ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ , ଗଠନ ହେଲା ଏମ୍‌ବିବିଏସ୍‌ ଓଡ଼ିଆ ପାଠ୍ୟ ପୁସ୍ତକ କମିଟି

ଭୁବନେଶ୍ୱର : ଡାକ୍ତରୀ ବିଦ୍ୟାର୍ଥିମାନେ ଏଣିକି ଓଡ଼ିଆରେ ପଢିବେ ପାଠ I ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ I ଓଡ଼ିଆ ଅନୁବାଦ ପାଇଁ ଗଠନ ହେଲା ଏମ୍‌ବିବିଏସ୍‌ ଓଡ଼ିଆ ପାଠ୍ୟ ପୁସ୍ତକ କମିଟି I ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି। ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର […]

Samaya Live Picture
Published On

ଭୁବନେଶ୍ୱର : ଡାକ୍ତରୀ ବିଦ୍ୟାର୍ଥିମାନେ ଏଣିକି ଓଡ଼ିଆରେ ପଢିବେ ପାଠ I ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ I ଓଡ଼ିଆ ଅନୁବାଦ ପାଇଁ ଗଠନ ହେଲା ଏମ୍‌ବିବିଏସ୍‌ ଓଡ଼ିଆ ପାଠ୍ୟ ପୁସ୍ତକ କମିଟି I ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି।

ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି I ପୂର୍ବରୁ ଇଂଜିନିୟରିଂ ପଢିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବାବେଳେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଛାତ୍ରଙ୍କ ପାଇଁ ଏହି ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି I

ଜାରି ନିର୍ଦ୍ଦେଶନାମା ଅନୁସାରେ ପାଠ୍ୟପୁସ୍ତକ କମିଟି ଏମବିବିଏସ ପାଇଁ ଉଦ୍ଦିଷ୍ଟ ବହିକୁ ଚିହ୍ନଟ କରିବେ I ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌‌ଏସ୍‌‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ। ଏହି କମିଟିରେ ଏମ୍‌‌ସ ଭୁବନେଶ୍ୱର, ଏସ୍‌‌ସିବି ମେଡିକାଲ କଲେଜ ସମେତ ବିଭିନ୍ନ ମେଡିକାଲ କଲେଜର ପ୍ରାଧ୍ୟାପକଙ୍କ ସମେତ ଓଡ଼ିଶା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ସଦସ୍ୟ ରହିଛନ୍ତି। ଆଗାମୀ ୧୫ ଦିନ ଭିତରେ ଏହି କମିଟି ସ୍ୱାସ୍ଥ୍ୟ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ।

ଜାତୀୟ ଶିକ୍ଷା ନୀତି ବିରୋଧରେ ଯାଇ ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି ୨୦୨୧ ସେପ୍ଟେମ୍ବର ମାସରେ ନ୍ୟାସନାଲ ମେଡିକାଲ କାଉନସିଲ (ଏନ୍‌‌ଏମ୍‌‌ସି) ସ୍ପଷ୍ଟ କରିଥିଲା। ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଶିକ୍ଷାଦାନ ପାଇଁ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଏନ୍‌‌ଏମ୍‌‌ସି କହିଥିଲା। ଡାକ୍ତରୀ ଓ ପାରାମେଡିକାଲ ପାଠ୍ୟକ୍ରମରେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ଏନ୍‌‌ଏମ୍‌‌ସି ଏହି ସ୍ପଷ୍ଟିକରଣ ଜାରି କରିଥିଲା। ତେବେ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଆସିଥିବା ପ୍ରସ୍ତାବ ଅନୁସାରେ ଡାକ୍ତରୀ ଶିକ୍ଷା, ବିଜ୍ଞାନ ଓ ବୈଷୟିକ ପାଠ୍ୟକ୍ରମ ଓଡିଆ ଭାଷାରେ ପ୍ରଚଳନ ପାଇଁ ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। ଅଭିଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଇଂରାଜୀ ହେଉଛି ଅନ୍ତର୍ଜାତୀୟ ଭାଷା ଏବଂ ଏହି ଭାଷାରେ ଶିକ୍ଷାଗ୍ରହଣ ଜରୁରୀ। କିନ୍ତୁ ଋଷ, ଚୀନ ଭଳି ରାଷ୍ଟ୍ରରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ହେଉଛି ଏବଂ ସେହି ଭାଷାରେ ପାଠ ପଢ଼଼ି ବହୁତ ଭଲ ଡାକ୍ତର ବାହାରୁଛନ୍ତି। ତେଣୁ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହେଲେ ସମସ୍ୟା କିଛି ନାହିଁ। ଆମ ଭାଷାର ପ୍ରଚାର ପ୍ରସାର ହେବା ସହିତ ଏହା ଅଧିକ ରୁଦ୍ଧିମନ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

Tags: