ଧରାଧାମେ ମାଆ

ଧରାଧାମେ ମାଆ
Ipsita Picture
By: Ipsita
Published On

 

ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ମାତୃଶକ୍ତି, ଆଶା ଆଉ ବିଶ୍ୱାସର ମହାପର୍ବ । ଓଡ଼ିଶାର ବିଭିନ୍ନ ଶକ୍ତି ପୀଠ ସହିତ ସହରରେ ଥିବା ପୂଜା ପେଣ୍ଡାଲରେ ରୀତିନୀତି ସହିତ ପାଳନହୋଇଥାଏ ଦୁର୍ଗାପୂଜା । ସମୟ ତରଙ୍ଗର ଏହି ବିଶେଷ ପୂଜା ସଂଖ୍ୟାରେ ଆସନ୍ତୁ ଜାଣିବା ଦୁର୍ଗାପୂଜାର ପୌରାଣିକ ମହତ୍ତ୍ୱ , ଆଧୁନିକ ସମାଜରେ ଏହାର ପ୍ରାସଙ୍ଗିକତା ଏବଂ ଆମ ସଂସ୍କୃତିର ଏହି ମହାନ ପର୍ବର କିଛି ଅଛପା ପୃଷ୍ଠା...

 

ଶରତର ନିର୍ମଳ ଆକାଶ, ନଦୀପଠାରେ କାଶତଣ୍ଡି ଫୁଲର ହସ, ଶେଫାଳିର ସୁବାସ, ଆଉ ପବନରେ ମୃଦୁ ଶୀତଳତାର ଆଗମନ । ଏହି ସୁନ୍ଦର ରୂପସୀ ସନ୍ଧ୍ୟାରେ ମାଟିରେ ଅନୁଭୂତ ହୁଏ ଏକ ଅଲୌକିକ ସ୍ପନ୍ଦନ । ଆଶ୍ୱିନ ମାସର ଶୁକ୍ଳ ପକ୍ଷ ସହିତ ଆରମ୍ଭ ହୁଏ ମା' ଦୁର୍ଗାଙ୍କର ସାପ୍ତାହିକ ଅରାଧନା-ଶାରଦୀୟ ଦୁର୍ଗୋତ୍ସବ । ଜଗତର କଲ୍ୟାଣ, ଅଧର୍ମର ବିନାଶ, ଆଉ ଧର୍ମର ପ୍ରତିଷ୍ଠା ପାଇଁ ମା'ଙ୍କର ଏହି ମହାନ ଅବତାର । ବାୟୁମଣ୍ଡଳରେ ଶଙ୍ଖ-ଘଣ୍ଟର ମଧୁର ଧ୍ୱନି ମଧ୍ୟରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା' ଜଗତଜନନୀ ଦୁର୍ଗା ।

ଅସୁର ସଂହାରିଣୀ ଓ ଜଗତଜନନୀ

ପୁରାଣ ଅନୁସାରେ, ଯେତେବେଳେ ଅସୁରରାଜ ମହିଷାସୁରର ଅତ୍ୟାଚାରରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତ୍ରସ୍ତ ହୋଇଉଠିଥିଲା, ସେତେବେଳେ ତ୍ରିଦେବ (ବ୍ରହ୍ମା, ବିଷ୍ଣୁ, ମହେଶ୍ୱର) ଓ ସମସ୍ତ ଦେବତାଙ୍କର ମିଳିତ ତେଜରୁ ଆର୍ବିଭୂତ ହୋଇଥିଲେ ମା' ଦୁର୍ଗା । ଦେବତାମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ଓ ଶକ୍ତି ମା'ଙ୍କୁ ପ୍ରଦାନ କରିଥିଲେ...

ଶିବ ପ୍ରଦାନ କଲେ ତ୍ରିଶୂଳ

ବିଷ୍ଣୁ ଦେଲେ ଚକ୍ର

ବରୁଣ ଦେଲେ ଶଙ୍ଖ

ଅଗ୍ନି ଦେଲେ ଶକ୍ତି

ହିମାଳୟ ଦେଲେ ସିଂହ (ବାହନ)

ଦଶ ଦିଗକୁ ରକ୍ଷା କରିବା ପାଇଁ ଦଶଭୁଜା ଧାରଣ କରି ମା' ମହିଷାସୁର ସହିତ ନଅ ଦିନ ଓ ନଅ ରାତି ଧରି ଘୋର ସଂଗ୍ରାମ କରିଥିଲେ । ଦଶମ ଦିନରେ ଅଧର୍ମର ବିନାଶ କରି ମା' "ମହିଷାମର୍ଦ୍ଦିନୀ' ନାମରେ ପରିଚିତ ହେଲେ ।

ନବରାତ୍ରି: ନବଦୁର୍ଗାଙ୍କ ଦିବ୍ୟ ଆରାଧନା

ଶାରଦୀୟ ଦୁର୍ଗାପୂଜାରେ ନବରାତ୍ରିର ଅତ୍ୟନ୍ତ ଗୁରୁତ୍ୱ ରହିଛି । ଏହି ନଅ ଦିନରେ ମା' ଦୁର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରାଯାଏ ।

ପ୍ରଥମ ଦିନ (ପ୍ରତିପଦା): ମା' ଶୈଳପୁତ୍ରୀ ପୂଜା

ସ୍ୱରୂପ : ହିମାଳୟରାଜାଙ୍କ କନ୍ୟା ଏବଂ ମହାଦେବଙ୍କ ପତ୍ନୀ ପାର୍ବତୀଙ୍କ ଏହି ରୂପ ।

ମହତ୍ତ୍ବ : ଏହି ଦିନଠାରୁ ନବରାତ୍ରୀ ବ୍ରତ ଓ କଳସ ସ୍ଥାପନ (ଘଟସ୍ଥାପନ) କରାଯାଏ । ଧୈଯ୍ୟ, ଦୃଢ଼ତା ଓ ଆତ୍ମବଳ ପ୍ରାପ୍ତି ପାଇଁ ମା' ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ ।

ଦ୍ୱିତୀୟ ଦିନ (ଦ୍ୱିତୀୟା): ମା' ବ୍ରହ୍ମଚାରିଣୀ ପୂଜା

ସ୍ୱରୂପ: କଠିନ ତପସ୍ୟା କରିଥିବା ଦେବୀ । ହାତରେ ଜପମାଳା ଓ କମଣ୍ଡଳୁ ଧାରଣ କରିଥାଆନ୍ତି ।

ମହତ୍ତ୍ବ : ତପସ୍ୟା, ଜ୍ଞାନ, ବୈରାଗ୍ୟ ଏବଂ ସାଧନା ପାଇଁ ଏହି ଦିନର ମା'ଙ୍କ ପୂଜା ଅତ୍ୟନ୍ତ ଫଳପ୍ରଦ ।

ତୃତୀୟ ଦିନ (ତୃତୀୟା): ମା' ଚନ୍ଦ୍ରଘଣ୍ଟା ପୂଜା

ସ୍ୱରୂପ: ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଉଥିବା ଏବଂ ଦଶଭୁଜା ଦେବୀ ।

ମହତ୍ତ୍ବ : ଭକ୍ତଙ୍କୁ ସମସ୍ତ ଭୟରୁ ମୁକ୍ତି ଦେବା ଏବଂ ଶାନ୍ତି, ସାହସ ଓ କଲ୍ୟାଣ ପ୍ରଦାନ କରିବା ମା'ଙ୍କର ଏହି ରୂପର ବିଶେଷତ୍ୱ ।

ଚତୁର୍ଥ ଦିନ (ଚତୁର୍ଥୀ): ମା' କୁଷ୍ମାଣ୍ଡା ପୂଜା

ସ୍ୱରୂପ : ନିଜର ମନ୍ଦହାସ ଦ୍ୱାରା ବ୍ରହ୍ମାଣ୍ଡ (ସୃଷ୍ଟି) ସୃଷ୍ଟି କରିଥିବା ଦେବୀ ।

ମହତ୍ତ୍ବ : ସୂର୍ଯ୍ୟ ମଣ୍ଡଳକୁ ନିୟନ୍ତ୍ରଣ କରୁଥିବା ଏହି ଦେବୀ ଆୟୁ, ଯଶ ଏବଂ ସ୍ୱାସ୍ଥ୍ୟ ପ୍ରଦାନ କରିଥାଆନ୍ତି ।

ପଞ୍ଚମ ଦିନ (ପଞ୍ଚମୀ) : ମା' ସ୍କନ୍ଦମାତା ପୂଜା

ସ୍ୱରୂପ : କାର୍ତ୍ତିକେୟ (ସ୍କନ୍ଦ)ଙ୍କ ଜନନୀ ଏବଂ କୋଳରେ ଶିଶୁକୁ ଧାରଣ କରିଥିବା ଦେବୀ ।

ମହତ୍ତ୍ବ : ସନ୍ତାନ ସୁଖ, ଜ୍ଞାନ ଏବଂ ମୋକ୍ଷ ପ୍ରାପ୍ତି ନିମନ୍ତେ ଏହି ଦିନ ମା' ସ୍କନ୍ଦମାତାଙ୍କୁ ପୂଜା କରାଯାଏ ।

ଷଷ୍ଠ ଦିନ (ଷଷ୍ଠୀ): ମା' କାତ୍ୟାୟନୀ ପୂଜା

ସ୍ୱରୂପ: ମହର୍ଷି କାତ୍ୟାୟନଙ୍କ ଦ୍ୱାରା ତପଃପୂତ ହୋଇ ଅବତୀର୍ଣ୍ଣ ହୋଇଥିବା ଯୋଦ୍ଧା ଦେବୀ (ମା' ଦୁର୍ଗାଙ୍କର ସବୁଠାରୁ ଶକ୍ତିଶାଳୀ ରୂପ) ।

ମହତ୍ତ୍ବ : ଶତ୍ରୁ ବିନାଶ ଏବଂ ସାହସ ପ୍ରାପ୍ତି ପାଇଁ ଏହି ଦିନ ବିଶେଷ ଭାବେ ପୂଜା କରାଯାଏ ।

ସପ୍ତମ ଦିନ (ସପ୍ତମୀ) : ମା' କାଳରାତ୍ରି ପୂଜା

ସ୍ୱରୂପ : ଅତ୍ୟନ୍ତ ଭୟଙ୍କର, ଅନ୍ଧକାରକୁ ବିନାଶ କରୁଥିବା ଏବଂ ଶୁଭକାରିଣୀ ଦେବୀ ।

ମହତ୍ତ୍ବ : ଏହି ଦିନ ରାତିରେ ବିଶେଷ ତାନ୍ତ୍ରିକ ଓ ଆଧ୍ୟାତ୍ମିକ ପୂଜା ହୁଏ । ସମସ୍ତ ପ୍ରକାର ଭୟ, ବାଧାବିଘ୍ନ ଓ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ ।

ଅଷ୍ଟମ ଦିନ (ଅଷ୍ଟମୀ) : ମା' ମହାଗୌରୀ ପୂଜା

ସ୍ୱରୂପ: ସମ୍ପୂର୍ଣ୍ଣ ଶ୍ବେତବର୍ଣ୍ଣା ଏବଂ ଶାନ୍ତ ସ୍ୱରୂପା ଦେବୀ ।

ମହତ୍ତ୍ବ : ମହାଅଷ୍ଟମୀ ଦିନ ମହାସମାରୋହରେ ପୂଜା ଓ କୁଆଁରୀ ପୂଜା କରାଯାଏ । ମା' ମହାଗୌରୀ ସମସ୍ତ ପାପ ଖଣ୍ଡନ କରି ପବିତ୍ରତା ପ୍ରଦାନ କରନ୍ତି ।

ନବମ ଦିନ (ନବମୀ) : ମା' ସିଦ୍ଧିଦାତ୍ରୀ ପୂଜା

ସ୍ୱରୂପ: ସମସ୍ତ ପ୍ରକାର ସିଦ୍ଧି (ଅଣିମା, ମହିମା ଇତ୍ୟାଦି) ପ୍ରଦାନ କରୁଥିବା ଦେବୀ ।

ମହତ୍ତ୍ବ : ନବରାତ୍ରୀର ଶେଷ ଦିନରେ ମା'ଙ୍କୁ ପୂଜା କରି ହୋମଯଜ୍ଞ କରାଯାଏ । ଏହାଦ୍ୱାରା ସାଧକକୁ ସମସ୍ତ ସିଦ୍ଧି ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଦଶମୀ ଦିନ : ଦଶମ ଦିନରେ ଅର୍ଥାତ ବିଜୟାଦଶମୀ ଦିନ ମା'ଙ୍କ ପ୍ରତିମା ବିସର୍ଜନ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ପାଳନ କରାଯାଏ ।

ଅଧର୍ମ ଉପରେ ଧର୍ମର ବିଜୟ

ପୌରାଣିକ କଥାବସ୍ତୁ ଅନୁଯାୟୀ, ଅସୁରରାଜ ମହିଷାସୁରର ଅତ୍ୟାଚାରରେ ତ୍ରିପୁର କମ୍ପି ଉଠିଥିଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଅଧର୍ମ ଓ ଅତ୍ୟାଚାରର ସୀମା ପାର ହୋଇଯାଇଥିଲା । ଦେବତାମାନଙ୍କ ପ୍ରାର୍ଥନାରେ ପ୍ରସନ୍ନ ହୋଇ ସମସ୍ତ ଦେବତାଙ୍କ ତେଜରୁ ଆର୍ବିଭୂତ ହୋଇଥିଲେ ମହାଶକ୍ତି ମା' ଦୁର୍ଗା । ନବରାତ୍ରୀର କଠିନ ସଂଗ୍ରାମ ପରେ ମା' ମହିଷାସୁରକୁ ବଧ କରି ସୃଷ୍ଟିକୁ ଶାନ୍ତି ଓ ନ୍ୟାୟ ଫେରାଇ ଆଣିଥିଲେ । ଏଣୁ ଏହି ପୂଜା କେବଳ ଏକ ପର୍ବ ନୁହେଁ, ବରଂ ଅଧର୍ମ, ଅନ୍ୟାୟ ଓ ଅହଂକାର ଉପରେ ଧର୍ମ, ସତ୍ୟ ଓ ଶାନ୍ତିର ବିଜୟର ପ୍ରତୀକ ।

