ଭ୍ୟାନ ଧକ୍କାରେ ବାପା ମୃତ,ପୁଅ ଗୁରୁତର

କାଲିମେଳା : ପୁଅକୁ ସ୍କୁଲ ଛାଡିବାକୁ ଗଲାବେଳେ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା I ପୁଅର ଆଖି ଆଗରେ ଚାଲିଗଲା ବାପାଙ୍କ ଜୀବନ I ଏହି ଦୁର୍ଘଟଣାରେ ଗୁରୁତର ହୋଇଛି ୧୦ ବର୍ଷର ପୁଅ I ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ। ଆଜି ସକାଳେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ୩୨୬ ନମ୍ବର ଜାତୀୟ ରାଜପଥରେ I ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି […]

Samaya Live Picture
Published On

କାଲିମେଳା : ପୁଅକୁ ସ୍କୁଲ ଛାଡିବାକୁ ଗଲାବେଳେ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା I ପୁଅର ଆଖି ଆଗରେ ଚାଲିଗଲା ବାପାଙ୍କ ଜୀବନ I ଏହି ଦୁର୍ଘଟଣାରେ ଗୁରୁତର ହୋଇଛି ୧୦ ବର୍ଷର ପୁଅ I ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ। ଆଜି ସକାଳେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ୩୨୬ ନମ୍ବର ଜାତୀୟ ରାଜପଥରେ I ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏମଭି ୭୦ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି।

ସୂଚନାନୁସାରେ,କାଲିମେଳା ସଦର ଏମ ଭି-୭୦ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି ତାଙ୍କର ୧୦ ବର୍ଷର ପୁଅକୁ ବାଇକରେ ନେଇ ଆଜି ସକାଳେ ସ୍କୁଲକୁ ଯାଉଥିଲେ I ଏହି ସମୟରେ କାଲିମେଳା ସହରଠାରୁ ୧ କି.ମି. ଦୂର ରାଇସ ମିଲ ନିକଟରେ ମାଲକାନଗିରିରୁ କାଲିମେଳା ଅଭିମୁଖେ ଆସୁଥିବା ଓଡି୩୦ଇ ୭୦୦୪ ନମ୍ବର ଥିବା ପିକ ଅପ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଚଳାଉଥିବା ଅଜୟ ମହାନ୍ତିଙ୍କ ଗୋଟିଏ ହାତ, ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ପିନ୍ଧିଥିବା ହେଲମେଟ ଭାଙ୍ଗି ଚୁରମାର ହୋଇଯାଇଛି। ସେହିପରି ପଛପଟେ ବସିଥିବା ୧୦ ବର୍ଷର ପୁଅର ଗୋଟିଏ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆମ୍ବୁଲାନ୍ସ ଯୋଗେ ପୁଅକୁ ସେଠାରୁ ଉଦ୍ଧାର କରି ମାଲକାନଗିରି ମେଡିକାଲକୁ ନିଆଯାଇଥିଲା ପରେ ସେଠାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ସକାଳୁ ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣାର ଖବରପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Tags: