ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ,ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଅଚଳ ହୋଇଛି ଗୃହ I ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ଲଗାତାର ଦ୍ଵିତୀୟ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ I ପ୍ରଥମ ଦିନ ଗୃହରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ,ମନ୍ତ୍ରୀ ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ହୋଇ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି I ରାଜ୍ୟ […]
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଅଚଳ ହୋଇଛି ଗୃହ I ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ଲଗାତାର ଦ୍ଵିତୀୟ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ I ପ୍ରଥମ ଦିନ ଗୃହରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ,ମନ୍ତ୍ରୀ ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ହୋଇ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି I ରାଜ୍ୟ ସରକାର ଯଦି ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ତେବେ ରାଜ୍ୟର ଜନସାଧାରଣ କେତେ ସୁରକ୍ଷିତ ? ରାଜ୍ୟପାଳ ମହୋଦୟ, ଆପଣଙ୍କ ସରକାର ପ୍ରଥମେ ଏସବୁର ଉତ୍ତର ରଖନ୍ତୁ। ତାହା ପରେ ଅଭିଭାଷଣ ପ୍ରଦାନ କରନ୍ତୁ ।
ସେହିପରି ଆଜି ଗୃହର ଦ୍ଵିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନବ ଦାସ ହତ୍ୟା ମାମଲା ସଂକ୍ରାନ୍ତୀୟ ବିବୃତି ଉପସ୍ଥାପନ କଲା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ।
ତାଙ୍କ ବିବୃତିର ଶେଷ ଭାଗରେ କହିଥିଲେ ଯେ ଆମର ବିଭିନ୍ନ ପ୍ରସଙ୍ଗ ଓ ମାମଲାକୁ ନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତାହାକୁ ନେଇ ଆମେ ତର୍କ କରିପାରିବା କିଂବା ଆଲୋଚଚନା କରିପାରିବା। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ଏହି ସଙ୍ଗୀନ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରିବା।
ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ହଟଗୋଳକୁ ଦେଖି ଗୃହର ସୁପରିଚାଳନା ପାଇଁ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡକାଇବା ସହ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି।




