ରାଜଧାନୀରେ ଅଣାୟତ୍ତ ହେଉଛି ଡେଙ୍ଗୁ
ଭୁବନେଶ୍ୱର : ରାଜଧାନୀ ରେ ବଢି ଚାଲିଛି ଡେଙ୍ଗୁ ଆତଙ୍କ। ହସ୍ପିଟାଲ ଗୁଡିକରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ବର ମାଡିଗଲାଣି। ଏପରି ପରିସ୍ଥିତି ହୋଇଛି ଯେ ଡେଙ୍ଗୁ ପାଇଁ ହଟସ୍ପଟ ପାଲଟି ଯାଇଛି ଭୁବନେଶ୍ୱର। ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ପ୍ରାୟ ଦେଢ଼ଗୁଣାରେ ପହଞ୍ଚିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ […]
ଭୁବନେଶ୍ୱର : ରାଜଧାନୀ ରେ ବଢି ଚାଲିଛି ଡେଙ୍ଗୁ ଆତଙ୍କ। ହସ୍ପିଟାଲ ଗୁଡିକରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ବର ମାଡିଗଲାଣି। ଏପରି ପରିସ୍ଥିତି ହୋଇଛି ଯେ ଡେଙ୍ଗୁ ପାଇଁ ହଟସ୍ପଟ ପାଲଟି ଯାଇଛି ଭୁବନେଶ୍ୱର।
ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ପ୍ରାୟ ଦେଢ଼ଗୁଣାରେ ପହଞ୍ଚିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୧୧୬୪ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖାଲି ରାଜ୍ୟ ରାଜଧାନୀ ନୁହେଁ, ରାଜ୍ୟର ଆହୁରି ଅନେକ ଅଞ୍ଚଳକୁ ଡରାଇଲାଣି ଡେଙ୍ଗୁ । ଖୋର୍ଦ୍ଧା ବାଦ୍ ପୁରୀ, କଟକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ଅଙ୍କ ପାର କରିବା ପରେ ସ୍ଥିତି ଅଣାୟତ୍ତ । ସେପଟେ ରାଜ୍ୟର ସବୁ ଜିଲ୍ଲାରେ ଭୟାବହ ସ୍ଥିତି ନାହିଁ ଏବଂ ସଚେତନ ହେଲେ ମୁକାବିଲା ସମ୍ଭବ ବୋଲି ଆଶ୍ୱାସନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲ ଗୁଡିକରେ ଏବେ ବି ୫୦ ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଚଳିତ ବର୍ଷ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଟିପିଆର(ଟେଷ୍ଟ ପଜିଟିଭ୍ ରେଟ୍) ମଧ୍ୟ ପୂର୍ବାପେକ୍ଷା କମ୍ ରହିଛି। ଅଗଷ୍ଟ ୧୪ ତାରିଖ ସୁଦ୍ଧା ଭୁବନେଶ୍ବରରୁ ୧୦୨୮୮ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪୨୧ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଯାହା ପୂର୍ବ ବର୍ଷମାନଙ୍କ ଠାରୁ ଢେର୍ କମ୍ ବୋଲି ବିଏମ୍ସି କହିଛି।
ସେପଟେ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍ସି ପକ୍ଷରୁ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରାଯାଇ ସେଗୁଡ଼ିକ ନଷ୍ଟ କରାଯାଉଛି। ଗତ ୧୦ ତାରିଖରୁ ଆରମ୍ଭ ହୋଇଛି ଘର ଘର ଅଭିଯାନ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ବି ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ସମ୍ବେଦନଶୀଳ ସ୍ଥାନ ପରିଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ୨୫ ହଜାରରୁ ଅଧିକ ପରିଦର୍ଶନ ହୋଇଥିବାବେଳେ ପ୍ରାୟ ୩୩ ହଜାର ମଶା ଲାର୍ଭା ଉତ୍ସକୁ ନଷ୍ଟ କରାଯାଇଛି। ଏଥିସହିତ ୨୫ ଗାଡ଼ି ଅବ୍ୟବହୃତ ଟାୟାରକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଛି। ସର୍ଭେଲାନ୍ସ, ଟେଷ୍ଟିଂ ଓ ସଚେତନତାକୁ ବ୍ୟାପକ କରିଛି ବିଏମସି ।




