ମାଆ ମଙ୍ଗଳା
ଶରତର ଆଗମନରେ ପୃଥିବୀ ଶସ୍ୟଶ୍ୟାମଳା ହେବା ସହିତ ଦୂର ଗହୀରରେ କାଶତଣ୍ଡୀ ଫୁଲ ଦେଖି ସମସ୍ତଙ୍କ ମନରେ ଉଙ୍କିମାରେ ଧରାପୃଷ୍ଠ କୁ ମାଆ ଆସୁଛନ୍ତି । ମା ଙ୍କ ଆଗମନରେ ସମସ୍ତେ ପୁଲକିତ ହୋଇ ଉଠନ୍ତି, ଲାଗିପଡ଼ନ୍ତି ମା ଙ୍କୁ ପୂଜାର୍ଚନା ପାଇଁ, ମା ଙ୍କ ଆଶୀର୍ବାଦର ପରସ ପାଇବା ପାଇଁ । ପ୍ରତ୍ୟେକ ଶକ୍ତି ପୀଠ ଚଳଚଞ୍ଚଳ ହୋଇ ଉଠେ, ଉତ୍ସବମୁଖର ହୋଇଉଠେ,ସଜେଇ ହୋଇ ପଡେ ମା ଙ୍କ ସ୍ୱାଗତ ପାଇଁ । ଏହିପରି ଏକ ଶକ୍ତି ପୀଠ ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠ । ମାତୃ ଉପାସନାର ଏକ ଅନନ୍ୟ ପୀଠ, ଯେଉଁଠାରେ ଜଗତର ନାଥ ଜଗନ୍ନାଥଙ୍କ ସମସ୍ତ ରୀତିନୀତି ଏଠାରେ ପରିଲକ୍ଷିତ ହୋଇଥାଏ । ଯେହେତୁ ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ କହିଲେ କାକଟପୁରକୁ ବୁଝାଇଥାଏ, ପୀଠ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ଆଜ୍ଞା ରେ ଲିମ୍ବ କାଠ ଦାରୁରେ ପରିଗଣିତ ହୁଏ । ଦାରୁରୁ ଚତୁର୍ଦ୍ଧାମୂର୍ତ୍ତି ତିଆରି ହୁଅନ୍ତି,ସେଇ ମଙ୍ଗଳମୟୀ ମା ମଙ୍ଗଳାଙ୍କ ଲୀଳା ଅବର୍ଣ୍ଣନୀୟ । ମାଆ ମଙ୍ଗଳାଙ୍କର ବିଭିନ୍ନ ମାସର ବିଭିନ୍ନ ଯାନିଯାତ୍ରା ମଧ୍ୟରେ ଶରତ ଋତୁରେ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ। ପବିତ୍ର ପାର୍ବଣ ଆଶ୍ୱିନ ମାସ ମୂଳାସପ୍ତମୀ ତିଥିରେ ସହସ୍ରାକୁମ୍ଭାଭିଷେକ ଓ ଘଟ ସ୍ଥାପନ ପୂର୍ବକ ମା ଦୁର୍ଗାଙ୍କୁ ଆବାହନ କରାଯାଏ । ମୂଳାଷ୍ଟାମୀଠାରୁ ଷୋଡଶଦିନାତ୍ମକ ପୂଜା ଆରମ୍ଭ ହୋଇ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳ ପୂଜା ବା ପାର୍ବଣ ପୂଜାଚାଲିଥାଏ । ଏହି ପୂଜା, ଭିତର ପୂଜା, ବାହାର ପୂଜା, ଓ ସନ୍ଧି ପୂଜା ଭାବେ ଅତ୍ୟନ୍ତ ନିଷ୍ଠାର ସହିତ ପ୍ରଚଳିତ ରୀତିନୀତି ଅନୁସାରେ ହୋଇଥାଏ । ପାର୍ବଣରେ ମାଆଙ୍କ ସାହସ୍ରକୁମ୍ଭାଭିଷେକ ୧O ୮ କଳସ ଶୁଦ୍ଧ ସୁଗନ୍ଧ ଯୁକ୍ତ, ହଳଦୀ, ଚୁଆ, ଅଗୁରୁ, ଚନ୍ଦନ ମିଶ୍ରିତ ଜଳ ଦ୍ୱାରା ମହାସ୍ନାନ କରାଯାଏ । ଯାହାକି ସାହାଣ ମେଲା କରାଯାଏ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ। ବ୍ୟତିକ୍ରମ ଏହିକି ଯେ ଅନ୍ୟଦିନ ମାନଙ୍କରେ ଚାରିକବାଟ ବନ୍ଦ କରି ମାଙ୍କ ସ୍ନାନ କରାଯାଏ। ବର୍ଷର ସବୁଦିନ ପାଞ୍ଚଉପଚାର ପଦ୍ଧତିରେ ମାଙ୍କୁ ପୂଜା କରାଯାଉଥିଲା ବେଳେ ପାର୍ବଣରେ ଷୋଡଶ ଉପଚାରରେ ପୂଜା ସ୍ୱତନ୍ତ୍ର ନିଯୁକ୍ତ ପୂଜାପଣ୍ଡାଙ୍କ ଦ୍ୱାରା ପୂଜlକରାଯାଏ । ମୂଳାଷ୍ଟାମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପୀଠରେ ଚଣ୍ଡୀପାଠ କରାଯାଏ । ଚଣ୍ଡୀପାଠ ପୂର୍ବରୁ ମା ଙ୍କୁ ସ୍ତୁତିଗାନ କରାଯାଏ,
ରୁପଂ ଦେହି ଜୟଂ ଦେହି,
ଯଶୋ ଦେହି, ତ୍ରି୍ଷୋ ଦେହି,,,
ମା ତୁମେ ରୂପ ଦିଅ, ଜୟ ପ୍ରଦାନ କର, ଯଶ ଦିଅ, ଶତ୍ରୁ ମାନଙ୍କ କବଳ ରୁ ରକ୍ଷା କର ll
ମା ମଙ୍ଗଳା ପରମବୈଷ୍ଣବୀ ଦେବୀ ଭାବେ ଖ୍ୟାତ l ମା ଙ୍କ ନିଜସ୍ୱ ମନ୍ତ୍ର ଅଗୋଚର ଥିବାବେଳେ, ମା ବନ ଦୁର୍ଗା ମନ୍ତ୍ର ରେ ପୂଜା ହୁଅନ୍ତି l ମା ଙ୍କ ଠାରେ ବର୍ଷ ସାରା ନିରାମିଷ ଭୋଗ ହେଉଥିବା ବେଳେ ପାର୍ବଣ ରେ ବନ ଦୁର୍ଗାଙ୍କ ପାଇଁ ଆମିଷ ଭୋଗ କରାଯାଏ । ଯେଉଁ ଭୋଗ ମାଙ୍କ ଆସ୍ଥାନ ପିଣ୍ଡିରେ ବଢ଼ା ନ ଯାଇ ବାହାର ଅର୍ଗଳୀ ଠାରେ ସମର୍ପଣ କରାଯାଇଥାଏ । ପାର୍ବଣ ସମୟ ରେ ପୀଠରେ, ପ୍ରତିଦିନ ଷୋଡଶ ଉପଚାରରେ ପୂଜା ହୋଇଥାଏ । ପ୍ରତିଦିନ ସ୍ନାନ, ମାର୍ଜନା, ସୂର୍ଯ୍ୟ ପୂଜା, ସକାଳ ଧୂପ, ଦ୍ବିପହର ଧୂପ, ଭଅଣ୍ଡ ସରିଲା ପରେ ପହୁଡ଼ ପଡିଥାଏ । ପହୁଡ଼ ଫିଟା ନୀତି ପରେ ସନ୍ଧ୍ୟା ଆଳତୀ କରାଯାଇ ମହାସ୍ନାନ କରାଯାଏ । ମା ଙ୍କୁ ମହାସ୍ନାନ କରାଯାଇ ପ୍ରତିପଦ ଠାରୁ ମହା ନବମୀ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ । ବେଶ ନୀତି ଅନୁଷ୍ଠିତ ପରେ ମା ରତ୍ନ ଗିରି କୁ ମହିଷାସୁର ଠାବ ପାଇଁ ଭ୍ରମଣୀ ରେ ଯାଇ ଥାଆନ୍ତି । ଏହି ଭ୍ରମଣୀ ନୀତିରେ ମାଙ୍କ ଚଳନ୍ତି ପ୍ରତିମା ମଣିବିମାନରେ ଅବସ୍ଥାନ କରି ନିକଟସ୍ଥ ରତ୍ନଗିରି ମଣ୍ଡପକୁ ଯାଇଥାନ୍ତି l ସେଠାରେ ମାଆଙ୍କ ଗୁପ୍ତ ନୀତି ସରିଲା ପରେ ପୁନର୍ବାର ମନ୍ଦିର କୁ ଫେରି ଆସିଥାନ୍ତି l ସେଠାରେ ଆଦିମାତାଙ୍କ ସହିତ ମା ଦୁର୍ଗାଙ୍କ ପଂକ୍ତି ଭୋଗ ସହିତ ବନ୍ଦାପନା ଆଳତୀ ପରେ ମାଙ୍କ ବେଶ ପଣା ଭୋଗ ସହିତ ବେଶ ନୀତି ସlହlଣମେଲା କରାଯାଏ । ଏହିପରି ଭାବରେ ପ୍ରତିଦିନ ମାଙ୍କ ବିଭିନ୍ନ ନୀତି ଅନୁଯାୟୀ ବିଭିନ୍ନ ବେଶ ହୋଇଥାଏ । ଏହି ଅବସରରେ ମା ମଙ୍ଗଳାଙ୍କ ନବପତ୍ରିକା ପୂଜା ଆରମ୍ଭ ରେ ନାଲିକଲି ଓ ଭୁଜ ଲାଗି, କଳାକଲି ଇତ୍ୟାଦି ବେଶ ପରେ ପଞ୍ଚମୀ ରେ ତୀର କମାଣ ଵେଶ, ଷଷ୍ଠୀ ପୂଜା ଵା କାତ୍ୟାୟାନୀ ବେଶ (କାର୍ତ୍ତିଖପର), ସପ୍ତମୀ ପୂଜାରେ ସିଂହବାହିନୀ ବେଶ, ମହାଷ୍ଟମୀ ପୂଜା ରେ ମହିଷାମର୍ଦିନୀ ବେଶ, ମହା ନବମୀ ରେ ମହା ସ୍ନାନ ଓ ଶାନ୍ତି ହୋମ କରାଯାଇ ଶାନ୍ତି ବେଶ, ସେଦିନ ମା ଙ୍କୁ ଶୁଭ୍ର ବସ୍ତ୍ର ପରିଧାନ କରାଇବା ସହିତ ଶୁଭ୍ର ପୁଷ୍ପ ବ୍ୟବହାର କରାଯାଇଥାଏ । ପରଦିନ ଦଶମୀରେ ସ୍ବମେଶ୍ବ ମହାଦେବଙ୍କ ପୀଠରେ ହର ଦୁର୍ଗା ଭେଟ କରାଯାଇ ପୂଜା ସମାପନ ହେବାସହିତ ବିଜୟାଦଶମୀ ପାଳନ କରାଯାଏ ।
ତଥ୍ୟ _ ମାନସ ଦିକ୍ଷୀତ (ସେବାୟତ)
ପ୍ରସ୍ତୁତି _ କାକଟପୁର ରୁ ପ୍ରଶାନ୍ତ କୁମାର ଜେନା




