ଆଜି ନୀଳାଦ୍ରି ବିଜେ,ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ଭଉଣୀଙ୍କ ସହିତ ବାହୁଡ଼ି ଆସିଛନ୍ତି ମହାବାହୁ । ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ଆଜି ନୀଳ କାନ୍ଦରକୁ ପ୍ରବେଶ କରିବେ ମହାପ୍ରଭୁ । ଶ୍ରୀ ବିଗ୍ରହ ମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ବେଦୀକୁ ଯିବେ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡଠାକୁର। […]
ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ଭଉଣୀଙ୍କ ସହିତ ବାହୁଡ଼ି ଆସିଛନ୍ତି ମହାବାହୁ । ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ଆଜି ନୀଳ କାନ୍ଦରକୁ ପ୍ରବେଶ କରିବେ ମହାପ୍ରଭୁ । ଶ୍ରୀ ବିଗ୍ରହ ମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ବେଦୀକୁ ଯିବେ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡଠାକୁର। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଅନୁଯାୟୀ ହରିଶୟନ ଏକାଦଶୀ ଦିନ ସୁନାବେ,ଦ୍ଵାଦଶୀରେ ଅଧରପଣା ଏବଂ ତ୍ରୟୋଦଶୀ ଦିନ ପାଳନ ହୋଇଥାଏ ନୀଳାଦ୍ରି ବିଜେ ନୀତି । ରଥ ଉପରେ ମଧ୍ୟାହ୍ନ ସନ୍ଧ୍ୟା ଧୂପ ପରେ ରଥ ଉପରେ ବନ୍ଧା ଯାଇଥାଏ ଚାରମାଳ । ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନିରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ।
ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ। ନୀଳାଦ୍ରୀ ବିଜେ ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଥାଏ । ପତ୍ନୀଙ୍କୁ ସାଥିରେ ନନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲକ୍ଷ୍ମୀ । ଜଗନ୍ନାଥ ବଡ଼ଦେଉଳକୁ ଫେରୁଥିବା ଜାଣି ମା’ ଲକ୍ଷ୍ମୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି । ବିଶ୍ୱାସ ରହିଛି, ନୀଳାଦ୍ରି ବିଜେରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦିଅନ୍ତି। ଏହାପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି।ଏହି ଦିନ ଶ୍ରଦ୍ଧାଳୁ ମଧ୍ୟ ବଡ଼ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କୁ ରସଗୋଲା ଅର୍ପଣ କରନ୍ତି।




