ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ରେଟ ଚାର୍ଟ,କ୍ଷୀରା, ରାବିଡ଼ି ବିକ୍ରି ବନ୍ଦ

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ମହାପ୍ରସାଦ ଉପରେ ଲାଗିବ ଦର ତାଲିକା । ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତିକ୍ରମେ ସବ୍‍ କମିଟି ଗଠନ କରାଯାଇଛି । ଏହି କମିଟି ୧୦ ଦିନ ଭିତରେ ଆବଶ୍ୟକ ସୁପାରିଶ୍‍ ଶ୍ରୀମନ୍ଦିର ପ୍ରଶାସନକୁ […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ମହାପ୍ରସାଦ ଉପରେ ଲାଗିବ ଦର ତାଲିକା । ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତିକ୍ରମେ ସବ୍‍ କମିଟି ଗଠନ କରାଯାଇଛି । ଏହି କମିଟି ୧୦ ଦିନ ଭିତରେ ଆବଶ୍ୟକ ସୁପାରିଶ୍‍ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ।

ବୈଠକରେ ଆନନ୍ଦବଜାରର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ। ସେହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ ଓ ସାଇନେଜ୍‌ ଲାଗିବ।

ସେହିଭଳି ସୁପକାରମାନଙ୍କୁ ପରିଚୟପତ୍ର ବି ସେହି ଅନୁସାରେ ପ୍ରଦାନ କରାଯିବ। ମହାପ୍ରସାଦ ବିକ୍ରି ବେଳେ କେହି ଭକ୍ତଙ୍କ ବାଟ ଓଗାଳି ପାରିବେନି। ଭକ୍ତଙ୍କ ପ୍ରସାଦ ସେବନ ଜାଗାରେ ପିଢ଼ା, ଖଟ ଆଦି ପକାଇ ପାରବେନି। ଆନନ୍ଦବଜାରରେ ପଲିଥିନ୍‌ ପକାଯିବନି। ଆବଶ୍ୟକ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ତାରପିନର ବ୍ୟବସ୍ଥା କରିବ। କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ। ତେବେ କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ। ମହାପ୍ରସାଦ ଦର ତାଲିକା ବି ଖୁବଶୀଘ୍ର ଲାଗିବ। ଯଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ। ଆନନ୍ଦବଜାର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେବ।

ଏହାପୂର୍ବରୁ ମହାପ୍ରସାଦ ଦର ଆକାଶଛୁଆଁ ହେବା ସହ,ଭକ୍ତ ମାନେ ଠକାମିର ଶିକାର ହେବାର ଅଭିଯୋଗ ହେଇ ଆସୁଥିଲା I ଏ ସବୁ ସମସ୍ୟାର ସମାଧାନ ପାଇଁ,ବୈଠକରେ ସୁଆର,ମହାସୁଆର,ନିଯୋଗ ପରିଚାଳନା କମିଟି ସଦସ୍ୟ,ଶ୍ରୀ ମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କର କମିଟି ଗଠନ ହୋଇଛି I

Tags: