ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ,ଗାଇଡ଼ ଲାଇନ ଜାରି
ଭୁବନେଶ୍ୱର : ଋତୁ ପରିବର୍ତନ ସାଙ୍ଗକୁ ରାଜ୍ୟରେ ମାଡିଚାଲିଛି ଆଖିଧରା ରୋଗ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ସଂକ୍ରମଣ ବଢୁଛି I ବିଭିନ୍ନ ଜିଲ୍ଲାରୁ ଆସୁଛି ଶହ ଶହ ଆଖିଧରା କେସ୍ । ଭୟରେ ଲୋକମାନେ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ରୋଗ ମାଡ଼ିଚାଲିଛି । ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ଥିବା ଜଣାପଡ଼ିଛି। ଆଖିଧରା ଏକ […]
ଭୁବନେଶ୍ୱର : ଋତୁ ପରିବର୍ତନ ସାଙ୍ଗକୁ ରାଜ୍ୟରେ ମାଡିଚାଲିଛି ଆଖିଧରା ରୋଗ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ସଂକ୍ରମଣ ବଢୁଛି I ବିଭିନ୍ନ ଜିଲ୍ଲାରୁ ଆସୁଛି ଶହ ଶହ ଆଖିଧରା କେସ୍ । ଭୟରେ ଲୋକମାନେ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ରୋଗ ମାଡ଼ିଚାଲିଛି । ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ଥିବା ଜଣାପଡ଼ିଛି। ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ବିଶେଷଜ୍ଞଙ୍କର କହିବା କଥା ହେଉଛି, ଋତୁ ପରିବର୍ତ୍ତନ ହେଲେ ଆଖି ଧରା ରୋଗ ଦେଖିବାକୁ ମିଳିଥାଏ। ଏଡିନୋ ଭୂତାଣୁ ଏହି ରୋଗର କାରଣ। ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ । ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ । ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।
କିଭଳି ଜାଣିବେ ଆପଣ ଆଖିଧରା ରୋଗରେ ପଡ଼ିଛନ୍ତି ? କେଉଁମାନଙ୍କ ପ୍ରତି ଅଧିକ ବିପଦ ରହିଛି ? ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ । ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ । ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ । ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ । ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ । କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ ।
ସଚେତନତା ଅଭାବରୁ ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରାଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ । ଚକ୍ଷୁରୋଗ ବିଶେଷଜ୍ଞ କହିଛନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ ଓ ଏହା କେବଳ ଏକ ଅନ୍ଧବିଶ୍ବାସ ।




