ଆଜି ପବିତ୍ର ମହାଶିବରାତ୍ରି ,ଜାଗର ଜାଳିବା ପାଇଁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ବିଭିନ୍ନ ଶୈବ ପୀଠ । ବଡି ଭୋରରୁ ଶିବାଳୟମାନକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଉପବାସ ଓ ଉଜାଗର ରହି ଦୀପ ଜାଳିବେ ବ୍ରତଧାରୀ । ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ। ମନ୍ଦିର ମୁଖ୍ୟ […]

ଆଜି ପବିତ୍ର ମହାଶିବରାତ୍ରି ,ଜାଗର ଜାଳିବା ପାଇଁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Samaya Live Picture
Published On

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ବିଭିନ୍ନ ଶୈବ ପୀଠ । ବଡି ଭୋରରୁ ଶିବାଳୟମାନକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଉପବାସ ଓ ଉଜାଗର ରହି ଦୀପ ଜାଳିବେ ବ୍ରତଧାରୀ । ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ। ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ୟ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜ ଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଛି । ସକାଳ ୩ ରୁ ୩.୩୦ ପର୍ୟ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଆଜି ମହାଶିବରାତ୍ରି ପାଇଁ ଦିନ ୧୧ ଟା ପର୍ୟ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ପ୍ରଥମେ ୩.୩୦ ଦ୍ଵାରା ଫିଟା ନୀତି ଠାରୁ ଆରମ୍ଭ କରି ସକାଳ ୫ ଟା ପର୍ୟ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା ।

ସେହିପରି ଓଡ଼ିଶାର ଅନ୍ୟତମ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ଶୈବପୀଠ । ପୂଜକ ସମିତି ପକ୍ଷରୁ ରାତ୍ର ଚାରିଟାରେ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ ବାବା ଧବଳେଶ୍ବରଙ୍କୁ କେତକୀ ଫୁଲରେ ସଜ୍ଜିତ କରାଯାଇ ସଧାରଣ ଦର୍ଶନ ନିମନ୍ତେ ମନ୍ଦିରର ଦ୍ଵାର ଫିଟା ଯାଇଥିଲା । ଦ୍ୱାର ଫିଟିବା ପରେ ଶ୍ରଦ୍ଧାଳୁମାନେ ଲମ୍ୱା ଲାଇନ୍‌ରେ ଲାଗି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି । ରାତ୍ର ୧୨ଟା ୩୦ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ ରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି,ରାତ୍ର ୨ ଘଟିକା ରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ବାବା ଲୋକନାଥଙ୍କ ନିକଟରେ ସ୍ୱତନ୍ତ୍ର ଚୁଡା ଘସା ଭୋଗ ଲଗାଉଛନ୍ତି ଭକ୍ତ । ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ସରିବା ପରେ ଶ୍ରୀମନ୍ଦିରରୁ ଭଣ୍ଡାର ରକ୍ଷକ ଲୋକନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ପନ୍ତି ଖାଇ ଆସି ପଂହଚିବେ ଲୋକନାଥଙ୍କ ପୀଠରେ ।

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ଦ୍ଵାରା ପହିଲି ଭୋଗ ଲାଗି ହୋଇଥିଲା । ଭକ୍ତମାନେ ବ୍ୟାରିକେଡ଼ ରେ ଆସି ଆଖଣ୍ଡଳମଣିଙ୍କୁ ଦର୍ଶନ କରୁଛନ୍ତି । ବର୍ଷର ଏହି ଗୋଟିଏ ଦିନ ବାବା ଆଖଣ୍ଡଳମଣି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭୋର ୪ଟା୩୦ ମିନଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ ।

ସେହିପରି ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର କଖାରୁଆ ବୈଦ୍ୟନାଥଙ୍କ ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଏଠାରେ ଆରଡ଼ି ଧାମର ନୀତି ଅନୁସାରେ ଭୋର ୪.୩୦ରେ ମହାଦୀପ ଉଠାଯିବ । ଜାଗର ଜାଳିବା ପାଇଁ ଭକ୍ତମାନେ ରାତି ସାରା ଉଜାଗର ରହି ଦୀପ ଜାଳିଥାନ୍ତି । ତେବେ ଏଠାରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବାରୁ ମନ୍ଦିର ଆଖପାଖରେ ଥିବା ଚାଷ ଜମି ଗୁଡିକୁ ଜାଗର କିଛି ଦିନ ପୂର୍ବରୁ ସଫା କରାଯାଇ ଶ୍ରଦ୍ଧାଳୁଙ୍କ ବସିବା ନିମନ୍ତେ ଜାଗା ନିଲାମ କରାଯାଇଥାଏ । ଜାଗର ଉପଲକ୍ଷେ ମାଣତ୍ରୀରେ ୧୫ ଦିନ ଧରି ମେଳା ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ ଯାତ୍ରାପାର୍ଟି ଆସି ନାଟକ ପରିବେଷଣ କରିଥାନ୍ତି ।

ମହାଶିବରାତ୍ରି ପାଇଁ ରାଜଧାନୀରେ ଲାଗୁ ହୋଇଛି ଟ୍ରାଫିକ କଟକଣା। ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ସମେତ ବିଭିନ୍ନ ଶୈବପୀଠରେ ଭକ୍ତ ଭିଡ଼ ଜମିବ। ଏଥିପାଇଁ ଯାନବାହନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସମୟରେ ଯେଭଳି ରାସ୍ତାରେ ଭିଡ଼ ନହୁଏ କିମ୍ବା ଜାମ୍ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

ରଥ ରୋଡ୍ ଏବଂ ପୁନମାଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ବଢ଼େଇବାଙ୍କ ଛକଠାରୁ ଆଗକୁ ନଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ଅନ୍ୟପକ୍ଷରେ ପାର୍କିଂ ପାଇଁ ୧୨ଟି ସ୍ଥାନ ଚିହ୍ନଟ ହୋଇଛି। ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ମୁତୟନ କରାଯିବ ।

Tags: