ସମ୍ବଲପୁରର ନିଆରା ଦୁର୍ଗାପୂଜା

ସମ୍ବଲପୁରର ନିଆରା ଦୁର୍ଗାପୂଜା
Ipsita Picture
By: Ipsita
Published On

 

ମାଆ ସମଲେଇଙ୍କ ପୀଠ ସହିତ ପୁରା ସହରରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ ମାଆ ଦୁର୍ଗାଙ୍କର ଦଶହରା ପର୍ବ । ଏହି ସମୟରେ ପୁରା ସହରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଦେଖିବାକୁ ମିଳିଥାଏ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ । ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ପେଣ୍ଡାଲରେ ମାଆଙ୍କ ଆଶୀର୍ବାଦ ନେବାସହିତ ମେଳା ବୁଲିବାର ମଜା ନେଇଥାଆନ୍ତି ।

୧୦୮ ବର୍ଷରେ କାଳୀବାଡ଼ି ଦୁର୍ଗାପୂଜା

ବଙ୍ଗୀୟ ପରମ୍ପରାରୁ ସମ୍ୱଲପୁରର ସର୍ବସମାବେଶୀ ଉତ୍ସବ

ଚଳିତବର୍ଷ କାଳୀବାଡ଼ି ଦୁର୍ଗାପୂଜା ୧୦୮ତମ ବର୍ଷରେ ପଦାର୍ପଣ କରିଛି । ୧୯୧୮ରୁ ୨୦୨୬ ପର୍ଯ୍ୟନ୍ତ ଏକ ଦୀର୍ଘ ବର୍ଷର ଯାତ୍ରା କେବଳ ପୂଜା ନୁହେଁ, ଏହା ଆସ୍ଥା, ପରମ୍ପରା ଓ ପିଢ଼ି ପରେ ପିଢ଼ିର ତ୍ୟାଗର ଇତିହାସ ଅଟେ । ୨୦୧୬ ମସିହାରେ ଏହି ପୂଜା କମିଟି ଶତବାର୍ଷିକ ପାଳନ କରି ଐତିହାସିକ ପରମ୍ପରାର ଆଉ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି । ଏହା ନିଜର ବଙ୍ଗୀୟ ପରମ୍ପରାକୁ କେବେ ହରାଇ ନାହିଁ, କିନ୍ତୁ ସମ୍ବଲପୁରର ସାମାଜିକ ଜୀବନରୁ ମଧ୍ୟ କେବେ ଅଲଗା ହୋଇନାହିଁ । ଏହି ମାଟିରେ ଦଶକ ଦଶକ ଧରି ବାସ କରିବା, ଏଠାକାର ସମାଜ ଓ ସଂସ୍କୃତି ସହ ଜଡିତ ହେବା ଏବଂ ନିଜର ଐତିହ୍ୟକୁ ସମ୍ମାନର ସହ ଆଗେଇ ନେବା ଦେଖିବାକୁ ମିଳିଛି । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୬ରେ ସମ୍ବଲପୁର କାଳୀବାଡିରେ ଶକ୍ତିମୟୀ କାଳୀଙ୍କ ପୂଜା ପାଇଁ  କିଛି ବଙ୍ଗାଳୀ ଯୁବକ ସଂକଳ୍ପ ନେଇଥିଲେ । ଭକ୍ତିପୂତ ଭାବେ ଶକ୍ତିମୟୀ କାଳୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ଏହାପୂର୍ବରୁ  ଶାରଳା ନାମକ ବଙ୍ଗୀୟ ନାଟକ ପ୍ରଦର୍ଶନ କରି ଟିକେଟ ବିକ୍ରି ହୋଇଥିବା ୩୧ଟଙ୍କାରେ ବ୍ରୁକ୍ସହିଲ ନିକଟରେ ଜମି କିଣିଥିଲେ । ୧୨ ଏପ୍ରିଲ,  ୧୯୧୮ରେ କାଳୀବାଡ଼ି ଟ୍ରଷ୍ଟ ଗଠିତ ହୋଇଥିଲା। ପ୍ରତିଷ୍ଠାତା ରାୟ ସାହେବ ଯୋଗେନ୍ଦ୍ରନାଥ ସେନ, ବାବୁ ରମଣୀ ରଞ୍ଜନ ବସୁ, ବାବୁ ରାଧିକାନାଥ ରାୟ, ବାବୁ ସତ୍ୟରଞ୍ଜନ ଗୁହ ଓ ବାବୁ ସୁଶୀଲ କୁମାର ସରକାରଙ୍କ ସ୍ୱପ୍ନରୁ ଏହି ପୂଜା ଆରମ୍ଭ । ସମ୍ୱଲପୁରରେ ଥିବା ବଙ୍ଗାଳୀ ସମୁଦାୟକୁ ଏକାଠି କରିବା ମୂଳ ଉଦ୍ଦେଶ୍ୟ ଥିଲା, ଯାହା ଆଜି ସମ୍ୱଲପୁରର ବହୁଭାଷୀ ଓ ସର୍ବସମାବେଶୀ ଉତ୍ସବ ପାଲଟିଛି । ସେମାନେ ୧୯୧୮ରେ ବଙ୍ଗୀୟ ଶୈଳୀରେ ମୃଣ୍ମୟୀ ପ୍ରତିମା ପ୍ରତିଷ୍ଠା କରି ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ କରିଥିଲେ । ପ୍ରଥମେ ଚାଳ ଛପର ଘରଟିଏ ନିର୍ମାଣ କରାଯାଇଥିଲା। ସେଠାରେ ଦେବୀ ମାଁ କାଳୀଙ୍କୁ ପ୍ରତିଷ୍ଠା କରାଯାଇଥିଲା ।  ଦେବୀଙ୍କ ମୂର୍ତ୍ତି ସ୍ଥାପନା ପରେ ନିତ୍ୟ ସେବାପୂଜା ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ମାଁଙ୍କ ପୂଜାର୍ଚ୍ଚନା ଓ ଦୁର୍ଗାପୂଜା ହୋଇ ଆସୁଛି । ତେବେ ୧୯୮୩ ମସିହାରେ  ବର୍ତ୍ତମାନର କାଳୀ ମନ୍ଦିର ପ୍ରତିଷ୍ଠା କରାଯାଇଛି ।  

 ପ୍ରଥମେ ଚାଳ ଛପର ମଣ୍ଡପରେ ଅନନ୍ତ ଚରଣ ଭଟ୍ଟାଚାର୍ଯ୍ୟ ମୃଣ୍ମୟୀ ମୂର୍ତ୍ତି ଗଢି ପୂଜା କରିଥିଲେ । ପରବର୍ତ୍ତୀ ସମୟରେ କାଶୀରୁ ମହେଶ୍ୱର ବାବୁ, ୧୯୪୦ରୁ ବେଲେଘାଟାର କାଳୀପଦ ଭଟ୍ଟାଚାର୍ଯ୍ୟ, ୨୦୦୩ ଯାଏଁ ସୁଭାଷ ଚକ୍ରବର୍ତ୍ତୀ ସ୍ଥାୟୀ ପୂଜକ ଭାବେ ଦାୟିତ୍ୱ ତୁଲାଇଥିଲେ ।  ୨୦୦୮ରୁ ଖଡ଼ଗପୁରର ତାପସ ମିଶ୍ର ଓ କୃଷ୍ଣେନ୍ଦୁ ଚକ୍ରବର୍ତ୍ତୀ ବଙ୍ଗୀୟ ରୀତିରେ ପୂଜା କରୁଛନ୍ତି । କାଳୀବାଡ଼ିର ବିଶେଷତ୍ୱ ଆଡ଼ମ୍ୱର ନୁହେଁ, ପରମ୍ପରା । ମହାନଦୀ କୂଳରେ କଳାବଉ ସ୍ନାନରୁ ଆରମ୍ଭ କରି ନବପତ୍ରିକା ପ୍ରବେଶ, ଏକଚାଳା ମୂର୍ତ୍ତି (ଅବିଭକ୍ତ ପରିବାରର ପ୍ରତୀକ), ଧାକର ଧ୍ୱନୀ, ସନ୍ଧ୍ୟାର ଧୁନୁଚି ନୃତ୍ୟ, ଅପରାଜିତା ପୂଜା, ସିନ୍ଦୂର ଖେଳା ଏକ ଐତିହ୍ୟ ବହନ କରେ । ବିସର୍ଜନ ବେଳେ କାନ୍ଧରେ ମା'ଙ୍କୁ ମହାନଦୀ କୂଳକୁ ନେବା ଓ ଚଣ୍ଡୀପାଠ ଅନନ୍ୟ ଅଟେ । ଏସବୁ ଆଧ୍ୟାତ୍ମିକ ପରିବେଶ କେବଳ ବଙ୍ଗୀୟ ସମୁଦାୟ ନୁହେଁ, ସମ୍ବଲପୁରର ବିଭିନ୍ନ ସମୁଦାୟର ଭକ୍ତ ଓ ଦର୍ଶକଙ୍କୁ ମଧ୍ୟ ଆକର୍ଷିତ କରେ । କାଳୀବାଡିର ଇତିହାସ କେବଳ ଦୁର୍ଗାପୂଜାର ଇତିହାସ ନୁହେଁ। ଏହା ନାଟକ, ସଙ୍ଗୀତ, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଜାଗରଣର ଏକ ମାଧ୍ୟମ ଅଟେ । ଏଥିସହ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାଇଚାରାରେ ଏହି ପୀଠ ସମୃଦ୍ଧି ଲାଭ କରିବାରେ ଲାଗିଛି ।

ବଙ୍ଗୀୟ ମାନେ ପ୍ରଥମେ ଚାକିରି ଓ ବ୍ୟବସାୟ ପାଇଁ ସମ୍ବଲପୁର ଆସିଥିଲେ। ପଶ୍ଚିମ ଓଡିଶା ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ରହିଥିଲା । ଗମନାଗମନର ବିଶେଷ ସୁବିଧା ନଥିବାରୁ ସେମାନେ ମହାନଦୀର ଜଳପଥ ଦେଇ ଆସିଥିଲେ । ଶକ୍ତିିପୂଜା ଜରିଆରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇ କାଳୀବାଡି ଠାରେ ୧୨ଜଣ ସାଙ୍ଗ ଏକାଠି ହୋଇ ମାଁ ଦକ୍ଷିଣକାଳୀଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଏହାଦ୍ୱାରା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ଶାରଦୀୟ ଦଶହରାରେ ମାଁଙ୍କ ପୀଠରେ ମୃଣ୍ମୟୀ ମୂର୍ତ୍ତି ତିଆରି କରାଯାଏ ।  ଦେବୀ ଦୁର୍ଗାଙ୍କ ଏକଚାଲା ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରାଯାଏ । ଏହା ଯୌଥ ପରିବାରର ନିର୍ଦ୍ଦଶନ ବୋଲି କୁହାଯାଏ। ଆଶ୍ୱିନ ମାସ ଷଷ୍ଠୀ ତିଥିରେ ବେଲଗଛକୁ ସଧବା ମହିଳା ମାନେ ନିଜ ସନ୍ତାନର ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିଥାନ୍ତି । ଅଷ୍ଟମୀରେ ସନ୍ଧିପୂଜା ଓ ନବମୀରେ ମହାହୋମ ଓ ବଳିଦାନ ଆଦି ପୂଜାର୍ଚ୍ଚନା ହୋଇଥାଏ । ଦଶମୀ ତିଥୀରେ ମାଁଙ୍କ ଅପରାଜିତା ପୂଜା ସହ ବିସର୍ଜନ କରାଯାଏ ।  ସଧବା ମହିଳା ମାନେ ସିନ୍ଦୁର ଖେଳ କରିଥାନ୍ତି । ପରସ୍ପରକୁ ସିନ୍ଦୂର ଲଗାଇବାର ପରମ୍ପରା ରହିଛି । ଏହାଦ୍ୱାରା  ମହିଳାଙ୍କ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।  ଏହି ଦିନ ସଂନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରାରେ ମାଁଙ୍କ ଅଶ୍ରୁଳ ବିଦାୟୀ ଦିଆଯାଇଥାଏ । ଏଥିରେ ସବୁ ବର୍ଗର ମହିଳାପୁରୁଷ ସାମିଲ ହୋଇଥାନ୍ତି । ବର୍ଷ ତମାମ ମାଁ ଦକ୍ଷିଣକାଳୀଙ୍କ ଦର୍ଶନ କରିବାକୁ ଭିଡ ଜମିଥାଏ ।

ସମୟ ବଦଳିଛି, ପିଢି ବଦଳିଛି, ସହ ବଦଳିଛି, କିନ୍ତୁ କାଳୀବାଡିର ଢାକର ଶଦ୍ଦ ଆଜି ବି ସମାନ ରହିଛି । ଏକ ଛୋଟ ଚାଳିଆ ମଣ୍ଡପରୁ ଆଜି ସମ୍ବଲପୁରର ଆସ୍ଥାର କେନ୍ଦ୍ର। ଏଠି ମୂର୍ତ୍ତି ଗଢା ହୁଏ ନାହିଁ, ପରମ୍ପରା ଗଢା ହୁଏ । ଏଠି କେବଳ ପୂଜା ହୁଏ ନାହିଁ, ପରିବାର ଯୋଡା ହୁଏ । ମାଣିକ ଦା, ନିତ୍ୟ ଦା ଓ ବିମଳ ଦାଙ୍କ ଭଳି ଶହଶହ ନିସ୍ୱାର୍ଥ ହାତ ଏହାକୁ ୧୦୮ବର୍ଷ ଧରି ଗଢି ତୋଳିଛନ୍ତି । ପୂର୍ବପୁରୁଷଙ୍କ ଏହି ଅବଦାନକୁ ସମ୍ମାନ ଦେବା, ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢି ଆଗେଇ ନେବାକୁ ସଂକଳ୍ପ ନେଇଛି । ତେଣୁ କାଳୀବାଡି ଇତିହାସ ନୁହେଁ, ଏହା ଏବେ ବି ଚାଲୁଥିବା ଏକ ଜୀବନ୍ତ ପରମ୍ପରା ।

୫୮ ବର୍ଷରେ ଗୋବିନ୍ଦତୋଲା ଦୁର୍ଗାପୂଜା

ନେପାଳ ମନ୍ଦିର ସଦୃଶ ହେବ ତୋରଣ

ସମ୍ୱଲପୁର ସହରର ଐତିହାସିକ ଗୋବିନ୍ଦତୋଲା ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୫୮ ବର୍ଷରେ ପଦାର୍ପଣ କରିଛି । ୧୯୬୮ ମସିହାରେ କେବଳ ୫ଜଣ ଯୁବକଙ୍କ ପ୍ରୟାସରେ ପାଞ୍ଚ ଶହ ଟଙ୍କାର ଚାନ୍ଦାରେ ଆରମ୍ଭ ହୋଇଥିବା ଏହି ପୂଜା ଆଜି ସହରର ସବୁଠୁ ବଡ଼ ସାଂସ୍କୃତିକ ପରିଚୟ ପାଲଟିଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା'ଙ୍କ ଆଗମନକୁ ନେଇ ପୁରା ସାହିରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏଠାକାର ପୂଜା କେବଳ ସମ୍ୱଲପୁର ନୁହେଁ, ପଶ୍ଚିମ ଓଡିଶାରେ ପ୍ରସିଦ୍ଧ । ଦୂର ଦୂରାନ୍ତରୁ ଲୋକେ ଦେଖିବାକୁ ଆସନ୍ତି ।

ପୂଜା କମିଟି ସୂଚନା ଅନୁଯାୟୀ, ନେପାଳ ଦେଶର ଏକ ମନ୍ଦିର ସଦୃଶ୍ୟ ତୋରଣ ଏବର୍ଷର ମୁଖ୍ୟ ଆକର୍ଷଣ ହେବ । ଏଥିପାଇଁ ୪୫ଫୁଟ ଉଚ୍ଚତା ଓ ୬୦ଫୁଟ ଚଉଡାର ତୋରଣ କରାଯାଉଛି । ଏଥିପାଇଁ ବାଉଁଶ ବନ୍ଧା କାମ ଆରମ୍ଭ ହୋଇଛି । ଏହି କାର୍ଯ୍ୟରେ ଯାଜପୁର ଜିଲ୍ଲା ଜାରକା ଅଞ୍ଚଳର କାରିଗର ନିୟୋଜିତ ହୋଇଛନ୍ତି । ପୂଜା ମଣ୍ଡପରେ ଅତ୍ୟାଧୁନିକ ରଙ୍ଗୀନ ଆଲୋକ ମାଳା ଲଗାଯିବ । ଏଥିସହ ୭ଟି ବଡବଡ ଲାଇଟ୍‌ ଗେଟ୍‌ ମଧ୍ୟ ନିର୍ମାଣ କରାଯାଉଛି । ଏହାବାଦ୍‌ ୪୫ଟି ସାଇଟ୍‌ ଲାଇଟ୍‌ ଗେଟ୍‌ ମଧ୍ୟ ଲଗାଯିବ । ରାତିରେ ଏହା ଚମକିବ ଓ ସମ୍ୱଲପୁର ସହରକୁ ଆଲୋକିତ କରିବ ।

ଆରମ୍ଭରେ ପାଞ୍ଚଶହ ଟଙ୍କାରେ ହେଉଥିବା ପୂଜାର ବଜେଟ ଏବେ ୩୫ ଲକ୍ଷ ଟପିଛି। ସ୍ଥାନୀୟ ବ୍ୟବସାୟୀ ଓ ପ୍ରବାସୀ ସମ୍ୱଲପୁରୀ ଲୋକେ ମୁକ୍ତ ହସ୍ତରେ ଦାନ ଦେଇଛନ୍ତି । ମାଁ ଭୁବନେଶ୍ୱରୀ ଚାରିଭୁଜାରେ ଭକ୍ତଙ୍କ ଦର୍ଶନ ଦେବେ । ମୂର୍ତ୍ତି କାରିଗର କଟକ ଶିଳ୍ପୀସାହିର ଶିବପ୍ରସାଦ ବେହେରା ଓ ତାଙ୍କ ସହଯୋଗୀ ମାଁଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ।   ମାଁଙ୍କ ସହ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, କାର୍ତ୍ତିକ ଆଦି ପାଶ୍ୱର୍ ଦେବାଦେବୀଙ୍କ ମଧ୍ୟ ମୂର୍ତ୍ତି ପୂଜା ପାଇବେ । ଏଥର ଇକୋ ଫ୍ରେଣ୍ଡଲି ରଙ୍ଗ ବ୍ୟବହାର ହେଉଛି । ପରିବେଶ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

ଚଳିତବର୍ଷ ଭଷାଣି ଯାତ୍ରାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଳାହାଣ୍ଡି ରାମପୁରର ଜଙ୍ଗଲୀନାଚ, ମାନେଶ୍ୱର ଡମ୍ବରୁ ନାଚ, ଡିଜେ, ସୋହେଲାର ଦୁଲଦୁଲି, ଅଁଳାପାଲିର ଘଣ୍ଟପାର୍ଟି ଶୋଭାଯାତ୍ରାରେ ସାମିଲ ହେବ । ଗୋବିନ୍ଦତୋଲା ବ୍ରିଜ ଛକରୀୁ ଶୋଭାଯାତ୍ରା ବାହାରି ଧନୁପାଲି ଛକ ପରିକ୍ରମା କରିବା ପରେ ହରଡ ଯୋର ଅଭିମୁଖେ ଯାତ୍ରା କରିବ । ଚଳିତବର୍ଷ ପୂଜକ ଜଗଦିଶ ପଣ୍ଡା ଓ ପୂର୍ଣ୍ଣେନ୍ଦୁ ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇେ। ତେବେ ୧୫ ନଭେମ୍ବରରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ରହିଛି । ପ୍ରଥମେ  ୫ଜଣ ବନ୍ଧୁ ମିଶି ଏହି ପୂଜା ଆରମ୍ଭ କରିଥିଲେ ।  ସେତେବେଳେ କେହି ସାହାଯ୍ୟ କରୁନଥିଲେ। ଆଜି ପୁରା ସାହି ଏକାଠି ହୁଏ । ଏହା କେବଳ ପୂଜା ନୁହେଁ, ଏକତାର ପ୍ରତୀକ ।  

ଏହି ପୂଜାରେ  ସବୁ ଧର୍ମର ଲୋକ ଏକାଠି ହୁଅନ୍ତି । ହିନ୍ଦୁ, ମୁସଲମାନ, ଶିଖ ସମସ୍ତେ ଚାନ୍ଦା ଦିଅନ୍ତି । ଏହା ଆମ ସହରର ଭାଇଚାରାର ଉଦାହରଣ । ଯୁବପିଢି ଏବେ ଦାୟିତ୍ୱ ନେଉଛି ଓ ନୂଆ ଆଇଡିଆ ସହ ସମସ୍ତେ ମିଶି କାମ କରୁଛନ୍ତି । ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ମଣ୍ଡପ ଚାରିପାଖରେ  ସିସିଟିଭି କ୍ୟାମେରା, ପୋଲିସ ମୁତୟନ ଓ ସ୍ୱେଚ୍ଛାସେବୀ ରହିବେ । ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ ଓ ଟ୍ରାଫିକ ପାଇଁ ଅସ୍ଥାୟୀ ରାସ୍ତା ନିୟମ ଲାଗୁ ହେବ। ଅଗ୍ନିଶମ ବିଭାଗ ଓ ଆମ୍ୱୁଲାନ୍ସ ମଧ୍ୟ ସଜାଗ ରହିବ । ମହିଳା ଓ ଶିଶୁଙ୍କ ପାଇଁ ଅଲଗା ପ୍ରବେଶ ପଥ କରାଯାଇଛି । ପାର୍କିଂ ପାଇଁ ପଡିଆରେ ବ୍ୟବସ୍ଥା ହୋଇଛି । କମିଟି ଆଶା କରୁଛି ଏବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ଓ ପୂଜା ସମ୍ୱଲପୁରର ଗର୍ବ ବଢାଇବ ।

ରାଜପ୍ରାସାଦରେ ଝଲସିବ ଧନୁପାଲି ଦୁର୍ଗାପୂଜା

ଦୁର୍ଗାପୂଜା ପାଇଁ ସମ୍ବଲପୁର ସହର ସଜେଇ ହୋଇଛି । ସହର ବିଭିନ୍ନ ପଡାରେ ଏହି ପୂଜା ପାଇଁ ପ୍ରସ୍ତୁତି ସରିଛି ।  ତୋରଣ, ମୂର୍ତ୍ତି ନିର୍ମାଣ, ଆକର୍ଷଣୀୟ ସାଜସଜ୍ଜା, ରଙ୍ଗବେରଙ୍ଗ ଆଲୋକମାଳା ସଜାଇବାରେ କାରିଗରମାନେ ଅନେକ ପରିଶ୍ରମ କରିଛନ୍ତି  । ତେବେ ଚଳିତବର୍ଷ ଧନୁପାଲି ଦୁର୍ଗାପୂଜା କମିଟି କିଛି ନୂଆ ଯୋଜନା କରିଛି । ରାଜପ୍ରାସାଦ ତୋରଣ ମଧ୍ୟରେ ମହିଷାମର୍ଦ୍ଦିନୀ ଶୋଭା ପାଇବେ। ତେବେ ମୁଖ୍ୟ ତୋରଣର ଉଚ୍ଚତା ୫୦ଫୁଟ ଓ ୪୫ଫୁଟ୍‌ ଚଉଡା ବିଶିଷ୍ଟ ଅଟେ । ପାରମ୍ପରିକ ବାଉଁଶ, ସୋଲ, ପ୍ଲାଏରେ ତୋରଣ କରାଯାଉଛି। ଏହାକୁ ଯାଜପୁର ଜିଲ୍ଲା କୁଆଖାଇର କାରିଗର ମାନେ ନିର୍ମାଣ କରୁଛନ୍ତି। ଏଥିସହ ବିଭିନ୍ନ ରାସ୍ତାରେ ୫ଟି ବଡ ଲାଇଟ୍‌ ଗେଟ୍‌ ସହ ୪୦ଟି ସାଇଡଗେଟ୍‌ ଲଗାଯାଇଛି। କଟକ ଜିଲ୍ଲା ଜଗତପୁରର କାରିଗର ମାନେ ଏହି ଆଲୋକସଜ୍ଜା କାମ କରୁଛନ୍ତି । ଚଳିତବର୍ଷ ଧନୁପାଲି ସାର୍ବଜନୀନ ଦୁର୍ଗାପୂଜା ୫୨ତମ ବର୍ଷରେ ପଦାର୍ପଣ କରିଛି । ଏହି ପୂଜା ୧୯୭୪ ମସିହାରେ ମାତ୍ର ୧ହଜାର ଟଙ୍କାରେ ଆରମ୍ଭ ହୋଇଥିଲା । ଏବର୍ଷ ବଜେଟ୍‌ ୨୭ ଲକ୍ଷ ଟଙ୍କା ରହିଛି । ଉତ୍ତର ଭାରତର ଢାଞ୍ଚାରେ ଏକ ନିର୍ମିତ ରାଜପ୍ରାସାଦରେ ୧୦ଫୁଟ ଉଚ୍ଚର ଦଶଭୂଜା ମହିଷାମର୍ଦ୍ଦିନୀ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦୁର୍ଗା ମୂର୍ତ୍ତି ନିର୍ମାଣ  ନୟାଗଡ଼ ଜିଲ୍ଲା ଇଟାମାଟି ଦେଉଳସାହିର ଅଜିତ୍‌ ମହାପାତ୍ର ଓ ସୁବାସ ମହାପାତ୍ର କରିଛନ୍ତି । ୧୬ ତାରିଖ ଷଷ୍ଠୀ ତିଥିରେ ହରଡ଼ଯୋରରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ । ଏହାପରେ ପୂଜାମଣ୍ଡପରେ କଳସ ସ୍ଥାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା ।  ଏହାପରେ ମହାସପ୍ତମୀ ପୂଜାରମ୍ଭ, ମହାଅଷ୍ଟମୀ ଓ ଭାଇଜିଉଁନ୍ତିଆ ବ୍ରତ, ମହାନବମୀ ସହ ଚଣ୍ଡୀହୋମ ଓ ୨୧ରେ ବିଜୟା ଦଶମୀ ପୂଜାରମ୍ଭ, ପୂର୍ଣ୍ଣାହୁତି ଓ ଅପରାଜିତା ପୂଜା କରାଯିବ । ପ୍ରତ୍ୟେକ ସନ୍ଧ୍ୟାରେ ଆଳତୀ କାର୍ଯ୍ୟକ୍ରମ ରହିଛି ।

ଚଳିତବର୍ଷ ବିସର୍ଜନ ଶୋଭାଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସାଂସ୍କୃତିକ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିସର୍ଜନ ଶୋଭାଯାତ୍ରାରେ ରାୟଗଡର ଝାଞ୍ଜ, ଘଣ୍ଟଦଳ, ଗୌରବାଡ. କାଳୀ ମାଁ ନୃତ୍ୟ ସହ ସ୍ଥାନୀୟ କଳାକାର ମାନେ ସାମିଲ ହେବେ । ଶୋଭାଯାତ୍ରା ଶଙ୍କର ମଠରୁ ବାହାରି ଧନୁପାଲି ଛକ ଦେଇ ମହାବୀରପଡାରୁ ଧନୁପାଲି ଛକରୁ ଫେରିବ । ପରେ ଗୋବିନ୍ଦତୋଲା , ପୁଟିବନ୍ଧ ଯାଇ ହରଡଯୋରରେ ମାଁ ଦୁର୍ଗାଙ୍କୁ ବିସର୍ଜନ କରାଯିବ । ଏହା ଅପରାହ୍ନ ୩ଟାରୁ ରାତି ୧୦ମଧ୍ୟରେ ଶେଷ ହେବାକୁ ସ୍ଥିର କରାଯାଇଛି । ପଣ୍ଡିତ ନିରଞ୍ଜନ ଷଡଙ୍ଗୀ ପୂଜାର୍ଚ୍ଚନା , ଧନୁପାଲିର ମନୋରଞ୍ଜନ ପଣ୍ଡା ଓ ମମତା ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇବେ ।

ଧନୁପାଲିର ପୂଜା କେବଳ ଏହି ଅଞ୍ଚଳର ନୁହେଁ, ଏହା ସମଗ୍ର ସମ୍ବଲପୁରର ପୂଜା । ଏକ ଛୋଟ ସ୍ୱପ୍ନରୁ ଆରମ୍ଭ ହୋଇଥିବା ପୂଜା ଆଜି ହଜାରହଜାର ଲୋକଙ୍କ ଆସ୍ଥା ପାଲଟିଛି । ରାଜପ୍ରାସାଦର ଚମକ ରହିବ, ଲାଇଟ୍‌ର ରୋଶନୀ ଲିଭିଯିବ । କିନ୍ତୁ ମାଁଙ୍କ ପାଖରେ ଯୋଡ ହାତରେ ଠିଆ ହୋଇଥିବା ସେହି ଭିଡ କହିବ - ଏହି ପୂଜା ଆମର , ଏହି ପରମ୍ପରା ଆମର ।

ଉପସ୍ଥାପନା: ସତ୍ୟଜିିତ୍‌ ମହାପାତ୍ର, ସମ୍ବଲପୁର  

 

 

 

Tags: