ଦୁଇ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି
ପୁରୀ : ଦୁଇ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ସକାଶେ ବୁଧବାର ଏବଂ ଗୁରୁବାର ଦୁଇ ଦିନ ପାଇଁ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଏସ୍ଆଇ ସୂଚନା ମୁତାବକ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଭିତର ପାର୍ଶ୍ୱରେ ଫାଟିଥିବା ପଥର ବଦଳିବା ପରେ କେମିକାଲ ଟ୍ରିଟମେଣ୍ଟ କରାଯାଉଛି। ପୁରୁଣା ପିଟା ଲୁହା ବିମ୍କୁ ବଦଳାଇ ଷ୍ଟେନଲେସ୍ ଷ୍ଟିଲ୍ […]
ପୁରୀ : ଦୁଇ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ସକାଶେ ବୁଧବାର ଏବଂ ଗୁରୁବାର ଦୁଇ ଦିନ ପାଇଁ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଏଏସ୍ଆଇ ସୂଚନା ମୁତାବକ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଭିତର ପାର୍ଶ୍ୱରେ ଫାଟିଥିବା ପଥର ବଦଳିବା ପରେ କେମିକାଲ ଟ୍ରିଟମେଣ୍ଟ କରାଯାଉଛି। ପୁରୁଣା ପିଟା ଲୁହା ବିମ୍କୁ ବଦଳାଇ ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ଦେବାକୁ ଫ୍ରେମ୍ ପ୍ରସ୍ତୁତ ସରିଛି। ଖୁବ୍ଶୀଘ୍ର ଏହି କାମ ହେବ । ବାହାର ରତ୍ନଭଣ୍ଡାର ଭିତର ପାର୍ଶ୍ୱ ଫାଟିଥିବା ପଥର ବଦଳ କରାଯିବା ସହ ଆବଶ୍ୟକ ମରାମତି ଓ ସଂରକ୍ଷଣ କରାଯାଉଛି । ରତ୍ନଭଣ୍ଡାର ବାହାର ପାର୍ଶ୍ୱରୁ ସମ୍ପୂର୍ଣ୍ଣ ଚୂନ ଛଡ଼ା ସରିଛି। ଏଥିସହ ଫାଟିଥିବା ପଥର ବଦଳାଇ ମରାମତି ଓ ସଂରକ୍ଷଣ କାମ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି।
ଏଏସ୍ଆଇ ପକ୍ଷରୁ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ତେବେ ମହାପ୍ରଭୁଙ୍କ ବିଭିନ୍ନ ବିଶେଷ ନୀତିକାନ୍ତି ପାଳନ ନିମନ୍ତେ ଅନେକ ଦିବସ କାର୍ଯ୍ୟ ବନ୍ଦ ହେଉଥିବାରୁ ନିର୍ଦ୍ଧାରିତ ସମୟ ଠାରୁ ଆଉ କିଛି ଅଧିକ ସମୟ ଲାଗିବା ଅନୁମାନ କରାଯାଉଛି ।
ଅନ୍ୟପଟେ,ବୁଧୁବାର ମହାପ୍ରଭୁଙ୍କର ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ରାତି ୧୦ଟା ପରେ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଅପରପକ୍ଷେ ବନକଲାଗି ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ରଖାଯାଇଛି। ମାର୍ଚ୍ଚ ୫ ଓ ୬ ତାରିଖ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ବନ୍ଦ ରହି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
ପରମ୍ପରା ଅନୁଯାୟୀ ବୁଧବାର ଅବା ଗୁରୁବାର ଦିନ ମହାପ୍ରଭୁଙ୍କ ବନକ ଲାଗି ହୋଇଥାଏ । ଦ୍ବିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ଶ୍ରୀଜଗନ୍ନାଥ ସଂସ୍କୃତି ଭାଷାରେ ‘ବନକଲାଗି’ କୁହାଯାଏ । ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଏହାକୁ ଲେପ ଦେବା କାର୍ଯ୍ୟ ଏହି ସେବାୟତ ବର୍ଗ କରିଥାନ୍ତି । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ମୂଲ୍ୟବାନ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ ।




