ମା'ସରସ୍ୱତୀଙ୍କ ଆରାଧନା ପର୍ବ
ବିଦ୍ୟାଦାୟିନୀ, ଜଡ଼ତାହାରିଣୀ କାବ୍ୟକଳାର ଆଦ୍ୟାଶକ୍ତି - ସକଳ ଜ୍ଞାନ ଓ ଚେତନା ଶକ୍ତିର ଉଦ୍ରେକକାରିଣୀ, ଦେବୀ ବୀଣାପାଣି । ମା'ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଜ୍ଞାନପିପାସୁ ଆର୍ଯ୍ୟ ମାନବ ଭକ୍ତି ବିନମ୍ର କଣରେ ଗାଇଥାଏ - "ଯା କେନ୍ଦୁ ତୁଷାରହରା ଧବଳା ଯା ଶ୍ବେତ ପଦ୍ମାସନା, ଯା ବୀଣା ବରଦଣ୍ଡମଣ୍ଡିତକରା, ଯା ଶୁକ୍ଳ ବସ୍ତ୍ରନ୍ୱିତା, ଯା ବ୍ରହ୍ମାଚ୍ୟୁତଶଙ୍କର ପ୍ରଭୃତିଭିଃ ଦେବୈ ସଦା ବନ୍ଦିତା, ସ ମାଂ ପାତୁ ସରସ୍ୱତୀ ଭଗବତୀ ନିଶେଷ ଜାଡ଼୍ୟାପହା ।'
ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କର ଆବାହନ ତଥା ପୂଜା-ବନ୍ଦନା କରାଯାଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀରାଣୀ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ, ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜା ଅର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ । ଏଣୁ ଏହି ପଞ୍ଚମୀ, ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ମଧ୍ୟ ସୁବିଦିତ । ମା'ସରସ୍ୱତୀ ହେଉଛନ୍ତି ବିଦ୍ୟା, ବୁଦ୍ଧି, ଜ୍ଞାନ ଓ ବାଣୀର ଅଧିଷ୍ଠାତ୍ରୀ ଦେବୀ । ସେ ମୂଳସ୍ଥାନ ଅମୃତମୟ ପ୍ରକାଶପୁ ଅଟନ୍ତି । ତାଙ୍କର ତେଜ ଦିବ୍ୟ ଓ ଅପରିମେୟ । ତାଙ୍କୁ ଶବ୍ଦ ବ୍ରହ୍ମା ରୂପେ ପୂଜନ କରାଯାଏ । ପୁରାଣ ଅନୁସାରେ, ବ୍ରହ୍ମାସ୍ୱରୂପା, କାମଧେନୁ ତଥା ସମସ୍ତ ଦେବଙ୍କର ପ୍ରତିନିଧିତ୍ୱ କରିଥାନ୍ତି ବାଗ୍ଦେବୀ । ସେ ହେଉଛନ୍ତି ବିଦ୍ୟା, ବୁଦ୍ଧି ଓ ସରସ୍ୱତୀ । ମାଘମାସ ଶୁକ୍ଳପକ୍ଷ ବସନ୍ତ ପଞ୍ଚମୀ ତିଥିରେ ମା'ସରସ୍ୱତୀଙ୍କ ଅବତରଣ ହୋଇଥିଲା । ଏହି ତିଥିକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ । ଏହି ଦିନ ବିଶେଷ ପୂଜାର୍ଚ୍ଚନା ତଥା ବ୍ରତତ୍ସୋବ ଦ୍ୱାରା ମା'ସରସ୍ୱତୀଙ୍କ ସାନ୍ନିଧ୍ୟ ଲାଭ କରିହୁଏ । ମାଘ ଶୁକ୍ଳ ପଞ୍ଚମୀର ପ୍ରାତଃକାଳରେ ବାଗ୍ଦେବୀଙ୍କୁ ଆହ୍ୱାନ କରାଯାଏ । ସରସ୍ୱତୀ ଦେବୀଙ୍କ ଏହି ବାର୍ଷିକ ପୂଜାରେ ଛୋଟ ପିଲାଙ୍କ ଅକ୍ଷର ଆରମ୍ଭ ଓ ବିଦ୍ୟାରମ୍ଭ କରାଯାଏ । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢ଼ାଇ ଘେନି ଯିବାର ସେ ହେଲେ ଅଧିଷ୍ଠାତ୍ରୀ ଦେବୀ ।
ସତ୍ୟ ମହାପାତ୍ର
ଦୂରଭାଷ : ୯୬୫୮୧୦୫୫୩୨



