ମୋହନ ମାଝୀ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ବିଜେପି ଘୋଷଣା କଲା ନୂତନ ମୁଖ୍ୟମନ୍ତ୍ରୀ I ରାଜ୍ୟର ମଙ୍ଗ ଧରିଲେ ମୋହନ ଚରଣ ମାଝୀ I କେନ୍ଦୁଝର ମାଟିର ଆଦିବାସୀ ପୁଅ ମୋହନ ଚରଣ ମାଝୀ ହେଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ I ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ମୋହର ବାଜିଛି। ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବା ବେଳେ କିଭଳି ଥିଲା ତାଙ୍କର […]

Samaya Live Picture
Published On

ଭୁବନେଶ୍ୱର : ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ବିଜେପି ଘୋଷଣା କଲା ନୂତନ ମୁଖ୍ୟମନ୍ତ୍ରୀ I ରାଜ୍ୟର ମଙ୍ଗ ଧରିଲେ ମୋହନ ଚରଣ ମାଝୀ I କେନ୍ଦୁଝର ମାଟିର ଆଦିବାସୀ ପୁଅ ମୋହନ ଚରଣ ମାଝୀ ହେଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ I ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ମୋହର ବାଜିଛି। ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବା ବେଳେ କିଭଳି ଥିଲା ତାଙ୍କର ରାଜନୈତିକ ଜୀବନର ଆରମ୍ଭ ସେନେଇ ଜାଣିବାକୁ ଉତ୍କଣ୍ଠା ବଢ଼ିଛି।

ସୂଚନାନୁସାରେ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ସରପଞ୍ଚ ପାଇଁ ଲଢ଼ି ବିଜୟୀ ହୋଇଥିଲେ। ସେବେଠାରୁ ରାଜନୀତିରେ ତାଙ୍କର ମୂଳଦୁଆ ପଡ଼ିଥିଲା।

ପରେ ସେ ୨୦୦୦ରେ ଓଡ଼ିଶା ବିଧାନସଭା ଲାଗି ଭାଜପା ଟିକେଟରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜେତା ହୋଇଥିଲେ। ୨୦୦୪ରେ ମଧ୍ୟ ସେ ସମାନ ଆସନରୁ ଲଢ଼ି ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯, ୨୦୧୪ ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ସେ ହାର ମାନି ନ ଥିଲେ। ସେ ପୁନର୍ବାର ୨୦୧୯ରେ ନିର୍ବାଚନ ଲଢ଼ି ବିଜେତା ହୋଇଥିଲେ। ୨୦୨୪ରେ ମଧ୍ୟ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ୮୭୮୧୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ସେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କର ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ ହେବ I ଏହାପୂର୍ବରୁ ସେ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

ତାଙ୍କ ସହ ସମସ୍ତ ୭୮ ଜଣ ବିଜେପି ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ସେ ରାଜ୍ୟପାଳଙ୍କୁ ଅବଗତ ଜଣାଇଛନ୍ତି। ୩ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଥିବା ଗୋଟିଏ ପତ୍ର ମଧ୍ୟ ସେ ରାଜ୍ୟପାଳଙ୍କୁ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଘୋଷଣା ହେବାପରେ ଶ୍ରୀଯୁକ୍ତ ମୋହନ ମାଝୀ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ପ୍ରଣାମ । ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି । ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ । ଓଡିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ । ଆଜି ବିଜେପି ବିଧାୟକ ଦଳର ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି । ସେହିପରି କେଭି ସିଂ ଦେଓ ଓ ପ୍ରଭାତି ପରିଡାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି । ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।

Tags: