାଇଛି । ଦେବସ୍ନାନ ପୂର୍ଣ୍ଣମୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ।

Tags: