ଆଜି ମହାବାହୁଙ୍କର ଅଧରପଣା ନୀତି

ପୁରୀ : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ।ଗତକାଲି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଆଜି ରଥାରୁଢ଼ ମହାବାହୁଙ୍କର ଅଧରପଣା ଲାଗି ନୀତି ହେବ । ଚଣ୍ଡୀ ଚାମୁଣ୍ଡାଙ୍କ ନିମନ୍ତେ ଶ୍ରୀଜୀଉଙ୍କ ଅଧରରେ ୯ ଟି ତୁମ୍ବାରେ ପଣା ଲାଗିହେବ । ଏହାକୁ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାଆନ୍ତି। ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ତିନି ରଥକୁ […]

ଆଜି ମହାବାହୁଙ୍କର ଅଧରପଣା ନୀତି
Samaya Live Picture
Published On

ପୁରୀ : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ।ଗତକାଲି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଆଜି ରଥାରୁଢ଼ ମହାବାହୁଙ୍କର ଅଧରପଣା ଲାଗି ନୀତି ହେବ । ଚଣ୍ଡୀ ଚାମୁଣ୍ଡାଙ୍କ ନିମନ୍ତେ ଶ୍ରୀଜୀଉଙ୍କ ଅଧରରେ ୯ ଟି ତୁମ୍ବାରେ ପଣା ଲାଗିହେବ । ଏହାକୁ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାଆନ୍ତି।

ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ତିନି ରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବଦେବୀ ବିରାଜମାନ କରିଥାନ୍ତି । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ତୃପ୍ତ କରିବାକୁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ୩ଟି ଲେଖାଏଁ ତୁମ୍ବା କାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ ।

ସେପଟେ ଗତକାଲି ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ । ମହାପ୍ରଭୁଙ୍କ ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ଅନ୍ୟପଟେ,ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଚତୁର୍ମାସ୍ୟା ବ୍ରତ । ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଶୟନଯାତ୍ରା ପାଳିତ ହୁଏ । ମହାପ୍ରଭୁଙ୍କର ଦ୍ୱାଦଶଯାତ୍ରା ମଧ୍ୟରେ ଶୟନଯାତ୍ରା ଅନ୍ୟତମ । ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ରାତି ସମୟରେ ଜନମଙ୍ଗଳ ଉଦ୍ଦେଶ୍ୟରେ ବିଷ୍ଣୁ ଶୟନ ଯାଆନ୍ତି । ଆଷାଢ଼ ଶୁକ୍ଳ ଏକାଦଶୀ ହେଉଛି ‘ହରିଶୟନ’ ଏକାଦଶୀ । ଏହି ଦିନଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ, ଚାରିମାସ ବ୍ୟାପୀ ଭଗବାନ ହରି ବା ଶ୍ରୀବିଷ୍ଣୁ ଶୟନ କରିଥାନ୍ତି ।

Tags: