ଲୋକସେବା ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ପରଲୋକ
କଟକ : ବିଶିଷ୍ଟ ସମାଜସେବୀ ତଥା ଲୋକସେବା ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ୧୧ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ […]
କଟକ : ବିଶିଷ୍ଟ ସମାଜସେବୀ ତଥା ଲୋକସେବା ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ୧୧ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା। ତେବେ ଗୁରୁବାର ରାତିରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
ସ୍ବର୍ଗତ ନିରଞ୍ଜନ ରଥ ଆଠଗଡ଼ର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲେ। ପିତା ପଣ୍ଡିତ ଚନ୍ଦ୍ରଶେଖର ରଥ ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କର ସେ ଥିଲେ ପଞ୍ଚମ ସନ୍ତାନ। ଆଇନ୍ରେ ଡିଗ୍ରୀ ସହିତ ଇଂରାଜୀ ସାହିତ୍ୟରେ ଏମ୍ଏ ପାସ୍ କରିବା ପରେ ସେ ସାମ୍ବାଦିକତା ଓ ଓକିଲାତି କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସେ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । ସମାଜସେବୀ, ଲେଖକ, ସାମ୍ବାଦିକ ଭାବେ ପରିଚିତ ଥିଲେ ନିରଞ୍ଜନ ।
ନିରଞ୍ଜନ ରଥଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିରୋଧୀଦଳର ବହୁ ବିଶିଷ୍ଟ ନେତା, କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଓ ଶ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।




