ପିକନିକ୍ ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ
ଦଶପଲ୍ଲା : ପୁଣି ପିକନିକ ବସ ଦୁର୍ଘଟଣା I ଯାଇଛି ୩ ଛାତ୍ରୀଙ୍କ ଜୀବନ I ନୟାଗଡ଼ ଜିଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ପିକ୍ନିକ୍ ଯାଉଥିବା ବସ୍କୁ ଏକ ଟ୍ରକ୍ ଧକ୍କା ଦେଇଛି। ଫଳରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଛାତ୍ର ଗୁରୁତର ଥିବା ଜଣାପଡିଛି। ମୃତକ ୩ ଛାତ୍ରୀ ଦଶମ ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣାପଡିଛି। ଗୁରୁତର ଥିବା ୪ଜଣଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା […]
ଦଶପଲ୍ଲା : ପୁଣି ପିକନିକ ବସ ଦୁର୍ଘଟଣା I ଯାଇଛି ୩ ଛାତ୍ରୀଙ୍କ ଜୀବନ I ନୟାଗଡ଼ ଜିଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ପିକ୍ନିକ୍ ଯାଉଥିବା ବସ୍କୁ ଏକ ଟ୍ରକ୍ ଧକ୍କା ଦେଇଛି। ଫଳରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଛାତ୍ର ଗୁରୁତର ଥିବା ଜଣାପଡିଛି। ମୃତକ ୩ ଛାତ୍ରୀ ଦଶମ ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣାପଡିଛି। ଗୁରୁତର ଥିବା ୪ଜଣଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ,ଶୁକ୍ରବାର ରାତିରେ ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଵାରପୁରିକିଆ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ “ଦେଵୀସ୍ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ” ନାମକ ଏକ ଅନୁଷ୍ଠାନ ତରଫରୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କୁ ନେଇ ମା’ନାମକ ଏକ ଘରୋଇ ବସରେ ହରିଶଙ୍କର ଅଭିମୁଖେ ଯାଉଥିଲେ I ଏହି ସମୟରେ ଦଶପଲ୍ଲାଠାରୁ ୧୫ କି.ମି.ଦୂର ୫୭ ନମ୍ବର ଜାତୀୟ ରାଜପଥର ବୁଗୁଡା ଶାଳଭଙ୍ଗା ଜଙ୍ଗଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଆଗପଟୁ ବସ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ଏଵଂ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ଜଣ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଦଶମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ମିତ ସାହୁ,ଏମାନେ ଦଶପଲ୍ଲା ଅଞ୍ଚଳର ହୋଇଥିବା ବେଳେ, ଅନ୍ୟ ଜଣେ ଛାତ୍ରୀ ହେଲେ ଲୋପାମୁଦ୍ରା ପ୍ରଧାନ। ତାଙ୍କ ଘର କନ୍ଧମାଳ ଖଜୁରିପଡ଼ା ଅଞ୍ଚଳରେ।
ଖବର ପାଇଁ ଦଶପଲ୍ଲା ଏବଂ ବାଣୀଗୋଚ୍ଛା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ସ୍ଥାନୀୟ ବିଧାୟକ ଏବଂ ଏନ୍ଏସି ଅଧ୍ୟକ୍ଷା ଏବଂ ନୟାଗଡ଼ ଏସ୍ପି ଆହତକୁ ଭେଟି ଦୁର୍ଘଟଣା ସମ୍ପର୍କରେ ପଚାରିବୁଝିବା ସହ ଚିକିତ୍ସା ପାଇଁ ସହଯୋଗ କରିଥିଲେ।
ଦୁର୍ଘଟଣାରେ ଟ୍ରକ ଏବଂ ବସ୍ର ଡ୍ରାଇଭର ଏବଂ ହେଲଫରଙ୍କ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭର ଏବଂ ହେଲଫରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ତେବେ ଘଟଣାସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡିଛି ଟ୍ରକଟିକୁ ଡ୍ରାଇଭରଙ୍କ ସ୍ଥାନରେ ଅନ୍ୟଜଣେ କେହି ମଦ୍ୟପାନ କରି ଚଳାଉଥିଲା I ପୁଲିସ ଉଭୟ ଗାଡିକୁ ଜବତ୍ କରି ତଦନ୍ତ ଜାରି ରଖିଛି।




