ଓଡ଼ିଆ ନବବର୍ଷକୁ କରନ୍ତୁ ସ୍ୱାଗତ
ମହା ବିଷୁବ ସଂକ୍ରାନ୍ତି ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ବଡ଼ ପର୍ବ । ପୁରାଣ ଅନୁଯାୟୀ ବୈଶାଖ ମାସଠାରୁ ପୁଣ୍ୟ ମାସ ଆଉ କିଛି ନାହିଁ । ଓଡ଼ିଆ ପରମ୍ପରାରେ ଏହି ଦିନଠାରୁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିଙ୍କୁ ମେଷ ସଂକ୍ରାନ୍ତି କୁହାଯାଏ । ରାଶିଚକ୍ରରେ ଏହା ହିଁ ପ୍ରଥମ ଦିନ । ବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବରେ ବିବେଚନା କରାଯିବାର ନିର୍ଦ୍ଦିଷ୍ଟ କାରଣ ଅଛି । ଏହା […]
ମହା ବିଷୁବ ସଂକ୍ରାନ୍ତି ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ବଡ଼ ପର୍ବ । ପୁରାଣ ଅନୁଯାୟୀ ବୈଶାଖ ମାସଠାରୁ ପୁଣ୍ୟ ମାସ ଆଉ କିଛି ନାହିଁ । ଓଡ଼ିଆ ପରମ୍ପରାରେ ଏହି ଦିନଠାରୁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିଙ୍କୁ ମେଷ ସଂକ୍ରାନ୍ତି କୁହାଯାଏ । ରାଶିଚକ୍ରରେ ଏହା ହିଁ ପ୍ରଥମ ଦିନ ।

ବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବରେ ବିବେଚନା କରାଯିବାର ନିର୍ଦ୍ଦିଷ୍ଟ କାରଣ ଅଛି । ଏହା କେବଳ ଦୁଇଟି ସମୟରେ ଅର୍ଥାତ ମେଷ ସଂକ୍ରାନ୍ତି ଏବଂ ତୁଳା ସଂକ୍ରାନ୍ତି ଦିନ ସୂର୍ଯ୍ୟ ବିଷୁବରେଖା ନିକଟତର ହୋଇଥାଆନ୍ତି ଏବଂ ଏହି ଦୁଇଟି ଦିନରେ ଦିବାରାତ୍ର ସମାନ ରହିଥାଏ । ମେଷ ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କାରଣରୁ ବିଷୁବରେଖାର ଉତ୍ତରରେ ଥିବା ଭାରତ ଆଡ଼କୁ ସୂର୍ଯ୍ୟ ଆସନ୍ତି । ତେଣୁ ମେଷ ସଂକ୍ରାନ୍ତିଠାରୁ ନବବର୍ଷ ଭାବେ ଗଣନା କରାଯାଏ ।
ବିଷୁବ ସଂକ୍ରାନ୍ତି ଆମର ସାମାଜିକ, ଆଧ୍ୟାତ୍ମିକ ଏବଂ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ କରୁଥିବା ପର୍ବ । ୧୨ଟି ରାଶି ଏବଂ ୧୨ଟି ସଂକ୍ରାନ୍ତି ମଧ୍ୟରେ ୪ଟି ମୁଖ୍ୟ ସଂକ୍ରାନ୍ତି ରହଛି । ଏଥିରୁ ସର୍ବଶ୍ରେଷ୍ଠ ମହାବିଷୁବ ସଂକ୍ରାନ୍ତି । ଭାରତ ବର୍ଷ ଉତ୍ତର ଗୋଲାର୍ଦ୍ଧରେ ଥିବାରୁ ଏହି ସମୟରେ ସୂର୍ଯ୍ୟଙ୍କର ପ୍ରଖର କିରଣ ହୋଇଥାଏ ।

ଫଳରେ ଜନଜୀବନ ଅତିଷ୍ଠ ରହେ । ଏହାର ପ୍ରତିକାର ସ୍ୱରୂପ ଜଳଦାନ, ପ୍ରାତଃସ୍ନାନ ସହିତ ଜଳରେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବା ନିମନ୍ତେ ରୀତିନୀତି ରହିଛି । ଏହାକୁ ପଣା ସଂକ୍ରାନ୍ତି ଏବଂ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ ।
ପାଳନ
ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ‘ଚଡ଼କପର୍ବଦ ନାମରେ ପାଳନ କରାଯାଏ ।
ବିଶେଷତ୍ୱ
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୂଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ ।

ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍ୟାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍ୟାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।




