ମାଆ ହିଙ୍ଗୁଳା

ମାଆ ହିଙ୍ଗୁଳା
Ipsita Picture
By: Ipsita
Published On

 

ଶିଳ୍ପନଗରୀ ତାଳଚେର ଅଞ୍ଚଳର ବହୁ ପ୍ରତେଖ୍ୟ ଦେବୀ ମା ହିଙ୍ଗୁଳା ତାଳଚେର କାହିଁକି ସମଗ୍ର ରାଜ୍ୟରେ ପରିଚିତ । ଯାହା ଫଳରେ ହିଙ୍ଗୁଳା ଯାତ୍ରା ସମୟରେ ସମଗ୍ର ରାଜ୍ୟରୁ ଓ ରାଜ୍ୟ ବାହାରୁ କେଉଁ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ମାନେ ଆସି ମା ଙ୍କୁ ଦର୍ଶନ କରିଥାନ୍ତି । ସେ ସମୟରେ ବିସ୍ତୀର୍ଣ୍ଣ ହିଙ୍ଗୁଳା ପୀଠ ଅଞ୍ଚଳଟି ଏକ ଲୋକାରଣ୍ୟରେ ପରିଣତ ହୋଇ ପଡିଥିବା ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥାଏ । ମା ଙ୍କ ନାମ ଅନେକ, ରୂପ ମଧ୍ୟ ଅନେକ । ଯିଏ ଯେଉଁ ରୂପରେ କିମ୍ବା ନାମରେ ଭକ୍ତଟି ଡାକି ଥାଏ, ସେହି ନାମରେ ଓ ରୂପରେ ତାଙ୍କ ନିକଟରେ ପହଞ୍ଚିଥାଆନ୍ତି ମା ହିଙ୍ଗୁଳା। ଯାତ୍ରା ସମୟରେ ମା ହିଙ୍ଗୁଳା ଅଗ୍ନି ରୂପରେ ଦର୍ଶନ ଦେଇଥାନ୍ତି ଏଵଂ ଅଗଣିତ ଭକ୍ତ ମାନେ ନେଇଥିବା ଲକ୍ଷ ଲକ୍ଷ ଟଙ୍କାର ଭୋଗରାଗ, ଧୂପ ଦୀପ ଅଗ୍ନି ରୁପୁଣି ମା ଙ୍କୁ ସମର୍ପଣ କରି ଥାଆନ୍ତି ଏବଂ କିଛି ସମୟ ପରେ ସେ ଗୁଡ଼ିକ ପୋଡ଼ି ପାଉଁଶ ହୋଇ ଯାଇଥାଏ, ଯାହା  ଅତି ଆଶ୍ଚର୍ଯ୍ୟଜନକ ।  ଏପରି ଠାକୁରାଣୀ ଅନ୍ୟ କୌଣସିଠାରେ ଦେଖିବାକୁ ମିଳନ୍ତି ନାହିଁ । ପୂର୍ବ ପରମ୍ପରା ଅନୁଯାୟୀ ହିଙ୍ଗୁଳା ପୀଠରେ  ବାର ମାସକୁ ତେର ପର୍ବ  ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଦଶହରା ପର୍ବ ଅନ୍ୟତମ । ଦଶହରା ପର୍ବ ପୂର୍ବରୁ ନଅ ଦିନ ବ୍ୟାପି ସେବକ ମାନେ ନିଷ୍ଠାର ସହ ରହି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୂଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ  ଅନେକ ବିଧି ବିଧାନ ଅନୁଯାୟୀ ପାଳିତ ହୋଇଥାଏ ଏବଂ ପୂଜା ଅନୁଯାୟୀ ମାଙ୍କ ନବରାତ୍ର ପୂଜା ଗୁଡିକରେ ମାଙ୍କୁ ନଅ ପ୍ରକାରର ବେଶ କରାଯାଇଥାଏ । ସେ ସମୟରେ ମାଙ୍କ ତେଜ ଓ ରୂପ ଭିନ୍ନ ହୋଉପଡ଼ିଥବା ଦେଖିବାକୁ ମିଳିଥାଏ। ମା ଙ୍କ ମୁଖ୍ୟ ସେବକ ପରମ୍ପରା ଅନୁଯାୟୀ ପୁରୁଷାନୁ କ୍ରମେ ଏବେ ୨୬ତମ ମାଙ୍କ ମୁଖ୍ୟ ସେବକ ଭାବେ କିଶୋର ଚନ୍ଦ୍ର ଦେହୁରୀ କାର୍ଯ୍ୟ କରି ଆସୁଥିଲା ବେଳେ ସେହିଭଳି ତାଳଚେର ଅଞ୍ଚଳର ୨୪ ତମ ରାଜା ସାହେବ  ଜିତେନ୍ଦ୍ର ବୀରବର ହରି ଚନ୍ଦନ ବର୍ତ୍ତମାନ କାର୍ଯ୍ୟ ତୁଲାଇଥାନ୍ତି । ଏହା ସହସ୍ରାଧିକ ବର୍ଷ ନର ରାଜାଙ୍କ ଅମଳରୁ ଏହି ପରମ୍ପରା ଏଠାରେ ଚାଲି ଆସୁଛି ।  ବହୁ ବର୍ଷ ପୂର୍ବେ ଏଠାରେ ଅବସ୍ଥିତ ତତ୍‌କାଳୀନ ନଳ ରାଜା ବଂଶଧରଙ୍କ ଦେବୀ ହିଙ୍ଗୁଳୀ ଇଷ୍ଟଦେବୀ ହୋଇ ଥିବାରୁ ଏହି ସ୍ଥାନରେ ଅବସ୍ଥାପିତ କରାଯାଇଥିଲା । ସେ ସମୟରେ ଏକ କୋଚିଲା ଖାଇ ବୃକ୍ଷ ମୂଳେ ଓ ଚାଳ ଛପର ଥୁବା ଏକ ପିଣ୍ଡି ଉପରେ ହିଙ୍ଗୁଳା ଦେବୀ ପୂଜା ପାଇଥିଲେ ।  ଏହାପରେ ପ୍ରାୟ ୨୦୦ ବର୍ଷ  ପୂର୍ବେ ତାଳଚେରର ରାଜା ସାହେବ ଦୟାନିଧ ବୀରବର ହରିଶ୍ଚନ୍ଦନ ଉକ୍ତ ପିଣ୍ଡି ଉପରେ କୋଠା ଘର ପ୍ରତିଷ୍ଠା କରିଥିଲେ ।  ଦଶହରା ଉପଲକ୍ଷେ ମୂଳା ଅଷ୍ଟମୀଠାରୁ ଦୀର୍ଘ ୧୬ ଦିନବ୍ୟାପୀ ହିଙ୍ଗୁଳାଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇଥାଏ । ସେଥୁମଧ୍ୟରୁ ନବରାତ୍ର ପୂଜା କରାଯିବା ସହ ବିଶେଷ କରି ଷଷ୍ଠି, ସପ୍ତମୀ, ନବମୀ,ଓ ଦାମୀ ପୂଜା କରାଯାଇଥାଏ । ଏହାର ଶେଷ ଦିବସରେ ଅର୍ଥାତ୍ ବିଜୟା ଦଶମୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଭିନ୍ନ ସମ୍ପ୍ରଦାୟର ଲୋକେ ପାରମ୍ପରିକ ପୋଷାକରେ ସୁସଜ୍ଜିତ ହୋଇ ହାତରେ ଅସ୍ତ୍ରଶସ୍ତ୍ର ଧରି ବୀର ଦପ୍ତରରେ ହିଙ୍ଗୁଳା ଠାକୁରାଣୀଙ୍କୁ ହାତରେ ନେଇ ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଏହି ଦିବସ ଗୁଡ଼ିକରେ ଦେବୀ ହିଙ୍ଗୁଳାଙ୍କୁ ସ୍ୱତନ୍ତ୍ର ଭାବେ ପୂଜା ଅର୍ଜନା କରାଯାଇଥାଏ । ପୂର୍ବେ ଆଜିର ଦିନରେ ଉକ୍ତ ଦେବୀପୀଠରେ ହଜାର ହଜାର ସଂଖ୍ୟକ ପଶୁ ଓ ପକ୍ଷୀ ବଳି ପଡ଼ିଥାଏ, ମାତ୍ର ଏବେ ଏହାର ବିଲୋପ ଘଟିଛି ।  ହିଙ୍ଗୁଳା ଠାକୁରାଣୀଙ୍କର ବର୍ଣ୍ଣ ସିନ୍ଦୂର ଭଳି ଲାଲ୍ ଏବଂ ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ରୂପରେ ବିରାଜମାନ ହୋଇଥାନ୍ତି । ଯଥା କାଳୀ, ଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା ଓ ଅଗ୍ନି ରୂପରେ ସେ ଭକ୍ତଙ୍କୁ ଦେଖା ଦେଇଥାନ୍ତି । ପିଣ୍ଡି ଉପରେ ପୂଜା ପାଇଁ ଆସୁଥିବା ଦେବୀ ମା ହିଙ୍ଗୁଳାଙ୍କ ଦୁଇ ପାର୍ଶ୍ବରେ କୁହାଯାଉଥିବା ତାଙ୍କ ସହଚରୀ କୁଟେଇସୁଣୀ ଓ କରଡ଼େଇ ଅବସ୍ଥିତ । ଏଥିସହ ସେଠାରେ ଖମ୍ବେଶ୍ୱର ମହାଦେବ ଓ ଖମ୍ବେଶ୍ୱରୀ ଅବସ୍ଥିତ । ମାତ୍ର ଏଠାରେ କୌଣସି ଧୂପ ଓ ଦୀପ ଦିଆଯାଏ ନାହିଁ । ସେଥିନେଇ ଏହାକୁ ଅନ୍ଧାରି ପିଢ଼ି ବୋଲି କୁହାଯାଇଥାଏ । ପୁନଶ୍ଚ ଦେବୀ ହିଙ୍ଗୁଳାଙ୍କ ପିଢ଼ିତଳେ ବଳୀ ପିଣ୍ଡି ଅବସ୍ଥିତ । ପୂର୍ବେ ଏହି ଠାରେ ଦଶହରା ଓ ହିଙ୍ଗୁଳା ଯାତ୍ରା ସମୟରେ ହଜାର ହଜାର ସଂଖ୍ୟକ ପଶୁ ଓ ପକ୍ଷୀ ବଳିରେ ଉକ୍ତ ଅଞ୍ଚଳଟି ରକ୍ତ ରଂଜିତ ହୋଇ ପଡ଼ୁଥିଲା । ମାତ୍ର ପ୍ରାୟ ୩୫ବର୍ଷ ହେବ ଏଠାରେ ଆଦୌ ବଳୀ ଦିଆଯାଉନାହିଁ ବୋଲି ହିଙ୍ଗୁଳା ଦେବୀଙ୍କ ସେବକ ମାନେ ଏହା ପ୍ରକାଶ କରିଛନ୍ତି । ମା' ହିଙ୍ଗୁଳାଙ୍କ ବାହନ ବାଘ । ମା'ଙ୍କର ଅନେକ ସୁନା ଓ ରୂପା ଅଳଙ୍କାର ସମ୍ପତ୍ତି ରହିଛି । ବିଭିନ୍ନ ପୂଜା ପର୍ବାଣୀରେ ମା'ଙ୍କୁ ପାଟ ଶାଢ଼ି ସମେତ ସୁନା ଓ ରୂପା ଅଳଙ୍କାର ପିନ୍ଧାଯାଇଥାଏ । ଏହି ସମୟରେ ମା'’ ସତେ ଯେପରି ବିଶ୍ୱସୁନ୍ଦରୀ, ଜଗତଜନନୀ ଭଳି ଶୋଭାପାଇଥାନ୍ତି । ଏକ ଆଶ୍ଚର୍ଯ୍ୟକର ତଥ୍ୟ ଏହା ଯେ ଯେବେ ତାଳଚେରର ରାଜା ସାହେବଙ୍କ ମୃତ୍ୟୁ ଘଟିଥାଏ, ସେବେ ଦେବୀ ହିଙ୍ଗୁଳାଙ୍କ ନୂଆ କଳେବର ହୋଇଥାଏ । ସେଥିନେଇ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଓ ବିଭିନ୍ନ ପୂଜା ଅର୍ଜନା ଇତ୍ୟାଦି କରାଯାଇଥାଏ । ତାଳଚେର ଗୋପାଳଗଡ଼ ତଥା ଗୋପାଳପ୍ରସାଦ ସିଙ୍ଗଡ଼ା ନଦୀକୂଳ ନିକଟସ୍ଥ ଏହି ହିଙ୍ଗୁଳାପୀଠ ଓ ମନ୍ଦିର ଅବସ୍ଥିତ । ୫୧ ଗୋଟି ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଗଣିତ ।  ଏଠାରେ ବାରମାସରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ମୁଖ୍ୟତଃ ହିଙ୍ଗୁଳା ଯାତ୍ରା ଓ ଦଶହରା ପର୍ବ ଅନ୍ୟତମ ।

 

ଉପସ୍ଥାପକ - ସରୋଜ ମହାପାତ୍ର

Tags: