ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ
ବାଲେଶ୍ୱର : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟ । ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ । ବର୍ଷାଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ରୁ ବନ୍ଦ ରହିଥିଲା କୁଲଡିହା ଅଭୟାରଣ୍ୟ । ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିମି ବିଶିଷ୍ଟ କୁଲଡିହା ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ […]
ବାଲେଶ୍ୱର : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟ । ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ । ବର୍ଷାଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ରୁ ବନ୍ଦ ରହିଥିଲା କୁଲଡିହା ଅଭୟାରଣ୍ୟ ।
ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିମି ବିଶିଷ୍ଟ କୁଲଡିହା ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରିବ ବନ ବିଭାଗ ସେଥିପାଇଁ ପ୍ରସ୍ତୁତି କରିଛନ୍ତି । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ଗୟଳ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ବେଲୋରା ମୂଷା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । ସେହିପରି ନନ୍ଦନକାନନରୁ ଜଡ଼ାଚୁଆ ବିଟ ଅଧୀନ ଅସକଲପଦା ଠାରେ ହରିଣ ଆଣି ବର୍ଷକ ତଳୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇ ପରେ ଜଙ୍ଗଲରେ ଛଡ଼ା ଯିବାରୁ ହରିଣ ବଂଶ ଆଶାତୀତ ବୃଦ୍ଧି ହୋଇଛି । କୁଲଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ଋଷିଆ, ପୁରୁଣାପାଣି, ଜଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀ ପକ୍ଷୀ ଦେଖିବାକୁ ମଧ୍ୟ ମିଳିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଭୟାରଣ୍ୟରେ ଝରଣାର ଦୃଶ୍ୟ ମଧ୍ୟ ନିଆରା । ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ “ଋଷିଆ ପ୍ରକୃତି ନିବାସ’ ମଧ୍ୟ ଖୋଲାଯାଇଛି । ରାତ୍ର ରହଣି ନିମନ୍ତେ ୯ଟି ତମ୍ବୁଘର ହୋଇଛି । ଏହା ସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି । ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରି ପାଖରେ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି । ଏହି ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାରରୁ କୁଲଡିହା ଅଭୟାରଣ୍ୟର ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରକୃତିର ମଜା ନେଇପାରିବେ । ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ଲାଇନରେ ବୁକିଂର ବ୍ୟବସ୍ଥା ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି ।
ସରକାରୀ ସୂତ୍ର ଅନୁସାରେ, ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଗଡାଦସିମୁଲିଆ ଏବଂ ମେଚକୁଣ୍ଡ ଜଳପ୍ରପାତ ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହ। ଦ୍ୱାରା ପର୍ଯ୍ୟଟକ ମାନେ ଏହି ପ୍ରାକୃତିକ ସ୍ଥାନଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ଆଶା କରାଯାଉଛି, ଯାହା ଅଭୟାରଣ୍ୟ ମଧ୍ୟରେ ପ୍ରମୁଖ ଆକର୍ଷଣ ମଧ୍ୟରୁ ଗୋଟିଏ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଅଭୟାରଣ୍ୟକୁ ପୁନଃ ଖୋଲାଯାଇଛି ବୋଲି ବନ ସଂରକ୍ଷକ (ACF) ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି । ଆଜି ସକାଳେ ୮ ଟାରେ ବନ ଅଧିକାରୀ ଫିତା କାଟି ପର୍ଯ୍ୟଟଙ୍କ ନିମନ୍ତେ ଅଭୟାରଣ୍ୟ ଦ୍ୱାର ଉନ୍ମୁକ୍ତ କରିଥିଲେ ।




