ପଶ୍ଚିମବଙ୍ଗରୁ ଆଳୁ ରପ୍ତାନି ବନ୍ଦ, ସୀମାରେ ଅଟକିଛି ଶତାଧିକ ଟ୍ରକ
ଭୁବନେଶ୍ୱର : ବଜାରରେ କଞ୍ଚା ପରିବା ଦର ସାଙ୍ଗକୁ ତାଳ ଦେଇ ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର । ଗୁରୁବାର ବଜାରରେ ଆଳୁ ଦର ୬୦ ଟଙ୍କା ଛୁଇଁଛି I ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା । କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ଉପରେ ଲାଗିଛି ରୋକ । ଫଳରେ ସୀମାରେ ଅଟକିଛି […]
ଭୁବନେଶ୍ୱର : ବଜାରରେ କଞ୍ଚା ପରିବା ଦର ସାଙ୍ଗକୁ ତାଳ ଦେଇ ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର । ଗୁରୁବାର ବଜାରରେ ଆଳୁ ଦର ୬୦ ଟଙ୍କା ଛୁଇଁଛି I ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା । କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି।
ଅନ୍ୟପଟେ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ଉପରେ ଲାଗିଛି ରୋକ । ଫଳରେ ସୀମାରେ ଅଟକିଛି ଶତାଧିକ ଟ୍ରକ । ପଶ୍ଚିମବଙ୍ଗ ସରକାର ଚଳିତ ମାସ ୨୦ ତାରିଖରୁ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ତାଙ୍କ ରାଜ୍ୟରେ ଆଳୁ କେଜି ୨୦ ଟଙ୍କାରେ ବିକ୍ରି କରିବାକୁ ବ୍ୟବସାୟୀ ମହାସଙ୍ଘ ପଶ୍ଚିମ ବଙ୍ଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହ ଉପାନ୍ତରେ ଥିବା ତନଖି ଫାଟକ ଓ ଥାନା ଗୁଡିକୁ ଅନ୍ୟ ରାଜ୍ୟକୁ ଆଳୁ ଗାଡି ନଛାଡିବା ପାଇଁ ନିର୍ଦେଶ ରହିଛି ।
ଗତ ୬ ଦିନ ହେଲାଣି ପଶ୍ଚିମବଙ୍ଗ ଆଳୁ ରପ୍ତାନି ମହାସଙ୍ଘ ଆଳୁ ରପ୍ତାନି ବନ୍ଦ ରଖିଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି I ତେଣୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି। ଖୁଚୁରା ବଜାରରେ ଯେତିକି ଆଳୁ ମହଜୁଦ ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଥିପାଇଁ ଦୁଇ ଦିନ ହେଲା ଆଳୁ ଦର ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି । ପ୍ରତିଦିନ ଛତ୍ରବଜାରକୁ ୫ରୁ ୬ ଟ୍ରକ ଆଳୁ ଆମଦାନୀ ଆସିଥାଏ। ଆନ୍ଦୋଳନ ଯୋଗୁଁ ଏବେ ଦିନକୁ ଦୁଇରୁ ତିନିଟି ଗାଡି ଆସୁଛି। ଗୁରୁବାର ଛତ୍ରବଜାରକୁ କୌଣସି ଆଳୁ ଗାଡି ଆସି ନଥିବାରୁ ଏଭଳି ସଙ୍କଟ ଦେଖାଦେଇଛି। ଦୁଇ ଦିନ ମଧ୍ୟରେ ଓଡିଶାକୁ ଆଳୁ ଆମଦାନୀ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପଟେ ପଶ୍ଚିମବଙ୍ଗରୁ ଆଳୁ ରପ୍ତାନି ବନ୍ଦ ରହିଥିବାରୁ ଓଡିଶା ସମେତ ବିହାର,ଛତିଶଗଡ଼,ଝାରଖଣ୍ଡ ଏବଂ ଆସାମରେ ମଧ୍ୟ ଆଳୁ ସଙ୍କଟ ଦେଖାଦେଇଛି ।




