୨ ଦିନରେ ୫୦୦ ପହଁଚିଲା ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା,୨ ମୃତ
ଯାଜପୁର : ଯାଜପୁରରେ ବ୍ୟାପି ଚାଲିଛି ଝାଡ଼ାବାନ୍ତି । ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରେ ପହଞ୍ଚିଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନଙ୍କ ମଧ୍ୟରେ ଦାନଗଦି ବ୍ଲକ ତକାଇଲୋ ଗାଁର ୬୨ ବର୍ଷୀୟ ସୁଦର୍ଶନ ପାତ୍ର ଓ ବ୍ୟାସନଗର ଶର୍ମା କଲୋନୀର ୬୫ ବର୍ଷୀୟ ତୁଳାରାମ ଶର୍ମାଙ୍କ ଜୀବନ ଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ୨୦ ଜଣରୁ ଅଧିକ ରୋଗୀଙ୍କୁ SCB ସ୍ଥାନାନ୍ତର । ରାଜ୍ୟସ୍ତରୀୟ […]
ଯାଜପୁର : ଯାଜପୁରରେ ବ୍ୟାପି ଚାଲିଛି ଝାଡ଼ାବାନ୍ତି । ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରେ ପହଞ୍ଚିଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନଙ୍କ ମଧ୍ୟରେ ଦାନଗଦି ବ୍ଲକ ତକାଇଲୋ ଗାଁର ୬୨ ବର୍ଷୀୟ ସୁଦର୍ଶନ ପାତ୍ର ଓ ବ୍ୟାସନଗର ଶର୍ମା କଲୋନୀର ୬୫ ବର୍ଷୀୟ ତୁଳାରାମ ଶର୍ମାଙ୍କ ଜୀବନ ଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ୨୦ ଜଣରୁ ଅଧିକ ରୋଗୀଙ୍କୁ SCB ସ୍ଥାନାନ୍ତର । ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟିମରେ ମେଡିକାଲ୍ ଡାକ୍ତର, ମାଇକ୍ରୋ ବାଓଲଜିଷ୍ଟ୍, ଫୁଡ୍ ସେଫ୍ଟି ଇନସ୍ପେକ୍ଟର ଅଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆଡିସନାଲ୍ ମେଡିକାଲ୍ ଟିମ୍ ଯାଇଛନ୍ତି । ଏସସିବିରୁ ମଧ୍ୟ ଗୋଟିଏ ଆଡିସନାଲ୍ ମେଡିକାଲ୍ ଟିମ୍ ଯାଜପୁର ଯାଉଛନ୍ତି ।
ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକ୍ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ରୋଗୀଙ୍କ ସଂଖା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାକୁ ନେଇ ଜିଲ୍ଲାରେ ଭୟ ବଢୁଥିବା ବେଳେ ଯାଜପୁର ଜିଲ୍ଲାପାଳ ନିଜେ ଗତକାଲି ପରିସ୍ଥିତିର ସମୀକ୍ଷା କରିଥିଲେ ହସ୍ପିଟାଲରେ ଅତିରିକ୍ତ ଡାକ୍ତର ମୁତୟନ କରିବା ସହ ଏବଂ ମେଡିସିନ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସ୍ଥିତି ସମ୍ପର୍କରେ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି, ‘‘ଏଯାଏଁ ନିୟନ୍ତ୍ରଣକୁ ଆସିନି ଯାଜପୁର ଝାଡ଼ାବାନ୍ତି। ଆକ୍ୟୁଟ ଡାଇରିଆ କାରଣରୁ କିଛି ରୋଗୀ ଗୁରୁତର ଅଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି, ପ୍ରକୃତ କାରଣ ଯାଞ୍ଚ ଚାଲିଛି। ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ସନ୍ଦେହ କରାଯାଉଛି। ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି।’’
ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣର ମାଧ୍ୟମ ପାଇପ୍, କୂଅ, ପୋଖରୀ ସଫା କରିବା ପାଇଁ କୁହାଯାଇଛି । ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ସଂକ୍ରମଣ ହୋଇଥିବା କହିଛନ୍ତି ଡାକ୍ତର ।