 

ମଣ୍ଡପରୁ ପୀଠ : ଉତ୍ସବମୁଖର ଓଡ଼ିଶା

ଓଡ଼ିଶାର ପଲ୍ଲୀଠାରୁ ସହର-ସବୁଠି ଏବେ ମା'ଙ୍କ ଆବାହନର ମହାପର୍ବ । ଶାସ୍ତ୍ରୀୟ ପୀଠଭାବେ ପରିଗଣିତ କଟକର ମା ଚଣ୍ଡୀ ମନ୍ଦିର, ଯାଜପୁରର ମା ବିରଜା ପୀଠ, ପୁରୀର ମା ବିମଳା ମନ୍ଦିର, ବାଙ୍କୀର ମା ଚର୍ଚ୍ଚିକା ପୀଠ, ଜଗତସିଂହପୁରର ମା ସାରଳା ପୀଠ, ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଓ ଘଣ୍ଟେଶ୍ୱରୀ ମନ୍ଦିର, ବୌଦ୍ଧର ମା ଭୈରବୀ ମନ୍ଦିର, ବଲାଙ୍ଗୀରର ମା ପାଟଣେଶ୍ୱରୀ ପୀଠ, କଳାହାଣ୍ଡୀର ମାଣିକେଶ୍ୱରୀ ପୀଠ, ରାୟଗଡ଼ାର ମଝିଘରିଆଣୀ ମନ୍ଦିରରେ ଶାରଦୀୟ ଷୋଡ଼ଶ ଉପଚାର ପୂଜା ଅତ୍ୟନ୍ତ ନିଷ୍ଠାର ସହ ପାଳିତ ହେଉଛି । ସେହିଭଳି ସହର ଗୁଡିକରେ ଶୋଭା ପାଇଥାଏ ଚାନ୍ଦି ଓ ସୁନା ମେଢ଼। କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରଗୁଡ଼ିକରେ ଆକର୍ଷଣୀୟ ତୋରଣ, ଚାନ୍ଦି ମେଢ଼ ଓ ସୁନା ଭୂଷଣରେ ମା' ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ରାସ୍ତାଘାଟ ଆଲୋକମାଳାରେ ଝଟକୁଛି ।

ସାମାଜିକ ସଦଭାବ ଓ ଏକତାର ପ୍ରତୀକ

ଦୁର୍ଗାପୂଜା କେବଳ ଆଧ୍ୟାତ୍ମିକ ଅନୁଭୂତିରେ ସୀମିତ ନୁହେଁ, ଏହା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ବାନ୍ଧିରଖେ । ଦୀର୍ଘଦିନର ବ୍ୟବଧାନ ପରେ ପରିବାର, ବନ୍ଧୁ ଓ ପ୍ରିୟଜନମାନେ ଏକାଠି ହୋଇ ଉତ୍ସବର ଆନନ୍ଦ ନିଅନ୍ତି । ନୂଆ ପୋଷାକ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମଣ୍ଡପ ବୁଲା ମଧ୍ୟରେ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଶିହରଣ ସୃଷ୍ଟି ହୁଏ ।

ଆଧ୍ୟାତ୍ମିକ ବାର୍ତ୍ତା :

ମା' ଜଗତଜନନୀଙ୍କ ଏହି ମର୍ତ୍ତ୍ୟ ଅବତରଣ ଆମ ସମାଜରୁ କାମ, କ୍ରୋଧ, ଲୋଭ, ହିଂସା ଓ ଅସୂୟା ଭଳି ଆସୁରିକ ପ୍ରବୃତ୍ତିକୁ ଦୂର କରି ଶାନ୍ତି, କରୁଣା ଓ ସଦଭାନର ପ୍ରକାଶ ଘଟାଉ । ମା'ଙ୍କ କୃପାରୁ ସମସ୍ତଙ୍କ ଜୀବନ ଆନନ୍ଦ ଓ ସମୃଦ୍ଧିରେ ଭରିଯାଉ - ଏହାହିଁ ପ୍ରାର୍ଥନା ।

Tags: