ନିଦ ପାଇଁ ଆବଶ୍ୟକ ମିନେରାଲ୍ସ
ଉତ୍ତମ ନିଦ୍ରା ପାଇଁ କେବଳ ଏକ ଆରାମଦାୟକ ବିଛଣା ନୁହେଁ, ବରଂ ଶରୀରରେ ସଠିକ୍ ପରିମାଣର ଖଣିଜ ଲବଣ ବା ମିନେରାଲ୍ସ ରହିବା ମଧ୍ୟ ଅତ୍ୟନ୍ତ ଜରୁରୀ। କିଛି ନିର୍ଦ୍ଧିଷ୍ଟ ଖଣିଜ ପଦାର୍ଥ ଆମ ମସ୍ତିଷ୍କକୁ ଶାନ୍ତ କରିବା ସହ ମାଂସପେଶୀକୁ ଆରାମ ଦେଇଥାନ୍ତି। ଆସନ୍ତୁ ଜାଣିବା ସେହିଭଳି କିଛି ମିନେରାଲ୍ସ ସମ୍ପର୍କରେ ।
୧. ମ୍ୟାଗ୍ନେସିୟମ୍
ମ୍ୟାଗ୍ନେସିୟମ୍କୁ ନିଦ୍ରା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ବୋଲି କୁହାଯାଏ। ଏହା ଶରୀରରେ ଥିବା 'ଜିଏବିଏ' ନାମକ ଏକ ନ୍ୟୁରୋଟ୍ରାନ୍ସମିଟରକୁ ସକ୍ରିୟ କରେ, ଯାହା ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଏହା ମାଂସପେଶୀର କଠିନତାକୁ କମ୍ କରିଥାଏ, ଯାହାଫଳରେ ଶରୀର ଶୀଘ୍ର ବିଶ୍ରାମ ଅବସ୍ଥାକୁ ଯାଏ। ଏହା ଆମର କର୍ଟିସୋଲ (ଷ୍ଟ୍ରେସ୍ ହରମୋନ୍)କୁ ନିୟନ୍ତ୍ରଣ କରି ମାନସିକ ଚିନ୍ତା ଦୂର କରେ। ତେଣୁ ନିଦ ନହେଉଥିଲେ ଖାଦ୍ୟରେ କଖାରୁ ମଞ୍ଜି, ପାଳଙ୍ଗ ଶାଗ, ବାଦାମ ଏବଂ ଡାର୍କ ଚକୋଲେଟ ସାମିଲ କରନ୍ତୁ ।
୨. ପୋଟାସିୟମ୍
ପୋଟାସିୟମ୍ ଶରୀରରେ ରକ୍ତ ସଞ୍ଚାଳନ ଏବଂ ହୃଦସ୍ପନ୍ଦନକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ। ଏହା ଗଭୀର ନିଦ୍ରାର ସମୟ ସୀମା ବଢ଼ାଇଥାଏ। ରାତିରେ ବାରମ୍ବାର ଉଠିବାକୁ ଏହା ରୋକିଥାଏ । ଏହାର ଅଭାବରେ ରାତିରେ ଗୋଡ଼ର ମାଂସପେଶୀ ଟାଣି ହୋଇଥାଏ , ଯାହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ । ଆମକୁ ପୋଟାସିୟମ କଦଳୀ, କନ୍ଦମୂଳ ତଥା ନଡ଼ିଆ ପାଣିରୁ ମିଳିଥାଏ ।
୩. କ୍ୟାଲସିୟମ୍
କ୍ୟାଲସିୟମ୍ କେବଳ ହାଡ଼ ପାଇଁ ନୁହେଁ, ବରଂ ନିଦ୍ରା ପାଇଁ ମଧ୍ୟ ଜରୁରୀ। ଏହା ମସ୍ତିଷ୍କକୁ 'ଟ୍ରିପ୍ଟୋଫାନ୍' ବ୍ୟବହାର କରି 'ମେଲାଟୋନିନ୍' ବା ନିଦ୍ରା ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ। ଏହା ଶରୀରକୁ ସୂଚନା ଦିଏ ଯେ ଏବେ ଶୋଇବା ସମୟ ହୋଇଗଲାଣି, ଯାହାଫଳରେ ଆପଣଙ୍କୁ ଶୀଘ୍ର ନିଦ୍ରା ଆସେ। କ୍ଷୀର, ଦହି, ଛେନା ଏବଂ ସବୁଜ ପନିପରିବାରୁ ଏହା ଭରପୂର ମାତ୍ରାରେ ମିଳିଥାଏ ।
୪. ଜିଙ୍କ୍
ଜିଙ୍କ୍ ଆମ ସ୍ନାୟୁ ପ୍ରଣାଳୀକୁ ଶାନ୍ତ ରଖିବା ପାଇଁ ଏକ ସେଡେଟିଭ୍ ଭଳି କାମ କରିଥାଏ । ସ୍ୱପ୍ନ ଓ ଗଭୀର ନିଦ୍ରା: ଜିଙ୍କ୍ ନିଦ୍ରାର ବିଭିନ୍ନ ପର୍ଯ୍ୟାୟକୁ ଏହା ସନ୍ତୁଳିତ ରଖେ, ଯାହାଫଳରେ ଆମେ ସକାଳେ ଉଠିବା ବେଳକୁ ସତେଜ ଅନୁଭବ କରନ୍ତି। ପ୍ରତିଦିନ ଖାଦ୍ୟରେ ମାଂସ, ବାଦାମ, ଚଣା ଏବଂ ବିଭିନ୍ନ ପ୍ରକାରର ଶସ୍ୟ ସାମିଲ କରନ୍ତୁ ।
୫. ଆଇରନ୍
ଲୌହ ବା ଆଇରନ୍ର ଅଭାବରେ 'ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ୍' ହୋଇଥାଏ, ଯେଉଁଥିରେ ଶୋଇବା ବେଳେ ଗୋଡ଼ ହଲାଇବାକୁ ଇଚ୍ଛା ହୁଏ। ଆଇରନ ମସ୍ତିଷ୍କକୁ ସଠିକ୍ ପରିମାଣର ଅମ୍ଳଜାନ ପହଞ୍ଚାଏ, ଯାହା ଫଳରେ ମସ୍ତିଷ୍କ ବିଶ୍ରାମ ନେଇପାରେ। ମାଂସ, ଡାଲି ଜାତୀୟ ଖାଦ୍ୟ, ପାଳଙ୍ଗ ଏବଂ କିସମିସରେ ଆଇରନର ମାତ୍ରା ଖୁବ ଅଧିକ ଥାଏ ।



