ଶାରଦୀୟ ପାର୍ବଣପୂଜାରେ ମହାଦେବୀ ବିରଜା
ବିରଜାକ୍ଷେତ୍ର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ବିରଜା ସାକାରମୂର୍ତ୍ତି ରୂପରେ ପ୍ରାୟ ଚତୁର୍ଥଶତାବ୍ଦୀର ପୂର୍ବରୁ ବିରାଜିତ ହୋଇ ପୂଜା ପାଉଛନ୍ତି । ଭାରତୀୟ ଶକ୍ତି ସଂସ୍କୃତିର ପ୍ରାଚୀନତମା ଦେବୀ ରୂପେ ଶ୍ରୀବିରଜାଙ୍କର ପୌରାଣିକ ପ୍ରତିଷ୍ଠା ସର୍ବଜନବିଦିତ । ଦେବୀ ବିରଜା ଭଗବତୀ ଦୁର୍ଗାଙ୍କର ଏକ ସ୍ବତନ୍ତ୍ର ମୂର୍ତ୍ତିରୂପେ ବିରାଜିତା, ଏଣୁ ଦେବୀଙ୍କ ପୀଠରେ ପୂଜାବିଧିରେ ମଧ୍ୟ ସ୍ବତନ୍ତ୍ରତା ପରିଲକ୍ଷିତ ହୁଏ । ବିଶେଷତଃ ଶାରଦୀୟ ପାର୍ବଣପୂଜା ଅବସରରେ ମା’ବିରଜାଙ୍କର ଉପାସନା ଶାକ୍ତ ପରମ୍ପରାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ । ଶାରଦୀୟ ପାର୍ବଣ ଅବସରରେ ଶକ୍ତିପୀଠମାନଙ୍କରେ ଷୋଡ଼ଶ ଦିବସୀୟ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ବିରଜାକ୍ଷେତ୍ରରେ ଶାରଦୀୟ ପୂଜା ବିଭିନ୍ନ ଦୃଷ୍ଟିରୁ ଆକର୍ଷଣୀୟ ହୋଇଥାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ଆଦ୍ରାନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରୁ ବିରଜାପୀଠରେ ଶାରଦୀୟ ପୂଜାର ଅୟମାରମ୍ଭ ହୋଇ ମହାନବମୀ ରାତ୍ରିରେ ସମାପ୍ତ ହୁଏ । ଶ୍ରବଣାନକ୍ଷତ୍ର ଯୁକ୍ତ ବିଜୟା ଦଶମୀରେ ଘଟ ବିସର୍ଜନ ହୁଏ ମହନୀୟତା ହେଉଛି ଏଠାରେ ଷୋହଳଜଣ ବ୍ରାହ୍ମଣ, ଷୋହଳ ଦିନ, ଷୋହଳ ଉପଚାରରେ ଷୋହଳ କଳସ ସ୍ଥାପନ କରି ପୂଜା ସଂପାଦନ କରିଥାନ୍ତି । ଏହି ସମୟରେ ବିଭିନ୍ନ ବେଶ ସହିତ ଭିନ୍ନ ମନ୍ତ୍ର ପ୍ରୟୋଗରେ ଚମତ୍କାରିତା ଏଠାରେ ଲକ୍ଷ୍ୟ କରାଯାଏ । ନିତ୍ୟପୂଜାରେ ଏକାକ୍ଷରୀ ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତା ବିରଜାଦେବୀଙ୍କର ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବନଦୁର୍ଗାମନ୍ତ୍ରରେ, ମହାଷ୍ଟମୀ ରାତ୍ରିରେ ଉଗ୍ରଚଣ୍ଡା ମନ୍ତ୍ରରେ ଓ ମହାନବମୀରେ ମହାମାରୀ ମନ୍ତ୍ରରେ ସଂପାଦିତ ହୋଇଥାଏ । ଶକ୍ତିପଲ୍ଲବ ନାମକ ତନ୍ତ୍ରଶାସ୍ତ୍ରର ବିଧିବିଧାନ ଅନୁଯାୟୀ ତାନ୍ତ୍ରିକ ପଦ୍ଧତିରେ ଦେବୀଙ୍କୁ ମୁଖ୍ଯତଃ ରାତ୍ରିକାଳରେ ପୂଜା କରାଯାଇଥାଏ । ଶାସ୍ତ୍ରୀୟ ବିଧି ଅନୁସାରେ ସୂର୍ଯ୍ୟ ଅଷ୍ଟମୀ ତିଥିରେ ଅସ୍ତ ହେବାପରେ ରାତ୍ରିକାଳରେ ବିରଜାଙ୍କର ଘଟନିମଜ୍ଜନ ପବିତ୍ର ବ୍ରହ୍ମାକୁଣ୍ଡରେ ହୋଇଥାଏ ।ମଙ୍ଗଳବାଦ୍ୟ ଧ୍ୱନି ସହିତ ଦେବୀଙ୍କର ଘଟକୁ ଅଣାଯାଇ ଯଜ୍ଞକୁଣ୍ଡର ଦକ୍ଷିଣପାର୍ଶ୍ୱରେ ସ୍ଥାପନ କରାଯାଏ । ଏହି ଘଟର ଚତୁଃପାର୍ଶ୍ୱରେ ଗଣପତି ଘଟ ସହିତ ବ୍ରାହ୍ମୀ, ମାହେଶ୍ୱରୀ ଆଦି ଅଷ୍ଟମାତୃକାଙ୍କର ଘଟ ସ୍ଥାପିତ ହୁଏ । ଦେବୀଙ୍କ ଘଟ, ଗଣପତି ଘଟ ଓ ଅଷ୍ଟମାତୃକା ଘଟ ମିଶି ସମୁଦାୟ ଦଶଟି ଘଟ ମୂଳାଷ୍ଟମୀ ତିଥିରେ ଯଜ୍ଞ-ମଣ୍ଡପରେ ସ୍ଥାପିତ ହୋଇ ପୂଜା ପାଇଥାନ୍ତି । ଏହି ମୂଳାଷ୍ଟମୀର ରାତ୍ରିଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପନ୍ଦରଦିନ ପ୍ରତିଦିନ ଦିନ ଓ ରାତିରେ ସିଂହାସନରେ ଓ ଘଟଦେବତା ମାନଙ୍କ ନିକଟରେ ଷୋଡ଼ଶ ଉପଚାରରେ ପୂଜାହୋଇଥାଏ । ମହାଷ୍ଟମୀ ଦିନ ପ୍ରଭାତରେ ବିରଜାଙ୍କର ଦୁର୍ଲଭ ମହାସ୍ନାନ ଅନୁଷ୍ଠିତ ହୁଏ । ବୈତରଣୀୟ ବ୍ରାହ୍ମଣ ଓ ବ୍ରହ୍ମାଣ ପତ୍ନୀମାନଙ୍କ ଦ୍ୱାରା ଆନୀତ ତୀର୍ଥ ଜଳରେ ଦେବୀଙ୍କର ସହସ୍ରକୁମ୍ଭାଭିଷେକ ଉତ୍ସବ ଅନୁଷ୍ଠିତ ହୁଏ ।
ଶୁକ୍ଳପଞ୍ଚମୀ ଠାରୁ ସ୍ବକଳ୍ପୋକ୍ତ ବିଧିରେ ଅଗ୍ନିସଂସ୍କାର ଆଦି କରାଯାଇ ସହସ୍ର ସଂଖ୍ୟକ ଆହୁତି ଯୁକ୍ତ ହୋମ କରାଯାଏ ଏହା ମହାହୋମନାମରେ ପରିଚିତ । ଏଠାରେ ଅଗ୍ନିସଂସ୍କାର ବିଧାନରେ ପୂର୍ବ ସ୍ଥାପିତ ଦଶଟି ଘଟ ସହିତ ଆଉ ପାଞ୍ଚଟି ଘଟ ବା କଳସ ସ୍ଥାପିତ ହୁଏ । ପୂର୍ବ କଳସରେ ଗଣପତି, ଅଗ୍ନିକୋଣରେ ବ୍ରହ୍ମା, ନୈଋତକୋଣରେ ଶିବ, ବାୟୁକୋଣରେ ବିଷ୍ଣୁ ଓ ଈଶାନ କୋଣରେ ଅନନ୍ତ ବାସୁକିଙ୍କୁ ପୂଜା କରାଯାଏ । ମହାଷ୍ଟମୀର ରାତ୍ରିକାଳରେ ଏହି ମହାହୋମର ପୂର୍ଣ୍ଣାହୁତି କରାଯାଏ । ମହାହୋମର ପୂର୍ଣ୍ଣାହୁତି ପରେ ନିଶାର୍ଦ୍ଧରେ ଯଜ୍ଞମଣ୍ଡପରେ ଆଉ ଗୋଟିଏ କଳସ ସ୍ଥାପନ କରାଯାଇ ଚାମୁଣ୍ଡାଙ୍କର ପୂଜା କରାଯାଏ । ପୂର୍ବର ପନ୍ଦର କଳସ ସହିତ ଚାମୁଣ୍ଡା କଳସକୁ ମିଶାଇଲେ ଷୋହଳ କଳସ ହୋଇଥାଏ । ଚାମୁଣ୍ଡାଙ୍କୁ ତୃପ୍ତି ପ୍ରଦାନ କରିବା ପାଇଁ ଛାଗବଳିର ପ୍ରଥା ରହିଛି ।
ମା’ବିରଜାଙ୍କର ଶାରଦୀୟ ପୂଜା ଅବସରରେ ଯେଉଁ ରଥଯାତ୍ରା ଅନୁଷ୍ଠିତ ହୁଏ ତାହା ଶକ୍ତି ସଂସ୍କୃତିରେ ଏକ ବିରଳ ପରମ୍ପରା ଅଟେ । ଶୁଭ ସୁନିଆ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ମହାଳୟା ଅମାବାସ୍ୟା ଦିନ ମନ୍ଦିର ବାହାରେ ପ୍ରତିଷ୍ଠା ମଣ୍ଡପରେ ରଥର ଅଧିବାସ କର୍ମ ଓ ପ୍ରତିପଦ୍ ତିଥିରେ ପ୍ରତିଷ୍ଠା କର୍ମ ସଂପାଦିତ ହୋଇଥାଏ । ପ୍ରତିପଦ ଠାରୁ ମହା ନବମୀ ପର୍ଯ୍ୟନ୍ତ ଦେବୀଙ୍କର ରଥ ମନ୍ଦିର ପରିକ୍ରମା କରିଥାଏ । ଏହା ନବଦିନାମତ୍କ ରଥଯାତ୍ରା ନାମରେ ପ୍ରସିଦ୍ଧ । ସୂଚନା ଯୋଗ୍ୟ ଯେ ମହାନବମୀ ତିଥିରେ ଦେବୀଙ୍କର ପଞ୍ଚୋପଚାର ପୂଜା, ତର୍ପଣ, ମାର୍ଜନାଦି ଓ ଅଭିଷେକ କ୍ରମ ଅନୁସାରେ ଅନୁଷ୍ଠିତ ହୁଏ । ମହାନବମୀ ରାତ୍ରିରେ ବିରଜାଙ୍କର ଦିଗ୍ବିଜୟ ଯାତ୍ରା ପାଳିତ ହୋଇଥାଏ । ମହାନବମୀର ସନ୍ଧ୍ୟାରେ ରଥ ପରିକ୍ରମାପରେ ରାତ୍ରିରେ ରଥସ୍ଥିତ ଦେବୀଙ୍କ ବିଜେ ପ୍ରତିମାଙ୍କୁ ରଥରୁ ଅବତରଣ କରାଯାଇ ଦୋଳରେ ବସାଯାଇ ମଙ୍ଗଳବାଦ୍ୟ ଧ୍ୱନିସହିତ ମନ୍ଦିରର ପୂର୍ବଦିଗରେ ଅବସ୍ଥିତ ଲାଖବିନ୍ଧା ପଡ଼ଇାକୁ ନିଆଯାଏ । ସେଠାରେ ଡାକେଶ୍ୱରୀଙ୍କ ନିକଟରେ ବେଦୀ ଉପରେ ଦୋଳାକୁ ରଖି ପୂଜକ ବ୍ରାହ୍ମଣ ଗଣପତି ପୂଜା, ବ୍ରାହ୍ମୀ ଆଦି ଅଷ୍ଟମାତୃକା ଓ କାଳରାତ୍ରି ଆଦି ସପ୍ତରାତ୍ରିଙ୍କୁ ଆବାହନ କରି ଗନ୍ଧପୁଷ୍ପାଦି ଦ୍ୱାରା ମହାମାରୀ ମନ୍ତ୍ରରେ ଦେବୀଙ୍କୁ ପୂଜା କରନ୍ତି । ସେଠାରେ ଦେବୀଙ୍କୁ ଧନୁତୀର ଅର୍ପଣ କରାଯାଏ ଦେବୀଙ୍କ ପ୍ରତିନିଧିରୂପେ ପୂଜକ ଚାରିଦିଗକୁ ଚାରୋଟି ଶର ନିକ୍ଷେପ କରନ୍ତି । ଏହା ଲକ୍ଷ୍ୟ ଭେଦ ବା ଲାଖବିନ୍ଧା ନାମରେ ପ୍ରସିଦ୍ଧ। ତାହା ପରେ ଦେବୀଙ୍କର ବିଜେ ପ୍ରତିମାଙ୍କୁ ଦୋଳାରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିରରେ ପ୍ରବେଶ କରାଯାଏ । ତାହାପରେ ମୁଖ୍ୟ ଦ୍ୱାର ବନ୍ଦ କରାଯାଇ ବଳିମଣ୍ଡପରେ ମହିଷ ପ୍ରୋକ୍ଷଣ କରାଯାଏ , ଦେବୀଙ୍କୁ ମଧୁରପଣା ଅର୍ପଣ କରାଯାଇ ବିଶ୍ରାମ ଦିଆଯାଏ ।
ଶାରଦୀୟ ଦୁର୍ଗୋତ୍ସବରେ ବିଶେଷ ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରାଯାଏ ଏହି ବିଶେଷ ନୈବେଦ୍ୟ ପ୍ରସ୍ତୁତି ପାଇଁ ପାଣିଗ୍ରାହୀ ସଂଜ୍ଞାଧାରୀ ସେବାୟତ ବ୍ରାହ୍ମଣମାନେ ୧୬ ଦିନ ମନ୍ଦିରରେ ରହି ଭୋଗ ପ୍ରସ୍ତୁତ କରିଥାନ୍ତି । ସକାଳେ ମଙ୍ଗଳ ଆଳତି ସମୟରେ ବାଳଭୋଗ ରୂପରେ ଫଳ, ମଧ୍ୟାହ୍ନ ଉପଚାର ପୂଜାରେ ଅନ୍ନନୈବେଦ୍ୟ, ତରକାରୀ, କ୍ଷୀରି ଖଟା ସହିତ ବିଭିନ୍ନ ପ୍ରକାରର ଫଳ ଅର୍ପଣ କରାଯାଏ । ସନ୍ଧ୍ୟା ଆଳତି ସମୟରେ ଉଖୁଡ଼ା, ଛେନା ଲଡ଼ୁ, ଷଡ଼ରସରେ ପ୍ରସ୍ତୁତ ଡାଳିଗଜା ଓ ପିଷ୍ଟକ ପ୍ରଦାନ କରାଯାଏ । ମହାଷ୍ଟମୀ ଓ ମହାନବମୀରେ ଶାସ୍ତ୍ରାନୁମୋଦିତ ରୀତିରେ ବିଶେଷ ନୈବେଦ୍ୟ ପ୍ରସ୍ତୁତ କରାଯାଇ ଅର୍ପଣ କରାଯାଏ । ଦଶହରା ଦିନ ଦେବୀଙ୍କ ପ୍ରତିମା’ଙ୍କୁ ଦକ୍ଷିଣାଭିମୁଖୀ କରି ପୂଜକ ଅପରାଜିତା ମନ୍ତ୍ରପାଠ ପୂର୍ବକ ବିସର୍ଜନ କର୍ମ ଆରମ୍ଭ କରିଥାନ୍ତି । ତାହାପରେ ମଙ୍ଗଳାରୋପଣ କର୍ମ ସମାପନ କରାଯାଇ ଦେବୀଙ୍କର ଘଟକୁ ବ୍ରହ୍ମାକୁଣ୍ଡରେ ବିସର୍ଜନ କରାଯାଏ । ମହାଶକ୍ତି ଶ୍ରୀବିରଜାଙ୍କର ଶାରଦୀୟ ପାର୍ବଣ ପୂଜା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଅଶେଷ ଆନନ୍ଦ ପ୍ରଦାନ କରିଥାଏ ।
ସୂଚନା - ବିରଜାରତ୍ନ ପଣ୍ଡିତ ଭୂପତି ଭୂଷଣ ମିଶ୍ର
ସଭାପତି, ବିରଜାମଣ୍ଡଳ ଗଣକମଣ୍ଡଳୀ
ଓ ପଣ୍ଡିତ ସଭା, ଯାଜପୁର
ଉପସ୍ଥାପନା - ହରିହର ସ୍ବାଇଁ, ଯାଜପୁର ପ୍ରତିନିଧି




