ଅବସର ନେଲେ ନମିତା ଟପୋ, କୃତଜ୍ଞତା ଜଣାଇଲା ହକି ଇଣ୍ଡିଆ
ରାଉରକେଲା : ଓଡ଼ିଆ ତାରକା ନମିତା ଟପୋ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକାଙ୍କ ସହ ମିଶି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମଧ୍ୟ ଓ ରକ୍ଷଣ ଭାଗକୁ ଦୃଢ଼ତାର ସହ ସମ୍ଭାଳିଥିବା ନମିତାଙ୍କ ଅବସର ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ୱଲ୍ୟମାନ ଯୁଗର ଅବସାନ ଘଟିଛି । ଭାରତୀୟ ହକିର ଏହି ‘ଫାଭ୍-ଥ୍ରୀ’ ଓଡ଼ିଆ ତାରକାଙ୍କ ମଧ୍ୟରୁ ଲିଲିମା […]
ରାଉରକେଲା : ଓଡ଼ିଆ ତାରକା ନମିତା ଟପୋ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକାଙ୍କ ସହ ମିଶି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମଧ୍ୟ ଓ ରକ୍ଷଣ ଭାଗକୁ ଦୃଢ଼ତାର ସହ ସମ୍ଭାଳିଥିବା ନମିତାଙ୍କ ଅବସର ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ୱଲ୍ୟମାନ ଯୁଗର ଅବସାନ ଘଟିଛି । ଭାରତୀୟ ହକିର ଏହି ‘ଫାଭ୍-ଥ୍ରୀ’ ଓଡ଼ିଆ ତାରକାଙ୍କ ମଧ୍ୟରୁ ଲିଲିମା ପୂର୍ବରୁ ଅବସର ଘୋଷଣା କରିସାରିଥିଲା ବେଳେ ନମିତା ବି ଭାରତୀୟ ଦଳରୁ ସନ୍ୟାସ ନେଇଛନ୍ତି ।

ଏବେ କେବଳ ଦୀପଗ୍ରେସ୍ ଏକା ଭାରତୀୟ ଦଳରେ ରହି ଓଡ଼ିଶାର ସୁନାମକୁ ବଢ଼ାଉଛନ୍ତି । ଅବଶ୍ୟ ନମିତା ଅବସର ନେବା ପରେ ଓଡ଼ିଶାର ଅନେକ ପ୍ରତିଭାବାନ ଖେଳାଳି ତାଙ୍କ ସ୍ଥାନ ନେବାର ଦକ୍ଷତା ରଖନ୍ତି । ଅବସର ଘୋଷଣା ପରେ ଦୁଇଥର ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜୟିନୀ ନମିତାଙ୍କ ଭାରତୀୟ ହକି ପାଇଁ ଅତୁଳନୀୟ ଅବଦାନ ଲାଗି ହକି ଇଣ୍ଡିଆ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛି ।

୨୭ ବର୍ଷୀୟା ନମିତା ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ନିଜ ହକି ଜୀବନ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ଓଡ଼ିଶା ଦଳର ପ୍ରତିନିଧିିବ କରି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲେ ସେ । ୨୦୧୧ରେ ୧୮ ବର୍ଷରୁ କମ୍ ଏସିଆ କପ୍ ହକି ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇବା ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେଇଥିଲା । ବ୍ୟାଙ୍କକ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ କାଂସ୍ୟ ପଦକ ଜିତିଥିଲା । ଜାତୀୟ ପ୍ରଶିକ୍ଷଣ ଶିବିରରେ କଠିନ ପରିଶ୍ରମ କରିବା ସହ ଘରୋଇ ହକିରେ ନିଜ ଅସାଧାରଣ ଏକାଗ୍ରତା ଲାଗି ୨୦୧୨ ମସିହାରେ ଭାରତୀୟ ବରିଷ୍ଠ ମହିଳା ଦଳ ଲାଗି ମନୋନୀତ ହୋଇଥିଲେ ସେ ।

ଆୟର୍ଲାଣ୍ଡର ଡବଲିନଠାରେ ସେହିବର୍ଷ ଖେଳାଯାଇଥିବା ଏଫ୍ଆଇଏଚ୍ ଚାମ୍ପିଅନ୍ସ ଚ୍ୟାଲେଞ୍ଜ୍ ହକି ଥିଲା ବରିଷ୍ଠସ୍ତରୀୟ ମହିଳା ହକିରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା । ୨୦୧୩ରେ ଜର୍ମାନୀର ମଞ୍ଚେନଗ୍ଲାଡବ୍ୟାକwାରେ ଆୟୋଜିତ କନିଷ୍ଠ ବିଶ୍ୱକପ୍ ହକିରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗେରବ ଆଣିଥିଲେ ନମିତା । ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିନଥିଲେ । ଏଫ୍ଆଇଏଚ୍ ବିଶ୍ୱ ଲିଗ୍ ରାଉଣ୍ଡ-୨ରେ ସ୍ୱର୍ଣ୍ଣପଦକ, ତୃତୀୟ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ରେପ୍ୟ ପଦକ ଏବଂ ଅଷ୍ଟମ ମହିଳା ଏସିଆ କପ୍, ୨୦୧୪ ସପ୍ତଦଶ ଏସୀୟ କ୍ରୀଡ଼ା, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିଲେ ସେ । ୨୦୧୭ ମହିଳା ଏସିଆ କପ୍ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ସେ । ନମିତା କହିଛନ୍ତି ଯେ ପିଲାଟି ଦିନରୁ ଭାରତୀୟ ଦଳ ପକ୍ଷରୁ ଖେଳିବାର ଯେଉଁ ସ୍ୱପ୍ନ ଥିଲା, ତାହା ନିଷ୍ଠାପର ଅଭ୍ୟାସ ବଳରେ ସମ୍ଭବ ହୋଇପାରିଛି । ଗତ ଏକ ଦଶନ୍ଧି ଧରି ଭାରତୀୟ ଦଳର ପ୍ରତିନିଧିିବ କରିବା ହେଉଛି ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ । ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଆରମ୍ଭ ହୋଇଥିବା କ୍ରୀଡ଼ା ଜୀବନରୁ ଭାରତୀୟ ଦଳରେ ପ୍ରତିନିଧିିବ କରିବା ପର୍ଯ୍ୟନ୍ତ ବହୁ ପ୍ରଶିକ୍ଷକ, ଦଳୀୟ କର୍ତ୍ତୃପକ୍ଷ, ସହ-କ୍ରୀଡ଼ାବିତ୍, ପରିବାର ସଦସ୍ୟଙ୍କ ଅତୁଳନୀୟ ଅବଦାନ ରହିଛି । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ବଳରେ ମୋ ସ୍ୱପ୍ନ ହାସଲ ହୋଇପାରିଛି ।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା କ୍ରୀଡ଼ା ବିଭାଗ, ସାଇ, ହକି ଇଣ୍ଡିଆ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ଅକୁଣ୍ଠ ସମର୍ଥନ ଯୋଗୁଁ ମୁଁ ଚିର ଋଣୀ । ସଂପ୍ରତି ଭାରତୀୟ ମହିଳା ହକି ଦଳ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି । ବିଶେଷକରି ଗତ ଦଶନ୍ଧି ଧରି ଭାରତୀୟ ମହିଳା ହକି ଦଳ ଯେଭଳି ସଫଳତା ହାସଲ କରିଛି ତାହା ନିଶ୍ଚିତଭାବେ ସନ୍ତୋଷଜନକ । ଜୀବନର ନୂଆ ସୋପାନରେ ପାଦ ଥାପିବାକୁ ଯାଉଛି । ତଥାପି ଭାରତୀୟ ଦଳ ପାଇଁ ସବୁବେଳେ ଅନ୍ତରରୁ ସମର୍ଥନ ବଳବତ୍ତର ରହିବ । ଭାରତ ପକ୍ଷରୁ ୧୬୮ ଅନ୍ତର୍ଜାତୀୟ ମ୍ୟାଚ୍ ଖେଲିଛନ୍ତି ନମିତା । ଟୋକିଓ ଅଲିମ୍ପିକ୍ସ୍ ପାଇଁ ଭାରତୀୟ ମହିଳା ଦଳରେ ମଧ୍ୟ ସାମିଲ ଥିଲେ ।
ଏହାପରେ ଭାରତୀୟ ଦଳ ସହ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଆହତ ସମସ୍ୟାରୁ ଶତପ୍ରତିଶତ ମୁକୁଳି ପାରିନଥିଲେ । ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଯଉରାମାଲରେ ଜନ୍ମିତ ନମିତା । ବାପା ଠବୋ ଟେªା ଓ ମା ଚକ୍ରବର୍ତ୍ତୀ ଟପୋଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ନମିତାଙ୍କ ୯ ଭାଇ ଭଉଣୀ ଅଛନ୍ତି । ସେମାନେ ହେଉଛନ୍ତି ବସନ୍ତ ଟପୋ, ଲଳିତା ଟପୋ, ସୁନୀତା ଟପୋ, ମନୋଜ ଟପୋ, ଦିଲୀପ ଟପୋ, ପରମିତା ଟପୋ, ପ୍ରତିଭା ଟପୋ ଓ ବୀନିତା ଟପୋ । ପରିବାର ପାଇଁ ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ଚାଷ ।




