ମହାନଦୀରେ ଛୋଟ ବନ୍ୟା ଆଶଙ୍କା,୧୫ଟି ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷ ଯୋଗୁଁ ମହାନଦୀ ସିଷ୍ଟମରେ ଛୋଟଧରଣର ବନ୍ୟା ଆଶଙ୍କା ଦେଖାଦେଇଛି I ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) | ଏହି ବୈଠକରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ବର୍ତ୍ତମାନ ମୁଣ୍ଡଳୀରେ ୭ ଲକ୍ଷ ୯୮ ହଜାର ୫୯୯ କ୍ୟୁସେକ ପାଣି ପ୍ରବାହିତ […]
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷ ଯୋଗୁଁ ମହାନଦୀ ସିଷ୍ଟମରେ ଛୋଟଧରଣର ବନ୍ୟା ଆଶଙ୍କା ଦେଖାଦେଇଛି I ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) | ଏହି ବୈଠକରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି ।
ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ବର୍ତ୍ତମାନ ମୁଣ୍ଡଳୀରେ ୭ ଲକ୍ଷ ୯୮ ହଜାର ୫୯୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଜଳସ୍ତର ଅପ ଷ୍ଟ୍ରିମରେ ୯୨ ଫୁଟ ଓ ଡାଉନ ଷ୍ଟ୍ରିମରେ ୮୮ ଫୁଟ ରହିଛି | ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବ | ବିଶେଷ କରି ଆଜି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି | ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା | ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତାକାଲି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ପହଞ୍ଚିବ ବନ୍ୟାଜଳ । ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଟିମ୍ ନିୟୋଜିତ ହୋଇଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି I ୧୫ ଜିଲ୍ଲାରେ ୮ଟି ଏନଡିଆରଏଫ୍ ଟିମ, ୧୩ଟି ଓଡ୍ରାଫ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀର ଟିମ ପଠାଯାଇଛି । ପ୍ରଭାବିତ ୧୫ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା।
ତଳିଆ ଅଞ୍ଚଳଗୁଡିକରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ ଅଛନ୍ତି | ସେହିପରି ଦୁର୍ବଳ ନଦୀବନ୍ଧଗୁଡିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ନିର୍ଦ୍ଦେଶ ଦିଆଯାଇଛି | ସ୍ଥାନୀୟ ପୁଲିସ ସହ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି | ଆବଶ୍ୟକ ପଡିଲେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି |




