ଝଲସୁଛି ରାଜଧାନୀ

 ଝଲସୁଛି ରାଜଧାନୀ
Ipsita Picture
By: Ipsita
Published On

 

ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ପ୍ରତିଟି ଗଳିକନ୍ଦି ସଜେଇହୋଇଥାଏ  ମାଆ ଦୁର୍ଗାଙ୍କୁ ସ୍ବାଗତ କରିବାକୁ । ସହରରେ ଦେଖିବାକୁ ମିଳିଥାଏ ସୁଉଚ୍ଚ ତୋରଣ ସହ ମାଆଙ୍କର ଅତି ସୁନ୍ଦର ମୃଣ୍ମୟୀ ପ୍ରତିମୂର୍ତ୍ତି । ପ୍ରତିଟି ପୂଜା ପଣ୍ଡାଲରେ ଭିନ୍ନଭିନ୍ନ ଥିମ ସହିତ ଆୟୋଜିତ ହୋଇଥାଏ ଦୁର୍ଗାପୂଜା । ଏହି ପୂଜା ପେଣ୍ଡାଲରେ ମାଆଙ୍କର ଆରାଧନା ପବିତ୍ର ଷଷ୍ଠି ତିଥିରୁ ଆରମ୍ଭ ହୋଇ ଦଶମୀରେ ପରିସମାପ୍ତି ଘଟିଥାଏ ।

 

ବରମୁଣ୍ଡା ଦୁର୍ଗାପୂଜା କମିଟି

ଦ୍ରୌପଦୀଙ୍କ ଜନ୍ମଭୂମିରେ ପୂଜାପାଇବେ ଦଶଭୂଜା

ଉତ୍ସବ ମୁଖର ହୋଇ ଉଠିଛି ରାଜଧାନୀ । ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଜର ନିଆରା ତୋରଣରେ ଚର୍ଚ୍ଚାକୁ ଆସିବ ବରମୁଣ୍ଡା ଦୁର୍ଗାପୂଜା କମିଟି । ଚଳିତବର୍ଷ ମହାଭାରତର ପାଞ୍ଚାଳୀ ଦ୍ରୌପଦୀଙ୍କ ଜନ୍ମଭୂମି କାମ୍ପିଲ୍ୟାର କାହାଣୀକୁ ତୋରଣରେ ଜୀବନ୍ତ କରାଯାଉଛି । ଚଳିତବର୍ଷ ଏହି ତୋରଣକୁ ଉତ୍ତରପ୍ରଦେଶର କାମ୍ପିଲ୍ୟା ପ୍ୟାଲେସ୍‌ ଢାଞ୍ଚାରେ ନିର୍ମାଣ ହୋଇଛି । ଏହି ତୋରଣ ଉଚ୍ଚତା ୮୦ ଫୁଟ୍‌ ଥିବାବେଳେ ଚଉଡା ରହିଛି ୧୨୦ ଫୁଟ୍ ଥିବାବେଳେ ମା'ଙ୍କ ମୂର୍ତ୍ତି ଉଚ୍ଚତା ରହିଛି ୧୪ ଫୁଟ୍‌ ।  ଦ୍ରୌପଦୀଙ୍କ ଜନ୍ମଠାରୁ ଆରମ୍ଭ କରି ମହାଭାରତର ବିଭିନ୍ନ ଘଟଣା, ବସ୍ତ୍ରହରଣ ଆଦି ଦୃଶ୍ୟ ଏହି ତୋରଣରେ ସ୍ଥାନ ପାଇଛି । ତୋରଣ ନିର୍ମାଣରେ ୩୦ରୁ ଅଧିକ ବଙ୍ଗୀୟ କାରିଗର ନିୟୋଜିତ ହୋଇଛନ୍ତି । ମୂର୍ତ୍ତିରେ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର ହେଉଥିବାବେଳେ ମା'ଙ୍କ ମସ୍ତକରେ ରୁପା ମୁକୁଟ ଓ ସୁନାର ସିନ୍ଥି ଲଗାଯାଇଛି । ପାର୍ଶ୍ୱ ଦେବାଦେବୀଙ୍କ ପାଦରେ ରୁପା ପାଉଜି ପିନ୍ଧାଯାଇଛି । ତୋରଣରେ ରଙ୍ଗବେରଙ୍ଗ ଆଲୋକମାଳା ସହ ସାମାଜିକ ସଚେତନତା ଭିତ୍ତିକ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହେଉଛି । ପୂଜାକୁ ପଲିଥିନମୁକ୍ତ ରଖିବା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ୨୭ ବର୍ଷରେ ପାଦ ଥାପିବାକୁ ଯାଉଥିବା ଏହି ପୂଜା କମିଟି ୧ ଲକ୍ଷ ଟଙ୍କାରୁ ପ୍ରଥମେ ପୂଜାର ଆରମ୍ଭ କରିଥିଲେ । ବର୍ତ୍ତମାନ ସେହି ପୂଜାର ବଜେଟ୍‌ ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଷଷ୍ଠୀରେ କଳସ ଯାତ୍ରା ଓ ସପ୍ତମୀରେ ପୂଜାବିଧି ଅନୁଷ୍ଠିତ ହେବ । ସପ୍ତମୀରେ ୫ ହଜାର ଲୋକଙ୍କ ପାଇଁ ମାଗଣା ପ୍ରସାଦସେବନ, ଅଷ୍ଟମୀରେ ଖେଚୁଡ଼ି ଓ ନବମୀରେ ଦହି ପଖାଳ ଭୋଗର ବ୍ୟବସ୍ଥା ରହିଛି । ଦଶମୀରେ ୬୦ ଫୁଟ୍‌ ଉଚ୍ଚ ରାବଣ ପୋଡ଼ି ଅନ୍ୟତମ ଆକର୍ଷଣ ହେବ । ପୂଜା ସମୟରେ ମୀନାବଜାର ସହ ୪ ଦିନ ଧରି ଲୋକକଳା, ଭଜନ ଓ ଘୋଡ଼ାନାଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଭିଡ଼କୁ ଦୃଷ୍ଟିରେ ରଖି ୨୦ଟି ସିସିଟିଭି କ୍ୟାମେରା, ସ୍ବେଚ୍ଛାସେବୀ ଓ ଓ୍ୱାକିଟକି ବ୍ୟବସ୍ଥା କରାଯାଇଛି ।

ନୟାପଲ୍ଲୀ ଦୂର୍ଗାପୂଜା ସମିତି

ଭାଟିକାନ୍‌ ସିଟି ତୋରଣରେ ବିରାଜିବେ ମା'

ମା' ଆସିବେ ବୋଲି ମନ୍ଦିରଠୁ ପୀଠ, ଘରଠୁ ମଣ୍ଡପ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଲେଣି । ସବୁବେଳେ ତୋରଣ ଓ ମା'ଙ୍କ ମୂର୍ତ୍ତିକୁ ନେଇ ଚର୍ଚ୍ଚାରେ ରହୁଥିବା ନୟାପଲ୍ଲୀ ଦୂର୍ଗାପୂଜା ସମିତି ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ଅନୁଷ୍ଠାନ ୩୯ ବର୍ଷରେ ପଦାର୍ପଣ କରୁଛି । ରାଜଧାନୀବାସୀଙ୍କୁ ସ୍ୱତନ୍ତ୍ର ଓ ନିଆରା ଅନୁଭୂତି ଦେବା ପାଇଁ ଏବର୍ଷ ରୋମର ଭାଟିକାନ୍‌ ସିଟି ସଦୃଶ ତୋରଣ ପ୍ରସ୍ତୁତ ହୋଇଛି । ତୋରଣ ଆବର୍ଜନାମୁକ୍ତ ତଥା ପରିବେଶ ଅନୁକୂଳ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ତୋରଣ ପ୍ରଦୂଷଣ ମୁକ୍ତ ଫୋରମରେ ନିର୍ମିତ ହେବ, ଯେଉଁଥିରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଛି । ତୋରଣର ଉଚ୍ଚତା ୮୦ ଫୁଟ୍‌ ରହିଥିବା ବେଳେ ଚଉଡ଼ା ୧୨୫ ଫୁଟ୍‌ ରହିଛି । ଏହି ତୋରଣର ତିଆରି କରିବା ପାଇଁ ୩୦ ଜଣ ବଙ୍ଗୀୟ କାରିଗର ଓ ୧୦ ଜଣ ଓଡିଶା କାରିଗର ଜନ୍ମାଷ୍ଟମୀଠାରୁ କାମରେ ଲାଗିଥିଲେ । ମେଢର ଉଚ୍ଚତା ୨୧ ଫୁଟ ରହିଥିବା ବେଳେ ମା' ଙ୍କ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ୍‌ । ସବୁଠାରୁ ଆକର୍ଷଣ ସୃଷ୍ଟି କରୁଛି ମା' ଓ ପାର୍ଶ୍ୱଦେବାଦେବୀଙ୍କ ଚାନ୍ଦି ମୁକୁଟ ଓ ଅଳଙ୍କାର । ମା' ଙ୍କ ପୀଠରେ ଷୋଳପୂଜା ଏବଂ ନବରାତ୍ର ପୂଜା ଚାଲିଛି । ପ୍ରତ୍ୟେକ ଦିନ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ରାମଚରିତ ମାନସ, ଭଜନ ସମାରୋହ, ରାମଲୀଳା ପରିବେଷଣ ହେବ । ଏଥିସହିତ ମେଲୋଡି ଡ୍ୟାନ୍ସ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହେବା ସହିତ ମୀନାବଜାର ଆୟୋଜନ କରାଯାଇଛି ବୋଲି ସଭାପତି ବିଷ୍ଣୁ ବେହେରା, ପରାମର୍ଶଦାତା ନବ କିଶୋର ବେହେରା ସୂଚନା ପ୍ରଦାନ କରିଛନ୍ତି ।

 

Tags: