ଜଳୁଛି ଓଡିଶା, ୪୫ ଟପିବ ପାରଦ
ଭୁବନେଶ୍ବର: ରାଜ୍ୟରେ ପୁଣି ପାଣିପାଗର ପରିବର୍ତନ I ଅସହ୍ୟ ଗୁଳୁଗୁଳି ଗରମ ସାଙ୍ଗକୁ ଜଳୁଛି ସାରା ଓଡିଶା I ରାଜଧାନୀ ସମେତ ପଶ୍ଚିମାଞ୍ଚଳ ସହ ଉପକୂଳ ଓଡ଼ିଶାର କିଛି ଅଂଚଳର ତାପମାତ୍ରା ବୃଦ୍ଧି ପାଇଛି। ନିକଟରେ ବର୍ଷର ସମ୍ଭାବନା ନଥିବାରୁ ଆହୁରି ତାପମାତ୍ରା ଅଧିକ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। । ସେହିପରି ମଙ୍ଗଳବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩.୮ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୪୩.୬ ଏବଂ ହୀରାକୁଦରେ ୪୩.୩ […]
ଭୁବନେଶ୍ବର: ରାଜ୍ୟରେ ପୁଣି ପାଣିପାଗର ପରିବର୍ତନ I ଅସହ୍ୟ ଗୁଳୁଗୁଳି ଗରମ ସାଙ୍ଗକୁ ଜଳୁଛି ସାରା ଓଡିଶା I ରାଜଧାନୀ ସମେତ ପଶ୍ଚିମାଞ୍ଚଳ ସହ ଉପକୂଳ ଓଡ଼ିଶାର କିଛି ଅଂଚଳର ତାପମାତ୍ରା ବୃଦ୍ଧି ପାଇଛି। ନିକଟରେ ବର୍ଷର ସମ୍ଭାବନା ନଥିବାରୁ ଆହୁରି ତାପମାତ୍ରା ଅଧିକ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। । ସେହିପରି ମଙ୍ଗଳବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩.୮ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୪୩.୬ ଏବଂ ହୀରାକୁଦରେ ୪୩.୩ ଡିଗ୍ରୀ ରହିଛି। ୧୬ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ୪୫ ଡିଗ୍ରୀରେ ପହଂଚିବ । ୮ ଓ ୯ ତାରିଖରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ତୋଫାନ ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ୯ରୁ ୧୧ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣର କେତେକ ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ବର ସହିତ ଉପକୂଳରେ ଆଂଶିକ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
ଅନ୍ୟପଟେ ଦକ୍ଷିଣ ପୂର୍ବ ଆରବସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଉତ୍ତର ଦିଗକୁ ଗତି କରିବ । ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ଆରବ ସାଗରରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଚଳିତ ବର୍ଷ କେରଳରେ ବିଳମ୍ବରେ ମୌସୁମୀର ଆଗମନ ହେବ କାରଣରୁ ଓଡ଼ିଶାରେ ବି ବିଳମ୍ବ ହେବ।




