ଆଲିଆଙ୍କ ପ୍ରଶଂସା

ଆଲିଆଙ୍କ ପ୍ରଶଂସା
Ipsita Picture
By: Ipsita
Published On

 

ସାଧାରଣତନ୍ତ୍ର ଦିବସର ଶୁଭ ଅବସରରେ ଭାରତୀୟ ସିନେମା ଜଗତରେ ଏକ ବଡ଼ ଧମାକା ଦେଖିବାକୁ ମିଳିଛି। ୧୯୯୭ ମସିହାର କାଳଜୟୀ ଯୁଦ୍ଧଭିତ୍ତିକ ଚଳଚ୍ଚିତ୍ର 'ବର୍ଡର'ର ବହୁ ପ୍ରତିକ୍ଷିତ ସିକୁଏଲ୍ 'ବର୍ଡର ୨' ପରଦାକୁ ଆସିବା ମାତ୍ରେ ଦର୍ଶକ ଏହାକୁ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରରେ ବଲିଉଡର ଆକ୍ସନ ଷ୍ଟାର ସନି ଦେଓଲ ପୁଣିଥରେ ଜଣେ ଦେଶପ୍ରେମୀ ସୈନିକ ଭାବରେ ଫେରିଛନ୍ତି । ଏଥର ତାଙ୍କ ସହ ମୁଖ୍ୟ ଭୂମିକାରେ  ବରୁଣ ଧୱନ,  ଦିଲଜିତ ଦୋସାଞ୍ଜ ଏବଂ ଆହାନ ଶେଟ୍ଟୀ ମଧ୍ୟ ନଜର ଆସିଛନ୍ତି । ଫିଲ୍ମଟିକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟ ଏହାକୁ ଦେଖି ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ବର୍ଡର ୨'ର ଟ୍ରିବ୍ୟୁଟ୍ ଟ୍ରେଲର ସେୟାର କରି ଏହାକୁ ଏକ 'ସୁନ୍ଦର ଚଳଚ୍ଚିତ୍ର' ବୋଲି ବର୍ଣ୍ଣନା କରିଛନ୍ତି। ସେ ନିର୍ଦ୍ଦେଶକ ଅନୁରାଗ ସିଂ ଏବଂ ସମଗ୍ର କଳାକାରଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି। ବିଶେଷକରି ନିଜର ଘନିଷ୍ଠ ବନ୍ଧୁ ତଥା ପ୍ରଥମ ଫିଲ୍ମର ସହ-ଅଭିନେତା ବରୁଣ ଧୱନଙ୍କ ପାଇଁ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ଲେଖି କହିଛନ୍ତି ଯେ, ବରୁଣ ଏହି ଫିଲ୍ମରେ ଶ୍ରେଷ୍ଠ ଅଭିନୟ କରିବା ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବରୁଣଙ୍କ ପାଇଁ ଏହି ବର୍ଷଟି ବହୁତ ଭଲ ଆରମ୍ଭ ହୋଇଥିବାରୁ ସେ ଖୁବ୍ ଖୁସି ବୋଲି ପ୍ରକାଶ କରିଛନ୍ତି । 'ବର୍ଡର ୨'ର କାହାଣୀ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ, ଯେଉଁଠାରେ ଭାରତୀୟ ସୈନିକମାନେ ଅଦମ୍ୟ ସାହସ ଦେଖାଇ ନିଜ ମାତୃଭୂମିକୁ ଶତ୍ରୁ କବଳରୁ ରକ୍ଷା କରିଥିଲେ। ଏହି ସିକୁଏଲରେ ସନି ଦେଓଲଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଫତେହ ସିଂ କାଲେର, ବରୁଣ ଧୱନଙ୍କୁ ମେଜର ହୋସିଆର ସିଂ ଦାହିଆ, ଦିଲଜିତ ଦୋସାଞ୍ଜଙ୍କୁ ଫ୍ଲାଇଂ ଅଫିସର ନିର୍ମଳ ଜିତ ସିଂ ଶେଖୋନ ଏବଂ ଆହାନ ଶେଟ୍ଟୀଙ୍କୁ ଲେଫ୍ଟନାଣ୍ଟ କମାଣ୍ଡର ମହେନ୍ଦ୍ର ସିଂ ରାୱତ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ନୌସେନାର ମିଳିତ ସାହସିକତାକୁ ଚିତ୍ରଣ କରାଯାଇଛି ।

Tags: